ଭୁବନେଶ୍ବର: ଗ୍ରୀଷ୍ମରେ ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜଳସେବା ଶିବିର(ଟେମ୍ପରାରି ୱାଟର କିଓସ୍କୋ)ର ବ୍ୟବସ୍ଥା କରାଯାଇଛି। କିଛି ସ୍ବେଚ୍ଛାସେବୀ ସଂସ୍ଥା ଏହାର ପରିଚାଳନା ଦାୟିତ୍ବ ନେଇଛନ୍ତି। ଏ ବାବଦରେ ବିଏମ୍ସି ମାସିକ ୨୫.୫୦ ଲକ୍ଷ ଟଙ୍କା ଗଣୁଛି। ତିନି ମାସ ପାଇଁ ଏହି ଶିବିର ଚଳାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଜଳସେବା ଶିବିର ପରିଚଳନାରେ ବ୍ୟାପକ ଅବ୍ୟବସ୍ଥା ନଜରକୁ ଆସିଛି। ବହୁ ଶିବିରରେ ପିଇବାକୁ ଜଳ ମିଳୁନି। ଅଧିକାଂଶ ସମୟରେ ଜଳପାତ୍ର ଖାଲି ରହୁଛି। ଶିବିରଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତାକୁ ଅଣଦେଖା କରାଯାଉଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅନେକ ସ୍ଥାନରେ ଏହି ମାଠିଆର ଢାଙ୍କୁଣି ଦିଆଯାଉନି। ପୁଣି ମାଠିଆ ନିୟମିତ ସଫା ହେଉନି, ଏଥିରେ ଲାଗିଥିବା କପଡ଼ା ବି ସବୁ ଫାଟିଗଲାଣି। ବଡ଼କଥା ହେଉଛି, ଏହାକୁ ଜଗିବାକୁ କେହି ରହୁନାହାନ୍ତି। ଫଳରେ କିଛି ଜଳସେବା ଶିବିରରେ କୁକୁର, ଗାଈଗୋରୁ ଶୋଉଥିବା ଦେଖିବାକୁ ମିଳୁଛି।
ବିଏମ୍ସି ପକ୍ଷରୁ ୬୭ଟି ୱାର୍ଡରେ ୧୧୪ଟି ଜଳସେବା ଶିବିରର ବ୍ୟବସ୍ଥା କରାଯାଇଛି। ପ୍ରତି ଜଳଛତ୍ରରେ ତିନିଟି ମାଠିଆ, ଗ୍ଲାସ୍ ଆଦି ରଖିବାକୁ କୁହାଯାଇଛି। ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହାର ପରିଚାଳନା କରୁଥିଲେ। ଏବେ ବିଭିନ୍ନ ଏନ୍ଜିଓଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ତିନି ମାସ ପାଇଁ ଏହି ଅସ୍ଥାୟୀ ଜଳସେବା ଶିବିର ଚାଲିବ। ଦାୟିତ୍ବ ନେଇଥିବା ଅଧିକାଂଶ ସଂସ୍ଥା ଠିକ୍ ଭାବେ ଏହି କାର୍ଯ୍ୟ ସମ୍ପାଦନ କରୁ ନଥିବା ଅଭିଯୋଗ ହୋଇଛି। ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦୈନିକ ୪୦୦ ଟଙ୍କା(ଜଳସେବା ଶିବିର ପିଛା) ଦେଇ ଏହାକୁ ପରିଚାଳନା କରାଯାଉଥିଲା। କିନ୍ତୁ ଏବେ ଏନ୍ଜିଓଙ୍କୁ ମାସିକ ପ୍ରତି ଜଳସେବା ଶିବିର ପିଛା ୨୫ ହଜାର ଟଙ୍କା ଦିଆଯାଉଛି। ଏମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ଏହି ଟଙ୍କା ଦିଆଯିବ। ଏଥି ପାଇଁ ବିଏମ୍ସି ଏକ ମାର୍ଗଦର୍ଶିକା ଜାରି ରହିଛି। ମାର୍ଗଦର୍ଶିକା ଅନୁଯାୟୀ ଦାୟିତ୍ବ ନେଇଥିବା ଏନ୍ଜିଓଗୁଡ଼ିକ ପଥଚାରୀଙ୍କୁ ଜଳସେବା ଶିବିରରେ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପାଣି ଯୋଗାଇଦେବେ। ଜଳସେବା ଶିବିରର ପରିବେଶ ସଫାସୁତୁରା ରହିବ ଏବଂ ସେଠାରେ ଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବ। କିନ୍ତୁ ବିଏମ୍ସିର ଏହି ମାର୍ଗଦର୍ଶିକାକୁ ଅଧିକାଂଶ ସଂସ୍ତା ମାନୁନାହାନ୍ତି। ଅନେକ ଜାଗାରେ ଜଳସେବା ଶିବିରରେ ମାଠିଆରୁ ପାଣି ସରିଗଲେ, ଆଉ ପାଣି ଭର୍ତ୍ତି କରାଯାଉନି।
ଏନ୍ଜିଓମାନଙ୍କୁ କାମ ଦେବା ନେଇ କର୍ପୋରେଟରମାନେ ବି ଅସନ୍ତୋଷ ପ୍ରକାଶ କରୁଛନ୍ତି। ବରିଷ୍ଠ କର୍ପୋରେଟର ନୃପେଶ ନାୟକ କହିଛନ୍ତି, କିଏ କାହା ଅନୁମତିରେ ଏନ୍ଜିଓମାନଙ୍କୁ ଜଳସେବା ଶିବିର ପରିଚାଳନା ଦାୟିତ୍ବ ଦେଲା, ତାହା ସନ୍ଦେହରେ। କାରଣ ଯାହା କିଛି ନିଷ୍ପତ୍ତି ହେବ, ତାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ଦାୟିତ୍ବ କର୍ପୋରେସନ୍ର। ନିୟମ କହୁଛି, ଏ ସଂପର୍କିତ ପ୍ରସ୍ତାବ ପ୍ରଥମେ ବିଏମ୍ସି ହେଲ୍ଥ କମିଟିକୁ ଆସିବ। ପରେ କର୍ପୋରେସନ୍ ବୈଠକରେ ଏହା ଅନୁମୋଦନ ଲାଭ କଲେ, ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଟେଣ୍ଡର୍ ଡକାଯାଇ ଜଳସେବା ଶିବିର କିଏ ନେବ ଚୂଡ଼ାନ୍ତ ହେବ। କିନ୍ତୁ ଜଳସେବା ଶିବିର ପରିଚାଳନା କ୍ଷେତ୍ରରେ ସେଭଳି କିଛି ହୋଇନି। ମନଇଚ୍ଛା ଟେଣ୍ଡର ଡକାଯାଇଛି। ଏବେ ଏହି ଶିବିରଗୁଡ଼ିକ ପରିଚାଳନାରେ ଏତେ ଅବ୍ୟବସ୍ଥା ଦେଖାଦେଇଛି ଯେ ବିଏମ୍ସି ବଦନାମ ହେଉଛି। ସାଧାରଣ ଲୋକ ତାହାର ସୁଫଳ ପାଉ ନାହାନ୍ତି।