ଚନ୍ଦକା-ବାରଙ୍ଗ ରାସ୍ତାରେ ଏନ୍‌କାଉଣ୍ଟର: ଦ୍ବିତୀୟଥର ସେକ୍‌ ବାବୁକୁ ଗୁଳି, ୨୦୧୭ରେ ସିସୋର ପଠାରେ ଖାଇଥିଲା ଗୁଳି

ବନ୍ଧୁକ, ଗୁଳି, ବାଇକ୍‌ ଜବତ, ଆନନ୍ଦ ସ୍ପୋର୍ଟସ୍‌ ମାଲିକଙ୍କୁ ଧମକ ମାମଲାରେ ଫେରାର ଥିଲା

କଟକ/ମହାନଦୀବିହାର: ଗ୍ୟାଙ୍ଗଷ୍ଟର‌୍‌ ସକିଲର ପ୍ରମୁଖ ସହଯୋଗୀ ସେକ୍‌ ବାବୁ ଓରଫ ବରେନ୍‌ ବାବୁ ଦ୍ବିତୀୟ ଥର ପୁଲିସ୍‌ ଏନକାଉଣ୍ଟର‌୍‌ର ଶିକାର ହୋଇଛି। ଚନ୍ଦକାରୁ ବାରଙ୍ଗ ଆଡ଼କୁ ଏକ ସ୍କୁଟିରେ ଆସୁଥିବା ବେଳେ ଦରଘାବଜାର ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍‌ ମିଳିତ ଚଢ଼ଉ କରି ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ସେ କିନ୍ତୁ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କଲା ବେଳେ ପୁଲିସ ପାଲଟା ଗୁଳି ଫୁଟାଇଥିଲା। ପୁଲିସର ଗୁଳି ବାବୁର ବାମ ଗୋଡ଼ରେ ବାଜିଛି। ଅନ୍ୟପଟେ ବାବୁର ଗୁଳିମାଡ଼ରେ ସ୍ପେସାଲ ସ୍କ୍ବାଡ୍‌ ହାବିଲଦାର‌୍‌ ତୋଫାନ ବେହେରା ଆହତ ହୋଇଛନ୍ତି। ପୁଲିସ ଆହତ ବାବୁକୁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର‌୍‌ ସକିଲର‌୍‌ ଖାସ୍‌ ସହଯୋଗୀ ସେକ୍‌ ବାବୁ ଆଜି ରାତି ପ୍ରାୟ ୯ଟା ୪୦ ବେଳେ ଏକ ହୋଣ୍ତା ଆକ୍ଟିଭା ସ୍କୁଟି(ଓଡି ୧୩ ବି ୭୯୯୯)ରେ କଟକ ଆଡ଼କୁ ଆସୁଥିବା କମିସନରେଟ୍‌ ପୁଲିସ ଖବର ପାଇଥିଲା। ଶେଖ ବଜାରରେ ଜଣେ ସହଯୋଗୀକୁ ସେ ଭେଟିବାକୁ ଆସିଥିଲା। ଦରଘାବଜାର ଥାନା ଆଇଆଇସି ପ୍ରଦୀପ କୁମାର ଜେନା ଏବ˚ ସ୍ପେସାଲ ସ୍କ୍ବାଡ୍‌ର ଏସିପି ଅଜୟ ଦାସଙ୍କ ନେତୃତ୍ବରେ ଏକ ଟିମ୍‌ ଚନ୍ଦକା-ବାରଙ୍ଗା ରାସ୍ତାର ଇଏସ୍‌ଆଇ ହସପିଟାଲ୍‌ ନିକଟରେ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲା। ବାବୁ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କଲା ବେଳେ ଶ୍ରୀ ଜେନା ନିଜ ସର୍ଭିସ୍‌ ପିସ୍ତଲ୍‌ରୁ ଗୁଳି ଚାଳନା କରିଥିଲେ। ପୁଲିସର ଗୁଳି ମାଡ଼ରେ ବାବୁ ସ୍କୁଟି ସହିତ ତଳେ ପଡ଼ି ଯାଇଥିଲା। ପୁଲିସ ବାବୁ ନିକଟରୁ ଏକ ୯ ଏମଏମ୍‌ ପିସ୍ତଲ, ଗୋଟିଏ ରାଉଣ୍ଡ ଗୁଳି ଏବ˚ ଆକ୍ଟିଭା ସ୍କୁଟି ଜବତ କରିଛି।

କ୍ୟାଣ୍ଟନମେଣ୍ଟ ଥାନା ପେନସନ୍‌ ଲେନ୍‌ ଅଞ୍ଚଳର ବାବୁ ନାଁରେ ଦରଘାବଜାର ଥାନାରେ ୨୦୧୯ରେ ଏକ ମାମଲା(କେସ୍‌ ନ˚ ୧୧୬) ରୁଜୁ ହୋଇଥିଲା। ସେତେବେଳେ ଚୌଦ୍ବାର ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ସକିଲ୍‌ର ନିର୍ଦ୍ଦେଶ ମୁତାବକ ୨୦୧୯ ଡିସେମ୍ବର ୧୨ ତାରିଖରେ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍‌ ମାଲିକ ସୂରଜ ଅଗ୍ରଵାଲ୍‌ଙ୍କୁ ରାତି ପ୍ରାୟ ୯ଟା ବେଳେ ୧୦ ଲକ୍ଷ ଟଙ୍କା ବଟି ମାଗିବାକୁ ଆସିଥିଲା। ବାବୁ ଦୋକାନ ବାହାରେ ଛିଡ଼ା ହୋଇ ଅନ୍ୟ ଜଣେ ସହଯୋଗୀ ମାଧ୍ୟମରେ ବନ୍ଧୁକ ଦେଇ ଦୋକାନ ଭିତରକୁ ପଠାଇଥିଲା। ଏହି ମାମଲାରେ ସକିଲ୍‌ର ବାପା, ଭାଇ, ଦୁଇ ଗାର୍ଲଫ୍ରେଣ୍ଡଙ୍କ ସମେତ ମୋଟ ୧୪ ସହଯୋଗୀଙ୍କୁ ଦରଘାବଜାର ଥାନା ପୁଲିସ ଗିରଫ କରିଥିଲା। କିନ୍ତୁ ସେବେଠାରୁ ବାବୁ ଫେରାର୍‌ ଥିଲା।
କମିସନରେଟ୍‌ ପୁଲିସର ସୂଚନା ଅନୁଯାୟୀ, ବାବୁର ଅପରାଧ ରେକର୍ଡ ବହୁତ ଲମ୍ବା। କଟକ କମିସନରେଟ୍‌ ପୁଲିସରେ ତା’ ବିରୋଧରେ ମୋଟ ୨୦ଟି ଆପରାଧିକ ମାମଲା ରହିଛି। ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ, ଗୁଳି, ବୋମା ମାଡ଼ ଭଳି ସ˚ଗିନ ମାମଲା ବାବୁ ବିରୋଧରେ ରହିଛି। ବାବୁ ୨୦୧୭ ଏପ୍ରିଲ ୧୭ ତାରିଖରେ ମଙ୍ଗଳାବାଗ ଥାନା ଆଇଆଇସି ଦ୍ବାରା ଏନ୍‌କାଉଣ୍ଟରର ଶିକାର ହୋଇଥିଲା। ସେଦିନ ରାତି ୮ଟା ୪୫ରେ ଏନକାଉଣ୍ଟର ହୋଇଥିଲା। ବାବୁ ଓ ଗ୍ୟାଙ୍ଗଷ୍ଟର ସକିଲ୍‌ ସିସୋର‌୍‌ ପଠାରେ ଥିବା ଏକ ମନ୍ଦିର ନିକଟରେ ବସିଥିଲେ। କେତେଜଣ ବ୍ୟବସାୟୀଙ୍କୁ ଧମକ ଦେଇ ବଟି ମାଗିଥିବା ମଙ୍ଗଳାବାଗ ଥାନା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ତତ୍କାଳୀନ ଏସିପି ପ୍ରମୋଦ ରଥ ଓ ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ ସ୍ବାଇଁଙ୍କ ନେତୃତ୍ବରେ ସକିଲ୍‌ ଓ ବାବୁଙ୍କୁ ଚାରି ପଟୁ ଘେରି ଯାଇ ଏନ୍‌କାଉଣ୍ଟର୍‌ କରିଥିଲେ।

ଫାରୁକ୍‌ ହତ୍ୟାକାଣ୍ତରେ ଗୁଳି ଫୁଟାଇଥିଲା ବାବୁ

କଟକ: ଏବେ ଗ୍ୟାଙ୍ଗଷ୍ଟର୍‌ ସକିଲର ଖାସ୍‌ ସହଯୋଗୀ ପାଲଟିଥିବା ସେକ୍‌ ବାବୁ ଗୋଟିଏ ସମୟରେ ଧଳସାମନ୍ତ ଗ୍ୟାଙ୍ଗର ବିଶ୍ବସ୍ତ ଥିଲା। ୨୦୧୪, ନଭେମ୍ବର ୧୧ ତାରିଖରେ ବହୁ ଚର୍ଚ୍ଚିତ ମାଲ୍‌ଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ୍‌ ଫାରୁକ୍‌ ତୟବଙ୍କୁ ଗୁଳିମାଡ଼ ଘଟଣାରେ ବାବୁ ବି ସାମିଲ୍‌ ଥିଲା। ଘଟଣାସ୍ଥଳରେ ଫାରୁକ୍‌ଙ୍କ ମୃତ୍ୟୁ ହୋଇଥିଲା। ଗ୍ୟାଙ୍ଗଷ୍ଟର ସକିଲ୍‌ ୨୦୧୪ରେ ଚୌଦ୍ବାର ଜେଲ୍‌ରେ ଥିବା ସମୟରେ ତାକୁ ଜେଲ୍‌ ଭିତରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜେଲ୍‌ କର୍ମଚାରୀଙ୍କୁ ବାବୁ ଧମକ ଦେଇଥିଲା। କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ସହଯୋଗ ନ କରିବାରୁ ବାବୁ ଓ ଅନ୍ୟ ସହଯୋଗୀମାନେ ୨୦୧୪ ଡିସେମ୍ବର ୨୬ ତାରିଖରେ ଚୌଦ୍ବାର ଜେଲ୍‌ ବାହାରେ ୩ଟି ବୋମା ଫୁଟାଇଥିଲେ। ୨୦୧୭, ଫେବ୍ରୁଆରି ୨୧ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ବିଜେଡି କର୍ମୀ ବାଙ୍କୀ ନିର୍ବାଚନୀ ସଫଳତା ପାଇଁ ବାଣ ଫୁଟାଇବାକୁ ଯୋଜନା କରୁଥିଲେ। ଏହି ସମୟରେ ସକିଲ୍‌ ଓ ବାବୁଙ୍କ ସମେତ ୪୦ ଅପରାଧୀ ସ˚ଘବଦ୍ଧ ଭାବେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫କର୍ମୀ ଆହତ ହୋଇଥିଲେ। ୨୦୧୭, ମାର୍ଚ୍ଚ ୨୪ ତାରିଖରେ ବଟି ଆଦାୟକୁ ନେଇ କେଶରପୁର ସାହି ମୁରବୀ କାଦର‌୍‌ ନୁର‌୍‌ଙ୍କ ଘର ଉପରକୁ ବୋମାମାଡ଼ ଏବ˚ ସାହି ସମ୍ପାଦକ ମହମ୍ମଦ ସାଜନ୍‌ଙ୍କୁ ବୋମା ମାରି ମୁହଁ ଫଟାଇବା ଘଟଣାରେ ସକିଲ ଓ ବାବୁଙ୍କ ସମ୍ପୃକ୍ତ ଥିଲା। ୨୦୧୭, ମାର୍ଚ୍ଚ ୨୭ ତାରିଖରେ କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌ ଓପିଏସ୍‌ସି କାର୍ଯ୍ୟାଳୟ ରାସ୍ତାରେ ଯୁବ ବ୍ୟବସାୟୀ ରିକି ଓରଫ ସେକ୍‌ ଜଲାଲ୍‌ ଦୁଇ ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ି ଆକ୍ଟିଭାରେ ଫେରୁଥିଲେ। ଏହି ସମୟରେ ସକିଲ୍‌ ଓ ବାବୁଙ୍କ ସମେତ ଅନ୍ୟ ସହଯୋଗୀ ରାସ୍ତାରେ ତାଙ୍କୁ ଅଟକାଇ ଗୁଳିମାଡ଼ କରିଥିଲେ। ୨୦୧୭ ମାର୍ଚ୍ଚ ୨୭ ତାରିଖରେ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରିକି ଓରଫ ସେକ୍‌ ଜଲାଲ ଉପରକୁ ବାବୁ ଓ ସକିଲ୍‌ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ସେହି ଘଟଣା ପରେ ସେମାନେ ସହର ଛାଡି ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର