ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା: ଦୁଇ ବର୍ଷ ହେଲା ମିଳିନି ବେତନ, ସମାଧାନ ନ ହେଲେ ଆତ୍ମାହୁତି

ଭୁବନେଶ୍ୱର: ଦୁଇ ବର୍ଷ ହେଲା ବେତନ ପାଇ ନାହାନ୍ତି। ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗର ଅସ୍ଥାୟୀ କର୍ମଚାରୀମାନେ ଭୁବନେଶ୍ବର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଯଦି ବେତନ ସମେତ ୨ ଦଫା ଦାବି ସରକାର ଶୀଘ୍ର ପୂରଣ ନ କରନ୍ତି, ତେବେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଆତ୍ମାହୁତି ଦେବୁ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ର କୁମାର ସ୍ବାଇଁ କହିଛନ୍ତି।

ଶ୍ରୀ ସ୍ବାଇଁଙ୍କ କହିବା ମୁତାବକ ୧୯୯୩ ମସିହା ଏପ୍ରିଲ ୧୨ ତାରିଖ ପରଠାରୁ କାମ କରୁଥିବା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ମଜୁରି ପ୍ରଦାନ ସହ ନାମ ତାଲିକା ପ୍ରସ୍ତୁତ କରିବା ପାଇଁ ଦାବି କରାଯାଇଛି। ଗତ ଫେବ୍ରୁଆରି ମାସରେ ମଧ୍ୟ ଏ ସଂକ୍ରାନ୍ତରେ ଏକ ପତ୍ର ମାଧ୍ୟମରେ ସଂଘ ପକ୍ଷରୁ ଜଣାଇ ଦିଆଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ସେ ପତ୍ରଟି ମୁଖ୍ୟଯନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇ ନ ଥିବା ଜଣାପଡ଼ିଛି। କର୍ମଚାରୀଙ୍କ ଦାବି ସରକାର ନ ଶୁଣିଲେ ସଂଘର ସଦସ୍ୟମାନେ ଧାରଣାରୁ ହଟିବେ ନାହିଁ ଏବଂ ସରକାରଙ୍କ ଦ୍ବାରା ଗାଁ’ ଗୁଡ଼ିକରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ତେଣୁ ସରକାର ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ କେଦାରନାଥ ମଲ୍ଲିକ କହିଛନ୍ତି। ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘ ଗତ ୧୧ ତାରିଖରୁ ଧାରଣା ଆରମ୍ଭ କରିଥିବା ବ‌ଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ଏଥିରେ ସାମିଲ୍‌ ହୋଇ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର