ଗୁମର ଖୋଲିଲେ ପିଟର୍‌ : ଲକଡାଉନ୍‌ରେ ବିଛାଇଥିଲେ ନିଯୁକ୍ତି ଜାଲ

ପ୍ରାର୍ଥୀଙ୍କ ବାୟୋଡାଟା ପଠାଉଥିଲେ ବ୍ରହ୍ମପୁରର ସର୍ବେଶ୍ବର ରାଓ

ଭୁବନେଶ୍ୱର : ଚାରିକଡ଼େ ବଡିଗାର୍ଡ(ବାଉନ୍ସର), ବିଳାସପୂର୍ଣ୍ଣ ଅଫିସ, ଅଫିସର ଠାଣି, ଚାଲିଚଳଣି, ଥାଟବାଟ ସବୁ ଦେଖି ଭଳି। ଚାକିରି ଖୋଜୁ ଖୋଜୁ ପୁନେରେ ଟାଟା ମୋଟର୍ସ(ଏମ୍‌ଡି) ଆକାଶ ପାଠକଙ୍କ ପିଏ(ବ୍ୟକ୍ତିଗତ ସହାୟକ) ଭାବେ ନିଯୁକ୍ତି ପାଇ ଯାଇଥିଲି। ବେକାର ହୋଇ ବସିଥିଲି, ୨୫ ହଜାର ଟଙ୍କାରେ ଚାକିରି ମିଳି ଯାଇଥିଲା। ଆକାଶଙ୍କର କେବଳ ବ୍ୟକ୍ତିଗତ କାମ ବୁଝୁଥିଲି। ବିମାନଠାରୁ ଆରମ୍ଭ କରି ହୋଟେଲ, ବିବାହ ପାଇଁ ପ୍ୟାଲେସ ବୁକିଂ, ଏପରିକି ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ସାକ୍ଷାତକାର ନେଇଥିଲି। ଗତ ମାସ ୨୫ ତାରିଖ ସକାଳେ ଯେତେବେଳେ ଭିଜିଲାନ୍ସ ଓ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ରେଡ୍ କଲା, ଆକାଶଙ୍କର କଳା କାରନାମା ବିଷୟରେ ଜାଣିବାକୁ ପାଇଲି। ଏବେ ଭାବୁଛି ମୁଁ ‘ସାର’(ଆକାଶ)ଙ୍କ ବୁଢ଼ିଆଣି ଜାଲ ଭିତରେ ଫସି ଯାଇଥିଲି। କ୍ରାଇମ୍‌ବ୍ରାଞ୍ଚର ମାରାଥନ୍ ଜେରାରେ ଆକାଶଙ୍କର ଅନେକ ଗୁମର ଖୋଲିଥିବା ତାଙ୍କର ପିଏ ଡେଭିଡ୍ ପିଟର୍‌ ଆଜି ଏକ ଭିଡିଓ ଜରିଆରେ ଏପରି କିଛି ବିସ୍ଫୋରକ ତଥ୍ୟ ଦେଇଛନ୍ତି। ପାଠକ କେଳେଙ୍କାରୀର ଗୁମର ଖୋଲୁଥିବା ପିଟର୍‌ଙ୍କ ବୟାନ ଏବେ କ୍ରାଇମବ୍ରାଞ୍ଚ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ପିଟର୍‌ଙ୍କ କହିବା ଅନୁସାରେ, ୨୦୧୯ ଅକ୍ଟୋବରେ ଏକ ଅନଲାଇନ୍ ନିଯୁକ୍ତି ସାଇଟ୍‌ରେ ଚାକିରି ଖୋଜୁଥିବା ବେଳେ ଟାଟା ମୋଟର୍ସ ଏମ୍‌ଡି ଆକାଶ ପାଠକଙ୍କ ପିଏ ପଦ ଫାଙ୍କା ଥିବା ସେ ଜାଣିବାକୁ ପାଇଥିଲେ। ଏଥିପାଇଁ ତିନିଜଣ ଆବେଦନ କରିଥିବା ବେଳେ ଆକାଶ ତାଙ୍କୁୁ ନିଯୁକ୍ତି ଦେଇଥିଲେ। ମାସକୁ ଦରମା ୨୫ହଜାର ଟଙ୍କା ରହିଥିଲା। ୬ ମାସ ପରେ କନଫରମେସନ୍ ଲେଟର ମଧ୍ୟ ମିଳିଥିଲା। ବର୍ଷେ ପରେ ଦରମା ୫ ହଜାର ଟଙ୍କା ବଢ଼ିଥିଲା, କିନ୍ତୁ ଏଯାଏ ମିଳିନି। ଆକାଶଙ୍କର ଚାର୍ଟର୍‌ ଫ୍ଲାଇଟ୍, ହୋଟେଲ ସବୁ କିଛି ସେ ବୁକିଂ କରୁଥିଲେ। ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସି ଜରିଆରେ ଏ ସବୁ ବୁକିଂ ହେଉଥିଲା। ୮ ସିଟ୍‌ ବିଶିଷ୍ଟ ଚାର୍ଟର୍‌ ବିମାନର ଭଡ଼ା ୧୩ ଲକ୍ଷ ଟଙ୍କା ରହିଥିଲା। ଗୋଟିଏ ଥର ଦୀପାବଳି ସମୟରେ ୧୮ ସିଟ୍ ବିଶିଷ୍ଟ ବିମାନରେ ଭୁବନେଶ୍ବରରୁ ପୁନେ ଯାଇଥିଲେ ସପରିବାର। ସେହି ବିମାନର ଭଡ଼ା ୩୨ଲକ୍ଷ ଟଙ୍କା ରହିଥିଲା। ଖାଲି ବିମାନ ନୁହେଁ, ୧୦ରୁ ଅଧିକ ଥର ତାଜ୍ ହୋଟେଲରେ ମଧ୍ୟ ରହିଛନ୍ତି ଆକାଶ। କେତେବେଳେ ଦିନେ ତ ଆଉ କେତେବେଳେ ଦୁଇ ଦିନ। ଥରେ ଦୁଇଥର ଭାବୀ ଶ୍ବଶୁର ତଥା ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପୂରା ପରିବାର ତିନି ଚାରିଦିନ ଧରି ରହିଛନ୍ତି। ପ୍ରଦୀପଙ୍କ ସହ ପିଟର୍‌ଙ୍କୁ ଚିହ୍ନା ପରିଚିତ କରାଇଥିଲେ ଆକାଶ। ବିବାହ ପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ ପ୍ୟାଲେସ ବୁକିଂ ହୋଇଥିଲା। ଅଗ୍ରିମ ୨୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୱେଡିଂ ପ୍ଲାନର୍‌ ୫ ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ। ଏହା ବାଦ୍ ପୁନେରୁ ମୁମ୍ବାଇ ଏକାଧିକଥର ବୁଲିବାକୁ ଯାଉଥିଲେ। ସେଠାରେ ହୋଟେଲରେ ରହି ସପିଂ କରୁଥିଲେ, ଖାଇ ପିଇ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଫାର୍ମ ହାଉସ୍‌ରେ କେବଳ ଅୟସ୍ ଆରାମରେ ଜୀବନ ବିତାଉଥିଲେ ଆକାଶ ଓ ତାଙ୍କ ପରିବାର। ପୁନେରେ ଭଡ଼ାରେ ନିଆ ଯାଇଥିବା ଵାର୍ଟର ଆପାର୍ଟମେଣ୍ଟ ଫ୍ଲାଟ୍‌ର ଭଡ଼ା ମାସିକ ୩ ଲକ୍ଷ ୨୫ହଜାର ଟଙ୍କା ରହିଥିଲା। ଅନ୍ୟ ଏକ ଫ୍ଲାଟ୍ ଓ ଫାର୍ମ ହାଉସ୍ ପରେ ଭଡ଼ାରେ ନିଆ ଯାଇଥିଲା। ଏ ସବୁ କାରବାର ତାଙ୍କ ଜରିଆରେ ହେଉଥିଲା। ପିଟର୍‌ଙ୍କ ଆକାଉଣ୍ଟକୁ ଆକାଶ ଟଙ୍କା ପଠାଇବା ପରେ ସେ ପେମେଣ୍ଟ କରୁଥିଲେ। ଫଳରେ ସ୍କାଏ କିଙ୍ଗ ପକ୍ଷରୁ କରାଯାଇଥିବା ଏତଲାରେ ତାଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ସେ ଯେଉଁ ମେଲ୍ ଆଇଡିରୁ ବୁକିଂ କରିଥିଲେ, ତାହାକୁ ଆକାଶ ଦେଇଥିଲେ ବୋଲି ପିଟର୍‌ କହିଛନ୍ତି।

ପିଟର୍‌ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ମେ’ ଓ ଜୁନ୍‌ ମାସରେ କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବା ସମୟରେ ନିଯୁକ୍ତି ନାଁରେ ଲୋକଙ୍କୁ ଠକିବା ପାଇଁ ଯୋଜନା କରାଯାଇଥିଲା। ଲକ୍ଷ୍ନୌ, କର୍ଣ୍ଣାଟକ, ଗୁଜରାଟରେ ନୂଆ ପ୍ଲାଣ୍ଟ ଖୋଲିବା ନାଁରେ ହେଉଥିଲା ନିଯୁକ୍ତି। ଟାଟା ମୋଟର୍ସରେ ଅନଲାଇନ୍ ବିଜ୍ଞାପନ ଦିଆଯିବା ପରେ ଅଫିସ୍‌ ମେଲକୁ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଆବେଦନ କରୁଥିଲେ। ସେମାନଙ୍କ ଭିତରୁ ସର୍ଟ ଲିଷ୍ଟ ତିଆରି କରାଯାଇଥିଲା। ଦୁଇଟି ଫେଜ୍‌ରେ ଜୁମ୍-ଆପ୍‌ ଜରିଆରେ ସାକ୍ଷାତକାର ନିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସାକ୍ଷାତକାର ହେବା ବେଳକୁ ପ୍ରଥମ ପର୍ଯ୍ୟାୟ ସାକ୍ଷାତକାରରେ ପାସ୍‌ କରିଥିବା ଯୁବକ/ଯୁବତୀଙ୍କୁ କନଫରମେସନ୍ ଲେଟର୍‌ ଦିଆଯାଇଥିଲା। ସ୍ବତନ୍ତ୍ର ଟ୍ରେନର୍‌ଙ୍କ ଜରିଆରେ ତାଲିମ୍‌ ମଧ୍ୟ ଦିଆଯାଉଥିଲା। ଗ୍ରାଜୁଏଟ୍ ଟ୍ରେନି ଏବଂ ମ୍ୟାନେଜମେଣ୍ଟ ଟ୍ରେନି ପଦ ପାଇଁ ତାଲିମ୍‌ ଦିଆଯାଇଥିଲା। ଓଡ଼ିଶାରେ ଯେଉଁ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ରଛାତ୍ରୀମାନେ ଆବେଦନ କରୁଥିଲେ, ସେମାନଙ୍କୁ ବ୍ରହ୍ମପୁରର ସର୍ବେଶ୍ବର ରାଓ ନାମକ ଜଣେ ବ୍ୟକ୍ତି ଯୋଗାଯୋଗ କରୁଥିଲେ। ତାଙ୍କ ସହ ଆକାଶ ତାଙ୍କୁ ଚିହ୍ନା ପରିଚିତ କରାଇଥିଲେ। ଓଡ଼ିଶାର ବିଭିନ୍ନ କଲେଜରେ ରାଓ ବାବୁ କ୍ୟାମ୍ପସ୍‌ ସିଲେକ୍ସନକୁ ଯାଆନ୍ତି ବୋଲି ଆକାଶ କହିଥିଲେ। ତେଣୁ ତାଙ୍କ ପାଖରେ ବେକାର ଛାତ୍ରଛାତ୍ରୀଙ୍କ ତଥ୍ୟ ରହିଥାଏ। ରାଓ ବାବୁ ପ୍ରାର୍ଥୀମାନଙ୍କର ବାୟୋଡାଟା ପଠାଉଥିଲେ। ଆକାଶଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଚିହ୍ନଟ କରାଯାଉଥିଲା। ସେ ମଧ୍ୟ ଏକାଧିକ ପ୍ରାର୍ଥୀଙ୍କର ସାକ୍ଷାତକାର ନେଇଛନ୍ତି। ଚାକିରି ନାଁରେ ଠକେଇ ହୋଇଥିବା ନେଇ କିଛି ପ୍ରାର୍ଥୀଙ୍କର ଫୋନ୍ କଲ୍ ମଧ୍ୟ ଆସିଛି। ଏ କଥା ସାର(ଆକାଶ)ଙ୍କୁ ଜଣାଇବା ପରେ ସେ ଏହା ଫେକ୍ କଲ ବୋଲି କହୁଥିଲେ। ତେଣୁ ତାଙ୍କରର ଅବିଶ୍ବାସ ହେଉ ନ ଥିଲା। କ୍ରାଇମବ୍ରାଞ୍ଚ ଗତ କିଛି ଦିନ ହେଲା ଆକାଶଙ୍କ ନକଲି ସାମ୍ରାଜ୍ୟ ସମ୍ପର୍କରେ ଜେରା କରୁଥିବା ବେଳେ ସବୁ ତଥ୍ୟ ଦେଇଛି। ସେମାନଙ୍କୁ ଆରମ୍ଭରୁ ସହାୟତା କରି ଆସୁଛି ବୋଲି କହିଛନ୍ତି ପିଟର୍‌।

ସମ୍ବନ୍ଧିତ ଖବର