କୁଖ୍ୟାତ ଜିତୁ ଏନ୍କାଉଣ୍ଟର ମାମଲା: ଚାଲିଛି କାର୍, ବ୍ୟାଙ୍କ ଆକାଉଣ୍ଟ, ବାଲିଘାଟର ଖୋଳତାଡ଼
ଜିତୁ ଗ୍ୟାଙ୍ଗ୍ ପଛରେ ପୁଲିସ
ଭୁବନେଶ୍ବର: କୁଖ୍ୟାତ ଜିତେନ୍ଦ୍ର ପଲେଇ ଓରଫ୍ ଜିତୁକୁ ଏନ୍କାଉଣ୍ଟର କରିବା ପରେ କମିସନରେଟ୍ ପୁଲିସ ତା’ ସାମ୍ରାଜ୍ୟ ବାବଦରେ ଖୋଳତାଡ଼ ଆରମ୍ଭ କରିଛି। ସାରା ରାଜ୍ୟରେ ଜିତୁ କେଉଁ ସବୁ ଗ୍ୟାଙ୍ଗ୍ ସହ ମିଶୁଥିଲା, କି ପ୍ରକାର କଳା ବେପାରରେ ତା’ର ସମ୍ପୃକ୍ତି ଥିଲା, ସେସବୁ ବାବଦରେ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ଗତକାଲି ଏନ୍କାଉଣ୍ଟର ସ୍ଥଳରୁ ଜବତ ହୋଇଥିବା କାର୍ ବାବଦରେ ଏବଂ ତା’ର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି। ଏଣେ ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଜିତୁ ଗ୍ୟାଙ୍ଗ୍ର ପିଛା କରିବା ଆରମ୍ଭ କରିଥିବା ଜଣାପଡ଼ିଛି। କଟକ ନିଆଳି ଅଞ୍ଚଳର ଜିତୁ ବଡ଼ଗଡ଼ ଥାନା ଗୌତମନଗରରେ ରହୁଥିଲେ ବି ତା’ ଅପରାଧର ଚେର ବାଲେଶ୍ବରରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ଦାଦାବଟି, ବାଲିଘାଟ କାରବାର, ଡକାୟତି, ଲୁଟ୍ ଓ ସୁପାରି ନେଇ ପ୍ରାଣାନ୍ତକ ଆକ୍ରମଣ କରିବା ଭଳି ସଂଗିନ୍ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜିତୁ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ସୂଚନା ମିଳିଛି।
ଏହା ଭିତରେ ଜିତୁର ବାଲିଘାଟ କାରବାରକୁ ନେଇ କିଛି ତଥ୍ୟ ପୁଲିସ ହାତରେ ଲାଗିଛି। ବାଲେଶ୍ବର ସିମୁଳିଆ ଅଞ୍ଚଳରେ ସେ ଏକ ବାଲିଘାଟରେ ସାମିଲ୍ ଥିବା ଜଣାପଡ଼ିଛି। ଯଦି ବାଲିଘାଟ ବେପାରରେ ତା’ର ଭାଗିଦାରୀ ଥିବା ଜଣାପଡ଼େ, ତେବେ ଉକ୍ତ ବାଲିଘାଟ ଲିଜ୍କୁ ରଦ୍ଦ କରାଯିବ। ଯେଉଁ ସବୁ ଜିଲ୍ଲାରେ ତାର ଦବ୍ଦବା ଥିଲା, ସେଠି ତାକୁ କେଉଁମାନେ ସହଯୋଗ କରୁଥିଲେ, ସେନେଇ ପୁଲିସ ମୋବାଇଲ୍ରୁ ତଥ୍ୟ ସଂଗ୍ରହ କରୁଛି। ତା’ର ଆର୍ଥିକ କାରବାର ବାବଦରେ ଜାଣିବାକୁ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ପୁଲିସ ଚିଠି କରିବାକୁ ଯୋଜନା କରିଛି। ସେହିଭଳି କାର୍ ବାବଦରେ ସମ୍ପୃକ୍ତ ଗାଡ଼ି ନମ୍ବରକୁ ନେଇ ପୁଲିସ ଆର୍ଟିଓଙ୍କୁ ଚିଠି କରିଛି। କାର୍ ମାଲିକାନାରୁ ପୁଲିସକୁ ବହୁ ତଥ୍ୟ ମିଳିବା ସମ୍ଭାବନା ରହିଛି।
ପ୍ରକାଶ ଥାଉକି ଗତ ୧୮ ତାରିଖ ରାତିରେ ଖାରବେଳନଗର ଥାନା ଅଞ୍ଚଳରେ ଶ୍ରୀଜୁଏଲାରି ମାଲିକ ରମାକାନ୍ତ ମହାରଣାଙ୍କ ଉପରକୁ ହୋଇଥିବା ବୋମାମାଡ଼ ମାମଲାରେ ଜିତୁର ସମ୍ପୃକ୍ତି ଥିଲା। ଖାରବେଳନଗର ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ତାକୁ ପିଛା କରୁଥିବା ବେଳେ ଶନିବାର ବିଳମ୍ବିତ ରାତି ପାଖାପାଖି ସାଢ଼େ ୧ଟା ସମୟରେ ସେ ଟଙ୍କପାଣି ରୋଡ୍ ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ତୁରନ୍ତ ଖାରବେଳନଗର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର ଓ ସ୍ପେସାଲ୍ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ପୁଲିସର ଦୁଇଟି ଟିମ୍ ତାକୁ ଗିରଫ କରିବାକୁ ଯାଇ ଏନ୍କାଉଣ୍ଟର କରିଥିଲେ। ତା’ଠାରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ କାର୍ ଜବତ କରାଯାଇଥିଲା।