କର୍ମଚାରୀଙ୍କ ସ୍ବାମୀ କରୋନା ଆକ୍ରାନ୍ତ! ବିଏମ୍‌ସି ହସ୍ପିଟାଲରେ ଛନକା

ପୁରୁଣା ଭୁବନେଶ୍ୱର: ବିଏମ୍‌ସି ହସ୍ପିଟାଲର ଜଣେ କର୍ମଚାରୀଙ୍କ ସ୍ବାମୀ କୋଭିଡ୍‌-୧୯ ଆକ୍ରାନ୍ତ ‌ବୋଲି ଆଜି ଦିନତମାମ୍‌ ଚର୍ଚ୍ଚା ଜୋର୍‌ ଧରିଛି। ଏମିତିକି ଏହି ପ୍ରଚାରକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ହସ୍ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଥିବା ଜଣାପଡ଼ିଛି। ଗୁଜବ ବୋଲି କୁହାଯାଉଥିଲେ ମଧ୍ୟ ଅପରାହ୍ଣରେ ବିଏମ୍‌ସି ପକ୍ଷରୁ ହସ୍ପିଟାଲକୁ ସାନିଟାଇଜ୍‌ କରାଯାଇଥିବାରୁ ଲୋକଙ୍କ ସନ୍ଦେହ ବଢ଼ି ଯାଇଛି। ସେହିଭଳି ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନଙ୍କର ଆବଶ୍ୟକ ପରୀକ୍ଷା କରାଯିବ ବୋଲି ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିବାରୁ ପ୍ରଚାର ମୂଳରେ ସତ୍ୟତା ରହିଛି ବୋଲି ବିଶ୍ବାସ କରାଯାଉଛି। କିନ୍ତୁ ଏଭଳି ଖବର ବିନା ଆଧାର ପ୍ରଚାର ହୋଇଥିବା ନେଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ସୂଚନା ଦେବା ପରେ କିଛି ଲୋକ ଆଶ୍ବସ୍ତ ହୋଇଛନ୍ତି।

ମିଳିଥିବା ସୂଚନାନୁସାରେ, ବିଏମ୍‌ସି ହସ୍ପିଟାଲର ଜଣେ ଆଟେଣ୍ଡାଣ୍ଟ୍‌ଙ୍କ ସ୍ବାମୀ ପେଟ ଯନ୍ତ୍ରଣା ଓ ଡାଇବେଟିସ୍‌ ଚିକିତ୍ସା ପାଇଁ ଗତ ୨୬ ତାରିଖରେ ହସ୍ପିଟାଲ ଆସିଥିଲେ। ମହିଳା କର୍ମଚାରୀଜଣଙ୍କ ତାଙ୍କ ସ୍ବାମୀଙ୍କୁ ସାଙ୍ଗରେ ଧରି ଏକ ଅଟୋରେ ଆସିଥିଲେ। ସେଦିନ ତାଙ୍କୁ ମେଡିସିନ୍‌ ୱାର୍ଡରେ ପ୍ରାୟ ୩ ଘଣ୍ଟା ରଖାଯାଇଥିଲା। କିନ୍ତୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁ ବେଡ୍‌ ନ ମିଳିବାରୁ ତାଙ୍କୁ ଲୁଇସ୍‌ ରୋଡ୍‌ ଗ୍ୟାରେଜ୍‌ ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ ତାଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାରମ୍ବାର ହସ୍ପିଟାଲରୁ ହସ୍ପିଟାଲ ସ୍ଥାନାନ୍ତର ହେବା ଓ ‌ଶେଷରେ ଚନ୍ଦ୍ରଶେଖରପୁରସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣାକୁ ନେଇ ସେ କରୋନା ଆକ୍ରାନ୍ତ ବୋଲି ପ୍ରଚାର ହୋଇଗଲା।

ଆଜି ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲରେ ଭୟର ବାତାବରଣ ଖେଳି ଯାଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ରୋଗୀମାନେ ବେଶି ଆତଙ୍କିତ ହୋଇପଡ଼ିଥିଲେ। ଶୀଘ୍ର ଡାକ୍ତରଙ୍କୁ ଦେଖା କରି ଘରକୁ ଫେରିଯିବାକୁ ସେମାନେ ବ୍ୟଗ୍ର ହୋଇପଡ଼ିଥିଲେ। ବହୁ ରୋଗୀ ଡାକ୍ତରଙ୍କୁ ଦେଖା ନକରି ଘରକୁ ଫେରି ଯାଇଥିଲେ। ସେହିଭଳି ବିଭିନ୍ନ ୱାର୍ଡରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ ମଧ୍ୟ ବିବ୍ରତ ହୋ‌ଇ ପଡ଼ିଥିଲେ। ତେବେ ବିଏମ୍‌ସି ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଜିତେନ୍ଦ୍ର ବେବର୍ତ୍ତାଙ୍କ କହିବା କଥା, ୫ଦିନ ତଳେ ସେ ହସ୍ପିଟାଲରେ ମାତ୍ର ୩ଘଣ୍ଟା ରହିଥିଲେ। ଉକ୍ତ କର୍ମଚାରୀଙ୍କ ସ୍ବାମୀ କରୋନା ଆକ୍ରାନ୍ତ ବୋଲି ସେମାନଙ୍କୁ ସୂଚନା ମିଳିନାହିଁ। ନିୟମିତ ବ୍ୟବଧାନରେ ହସ୍ପିଟାଲକୁ ସାନିଟାଇଜ୍‌ କରାଯାଉଛି। ତେଣୁ ଭୟ କରିବାର କୌଣସି କାରଣ ନାହିଁ। ଆସନ୍ତାକାଲି ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ପରେ ଆଟେଣ୍ଡାଣ୍ଟ୍‌ମାନଙ୍କ ପରୀକ୍ଷା କରାଯିବ। ସେହିଭଳି ଗ୍ୟାରେଜ୍‌ ଛକସ୍ଥିତ ପ୍ରାଇଭେଟ୍‌ ହସ୍ପିଟାଲ ଓଟିରେ କାର୍ଯ୍ୟରତ ୫ଜଣ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର