ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ କମିସନରେଟ୍ ପୁଲିସ ଚଳିତ ବର୍ଷର ପ୍ରଥମ ଏନକାଉଣ୍ଟର କରିଛି। ଏଥିରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ ଜିତୁ(୪୦) ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜିତୁ ଘର କଟକ ଜିଲ୍ଲା ନିଆଳି ଥାନା ଶାସନପଡ଼ାରେ। ଏଠାରେ ବଡ଼ଗଡ଼ ଥାନା ଗୌତମନଗର ଅଞ୍ଚଳରେ ରହି ଅପରାଧିକ କାଣ୍ଡ ଘଟାଉଥିଲା। ଅନ୍ୟପଟେ ତା’ର ସହଯୋଗୀ ତୋଫାନୀ ରାଉତ(୪୬) ଓ ଅନ୍ୟତମ ଅଭିଯୁକ୍ତ ଜଗତସିଂହପୁର ପଟ୍ଟସରା ଅଞ୍ଚଳର ଭାଗିରଥୀ ସ୍ବାଇଁ(୪୪)ଙ୍କୁ ପୁଲିସ ଗିରଫ କରିଛି।
ଗତ ୧୮ ତାରିଖ ରାତିରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଶ୍ରୀ ଜୁଏଲାରି ମାଲିକ ରମାକାନ୍ତ ମହାରଣାଙ୍କ ଉପରକୁ ବୋମାମାଡ଼ ଘଟଣାର ଖୋଳତାଡ଼ କରୁକରୁ ପୁଲିସ ଜିତୁର ସମ୍ପୃକ୍ତି ଜାଣିବାକୁ ପାଇଥିଲା। ଖାରବେଳନଗର ଥାନା ପୁଲିସ ତା’ ଗତିବିଧି ଉପରେ ନଜର ରଖିଥିଲା। ଶନିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ସେ ଟଙ୍କପାଣି ରୋଡ୍ ଅଞ୍ଚଳରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଯୋଜନା ମୁତାବକ ଖାରବେଳନଗର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର ଓ ସ୍ପେସାଲ୍ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ପୁଲିସର ଦୁଇଟି ଟିମ୍ ଅପରେସନ୍ରେ ବାହାରି ଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଜିତୁର କାର୍କୁ ଠାବ କରିଥିଲେ। ଜିତୁ ପୁଲିସ ଭ୍ୟାନ୍ ଦେଖି ଫେରାର୍ ହେବାକୁ ଉଦ୍ୟମ କରିଥିଲା। ପୁଲିସ ଟିମ୍ କିଛି ବାଟ ଜିତୁକୁ ଗୋଡ଼ାଇବା ପରେ ସେ କାର୍କୁ ବାଙ୍କୁଆଳସ୍ଥିତ କୁଆଖାଇ ନଦୀପଠାରେ କାର୍ ଛାଡ଼ି ଦୌଡ଼ିଥିଲା। ପୁଲିସ ପିଛା କରୁଥିବା ଦେଖି ଜିତୁ ଖସିବା ପାଇଁ ପୁଲିସ ଉପରକୁ ୪ରାଉଣ୍ଡ ଗୁଳି କରିଥିଲା। ସୌଭାଗ୍ୟବଶତଃ ଗୋଟିଏ ବି ହେଲେ ଗୁଳି ପୁଲିସ ଦେହରେ ବାଜିନଥିଲା। ଆଇଆଇସି ପାଲଟା ୩ ରାଉଣ୍ଡ ଗୁଳି କରିଥିଲେ। ଗୋଟିଏ ଗୁଳି ଜିତୁ ବାମ ଗୋଡ଼ରେ ବାଜିବା ପରେ ସେ ପଡ଼ିଯାଇଥିଲା। ପୁଲିସ ଟିମ୍ ଘେରିଯାଇ ତାକୁ କାବୁ କରିବା ସହ ତା’ଠାରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ କାର୍କୁ ଜବତ କରିଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଭାଗିରଥୀ ଓ ତୋଫାନକୁ କୋର୍ଟ ଚାଲାଣ କରିଥିବା ବେଳେ ଜିତୁ ଚିକିତ୍ସାଧୀନ ଅଛି। ଜିତୁ ଗ୍ୟାଙ୍ଗର ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି।
/sambad/media/post_attachments/wp-content/uploads/2022/06/firing-ff.jpg)
୩୫ରୁ ଅଧିକ ଅପରାଧିକ ମାମଲା, ହାବିଲ୍ଦାରଙ୍କୁ କରିଥିଲା ଗୁଳି
ହତ୍ୟା ପାଇଁ ଜିତୁ ସୁପାରି ନେଉଥିଲା ଓ ନିଜେ ଗ୍ୟାଙ୍ଗ କରି ଡକାୟତି ଯୋଜନା କରୁଥିଲା। ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଚୋରି, ନିଶା କାରବାର ଏଭଳି ଅପରାଧରେ ସେ ସାମିଲ୍ ଥିଲା। ଦୀର୍ଘବର୍ଷ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ପୁଲିସର ନିଦ ହଜାଇ ଦେଇଥିଲା। ତା’ ଆତଙ୍କରେ ସାଧାରଣ ଲୋକ ଭୟଭୀତ ଥିଲେ। ଏମିତିକି ଅପରାଧ ଘଟାଇବା ସମୟରେ ପୁଲିସକୁ ବି ଛାଡ଼ୁନଥିଲା। ୨୦୧୧ ମସିହାରେ ଖାରବେଳନଗର ଥାନାର ଜଣେ ହାବିଲ୍ଦାରଙ୍କ ଉପରକୁ ଗୁଳିକରି ଖସିଯାଇଥିଲା। ରାଜଧାନୀରେ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ଅନୁଗୁଳରୁ ଆରମ୍ଭ କରି କଟକ, ଖୋର୍ଦ୍ଧା, ପୁରୀ ଆଦି ଅଞ୍ଚଳରେ ତା’ର ପ୍ରଭାବ ରହିଥିଲା। ଜିତୁ ନାଁରେ ବିଭିନ୍ନ ଥାନାରେ ୩୫ରୁ ଅଧିକ ଅପରାଧିକ ମାମଲା ଥିବା ତଦନ୍ତରୁ ଜଣାପଡ଼ିଛି।
ବୋମାମାଡ଼ ପଛରେ ପରକୀୟା ପ୍ରୀତି!ରାସ୍ତାରୁ ହଟାଇବାକୁ ୨ଲକ୍ଷ ଡିଲ୍
ୟୁନିଟ୍-୪ ଶ୍ରୀ ଜୁଏଲାରିର ମାଲିକ ରମାକାନ୍ତ ମହାରଣାଙ୍କ ଉପରକୁ ବୋମାମାଡ଼ ମାମଲାର ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଡକାୟତି ପାଇଁ ନୁହେଁ ବରଂ ପରକୀୟା ପ୍ରୀତି ଯୋଗୁଁ ବୋମାମାଡ଼ ହୋଇଥିବା କଥା ପଦାକୁ ଆସିଛି। ଗିରଫ ହୋଇଥିବା ଅଭିଯୁକ୍ତ ଭାଗିରଥୀର ପତ୍ନୀ ଶ୍ରୀ ଜୁଏଲାରିରେ କାମ କରୁଥିଲେ। ହେଲେ କୌଣସି କାରଣକୁ ନେଇ ଭାଗିରଥୀର ପତ୍ନୀଙ୍କ ଉପରେ ସନ୍ଦେହ ହୋଇଥିଲା। ଜୁଏଲାରି ମାଲିକ ରମାକାନ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ସନ୍ଦେହ କରିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହୋଇଥିଲା। ଏମିତିକି ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇଥିଲା। ସେବେଠାରୁ ଭାଗିରଥୀ ପ୍ରତିଶୋଧ ପରାୟଣ ହୋଇ ରମାକାନ୍ତଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଏଥିପାଇଁ ତୋଫାନୀକୁ ଡାକି ଘଟଣା ବିଷୟରେ କହିଥିଲା। ତୋଫାନୀର ଜିତୁ ସହ ସମ୍ପର୍କ ଥିବାରୁ ସେ ଏସବୁ କାମ କରିପାରିବ ବୋଲି କହିଥିଲା। ଡିଲ୍ ମୁତାବକ ୨୦୨୨ ମସିହାରେ ରମାକାନ୍ତଙ୍କୁ ପାନେ ଦେବା ପାଇଁ ଭାଗିରଥୀ ଠାରୁ ଜିତୁ ଓ ତୋଫାନୀ ୭୫ହଜାର ଟଙ୍କା ନେଇଥିଲେ। ୨୦୨୨ ମେ’ ୨୦ରେ ରମାକାନ୍ତ ଦୋକାନ ବନ୍ଦକରି ଘରକୁ ଫେରୁଥିବା ସମୟରେ ୟୁନିଟ୍-୪ ଏମ୍ବିଏ ସ୍କୁଲ୍ ନିକଟରେ ତାଙ୍କୁ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏତିକିରେ ଭାଗିରଥୀର ରାଗ ଥମିନଥିଲା। ତେଣୁ ପୁଣି ଥରେ ଉଭୟଙ୍କୁ ଡାକି ଡିଲ୍ କରିଥିଲା। ରମାକାକ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ୨ଲକ୍ଷ ଦେବାକୁ ଡିଲ୍ ହୋଇଥିଲା। ଅଗ୍ରୀମ ଆକାରରେ ଜିତୁ ଓ ତୋଫାନୀ ଏକ ଲକ୍ଷ ୭୫ ହଜାର ଟଙ୍କା ନେଇଥିଲେ। କାମ ସରିବା ପରେ ବାକି ୨୫ ହଜାର ଟଙ୍କା ନେଇଥାଆନ୍ତେ। ଯୋଜନା ମୁତାବକ ଗତ ୧୮ ତାରିଖ ରାତିରେ କାର୍ରେ ଜିତୁ, ତୋଫାନୀ ଏବଂ ସେମାନଙ୍କ ଦୁଇ ସହଯୋଗୀ ୟୁନିଟ୍-୪ରେ ଥିବା ଶ୍ରୀ ଜୁଏଲାରି ନିକଟକୁ ଆସି ଅପେକ୍ଷା କରିଥିଲେ। ରମାକାନ୍ତ ଜୁଏଲାରି ବନ୍ଦ କରି ଫେରୁଥିବା ବେଳେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ସୌଭାଗ୍ୟବଶତଃ ବୋମା ତାଙ୍କ ଗୋଡ଼ରେ ଲାଗିଥିଲା।
/sambad/media/post_attachments/wp-content/uploads/2023/03/prateek-singh-665x430.jpg)
ରାଜଧାନୀରେ ଡିସିପିଙ୍କ ଦ୍ବିତୀୟ ଏନ୍କାଉଣ୍ଟର
ପ୍ରତୀକ ସିଂ ଭୁବନେଶ୍ବର ଡିସିପି ଭାବେ ଯୋଗଦେବା ପରେ ୨୦୨୨ ମସିହା ମେ’ ୧୧ରେ କୁଖ୍ୟାତ ଅପରାଧୀ ଚକରାକୁ ଏନ୍କାଉଣ୍ଟର ହୋଇଥିଲା। ଚକରା ଗ୍ୟାଙ୍ଗ ଡକାୟତି ପାଇଁ ବରମୁଣ୍ଡା ପଡ଼ିଆରେ ଏକାଠି ହୋଇଥିବା ବେଳେ ସ୍ପେସାଲ୍ ସ୍କ୍ବାର୍ଡ ପୁଲିସ ଚକରାକୁ ଏନ୍କାଉଣ୍ଟର କରିଥିଲା। ଠିକ୍ ୧୦ ମାସ ପରେ ପୁଣି ରାଜଧାନୀରେ ଜିତୁକୁ ଏନ୍କାଉଣ୍ଟର ହୋଇଛି। ୧୦ମାସ ମଧ୍ୟରେ ଦୁଇ ଦୁଇଟି ଏନ୍କାଉଣ୍ଟର ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ଡିସିପି ଶ୍ରୀ ସିଂ କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ଆମେ ସର୍ବଦା ସଜାଗ ରହିଛୁ। କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଦାଗୀ ଅପରାଧୀଙ୍କ ତାଲିକା ହୋଇଛି। ସେମାନଙ୍କୁ କାବୁ ପାଇଁ ସମସ୍ତ ପଦକ୍ଷେପ ନେବାକୁ ପୁଲିସ ପ୍ରସ୍ତୁତ ରହିଛି।
ଟାୱାର୍ ଡମ୍ପ ଖୋଲିଥିଲା ଷଡ଼୍ଯନ୍ତ୍ରର ଗୁମର
ଜିତୁ ଗ୍ୟାଙ୍ଗ ପଛର ଗୁମର ଖୋଲିବା ପାଇଁ ପୁଲିସକୁ କସରତ କରିବାକୁ ପଡ଼ିଥିଲା। ବୋମାମାଡ଼ ପରେ ପୁଲିସ ଟାୱାର ଡମ୍ପରୁ କିଛି ନମ୍ବର ଚିହ୍ନଟ କରିଥିଲା। ଯେଉଁଥିରେ ଜିତୁ, ତୋଫାନୀ ଏବଂ ଅନ୍ୟ ଦୁଇ ସହଯୋଗୀ ଏକା ସ୍ଥାନରେ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ସେମାନଙ୍କ ସିଡିଆର୍ ରିପୋର୍ଟ ଯାଞ୍ଚ କରିଥିଲା। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ, ଭାଗିରଥୀ ମଧ୍ୟ ଏହି ନମ୍ବରଗୁଡ଼ିକ ସହ ବାରମ୍ବାର ଯୋଗାଯୋଗ କରିଥିଲା। ପରେ ପୁଲିସ ପୂର୍ବ ଘଟଣା ଗୁଡ଼ିକୁ ନେଇ ମଧ୍ୟ ତଦନ୍ତ କରିଥିଲା। ସେଥିରେ ବି ଭାଗିରଥୀ, ତୋଫାନୀ ଏବଂ ଜିତୁ ବାରମ୍ବାର ଯୋଗାଯୋଗରେ ରହିଥିଲେ। ଏମିତିକି ୨୦୨୨ରେ ରମାକାନ୍ତଙ୍କୁ ଆକ୍ରମଣ ସମୟରେ ଜିତୁ, ତୋଫାନୀ ଏବଂ ଭାଗିରଥୀଙ୍କ ନମ୍ବର ଗୋଟିଏ ସ୍ଥାନରେ ଥିଲା। ସମସ୍ତ ଘଟଣାରେ ସେମାନଙ୍କ ସମ୍ପୃକ୍ତି ପୁଲିସକୁ ତଦନ୍ତରେ ସହଯୋଗ କରିଥିଲା।