ଭୁବନେଶ୍ବର: କିଛି ବର୍ଷ ହେଲା ରାଜଧାନୀରେ ଅନ୍ତଃରାଜ୍ୟ ଲୁଟେରାମାନେ ଆଡ଼ା ଜମାଇବାରେ ଲାଗିଛନ୍ତି। ପୂର୍ବରୁ ଆନ୍ଧ୍ରପ୍ରଦେଶର ଏରାଗୋଲା ଗ୍ୟାଙ୍ଗ୍ ଓଡ଼ିଶାର ବିଭିନ୍ନ ସହରରେ ଲୁଟ୍ତରାଜ କରୁଥିଲେ। କିନ୍ତୁ ଏବେ ପ୍ରାୟ ବର୍ଷେ ହେଲା ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଗ୍ୟାଙ୍ଗ୍ ଓଡ଼ିଶାରେ ମାତିଲେଣି। ନିକଟରେ ପୁଲିସ ହାତରେ ଧରାପଡ଼ିଥିବା କିଛି ଗ୍ୟାଙ୍ଗ୍ ଏହାର ଉଦାହରଣ। ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ଏଟିଏମ୍ ତଡ଼ା ଗ୍ୟାଙ୍ଗ୍ ତଥା ରାଜୁ-ରୁସ୍ତମ ଯୋଡ଼ି କମିସନରେଟ୍ ପୁଲିସ ହାତରେ ଧରାପଡ଼ିଛି। ଭୁବନେଶ୍ବରର ଭିକି ଗ୍ୟାଙ୍ଗ୍ ସହ ମିଶି ରାଜୁ-ରୁସ୍ତମ ଯୋଡ଼ି ଧଉଳି ଓ ଲିଙ୍ଗରାଜ ଥାନା ଅଞ୍ଚଳରୁ ୨ଟି ଏଟିଏମ୍ ତାଡ଼ି ନେଇଥିଲେ। ସେହିଭଳି ରାଜଧାନୀ ଉପକଣ୍ଠରେ ଧଉଳି, ପାହାଳ ଓ ବାଲିଅନ୍ତା ଥାନା ଅଞ୍ଚଳର ବିଭିନ୍ନ ଆପାର୍ଟମେଣ୍ଟରୁ ସିନ୍ଧିଚୋରି କରୁଥିବା ଗ୍ୟାଙ୍ଗ୍ ମଧ୍ୟ ଠାବ ହୋଇଛି। ପ୍ରାୟ ୭୦ ମାମଲା ପରେ ପୁଲିସ ମଧ୍ୟପ୍ରଦେଶର ଧର୍ ଜିଲ୍ଲାରୁ ଆସିଥିବା ଗ୍ୟାଙ୍ଗ୍କୁ ଚିହ୍ନଟ କରିଥିଲା। କିନ୍ତୁ ଗ୍ୟାଙ୍ଗ ମୁଖିଆ ଅର୍ଜୁନ ଅନାରେ ଓ ତା’ର ସହଯୋଗୀମାନେ ପୁଲିସକୁ ଗୁଳିମାଡ଼ କରି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା। ତେଣୁ ପୁଲିସ ପାଲଟା ଗୁଳିମାଡ଼ କରିଥିଲା। ଫଳରେ ମଧ୍ୟପ୍ରଦେଶର ଧର୍ ଗ୍ୟାଙ୍ଗ୍ ମୁଖିଆ ଅର୍ଜୁନ ଅନାରେ ଆହତ ହୋଇଥିଲା। ଏହାପରେ ପାଳି ପଡ଼ିଛି ବିହାରୀ ଲୁଟେରା ଦୀପକ କୁମାରର। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାକୁ ଏନ୍କାଉଣ୍ଟର କରିଛି। ତେଣୁ ରାଜଧାନୀରେ ଡେରା ପକାଇଥିବା ଅନ୍ତଃରାଜ୍ୟ ଲୁଟେରାମାନଙ୍କୁ ସାବାଡ଼ କରିବାକୁ ପୁଲିସ ଏନ୍କାଉଣ୍ଟର ଭଳି ଚରମ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି।
ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳର ଏକ ଏଟିଏମ୍ରୁ ଲୁଟ୍ପାଟ୍ କରୁଥିବା ବେଳେ ପୁଲିସ ସହ ଦୀପକ ଗ୍ୟାଙ୍ଗ୍ର ମୁହାଁମୁହିଁ ହୋଇଥିଲା। ପୁଲିସ ଉପରକୁ ଗୁଳିମାଡ଼ କରି ଏହି ବିହାରୀ ଗ୍ୟାଙ୍ଗ୍ ଖସିଯିବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସର ପାଲଟା ଗୁଳିମାଡ଼ରେ ଗ୍ୟାଙ୍ଗ୍ ଲିଡର୍ ଦୀପକ ଆହତ ହୋଇଥିଲା ଏବଂ ତା’ର ଦୁଇ ସହଯୋଗୀ ଦୀପକ ପାଣ୍ଡେ ଓ ଅଭିଷେକ ସିଂ ଧରାପଡ଼ିଯାଇଥିଲେ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ଏକ ଟାଟା ହାରିଅର୍ ଗାଡ଼ି ଓ ୧୨ ହଜାର ଟଙ୍କା ଜବତ କରାଯାଇଛି। ବଡ଼ କଥା ହେଉଛି ଏହି ଗ୍ୟାଙ୍ଗ୍ ସହ ସାଇବର ଲୁଟେରାଙ୍କ ସମ୍ପର୍କ ରହିଛି।
ବିହାର ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍
ଏହି ଗ୍ୟାଙ୍ଗ୍ ବିହାର ଓ ଝାରଖଣ୍ଡରେ ବେଶ୍ ସକ୍ରିୟ ଥିଲା। ଏଟିଏମ୍ରୁ ଲୁଟ୍ପାଟ କରି ପୁଲିସ ଆଖିରୁ ନିଦ ହଜେଇ ଦେଇଥିଲା। ତେଣୁ ବିହାର ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍ ଥିବା ଏହି ଗ୍ୟାଙ୍ଗକୁ ଠାବ କରିବାକୁ ପାଇଁ ବିହାରରେ ଗାଁଠାରୁ ଆରମ୍ଭ କରି ସହରରେ ଫଟୋ ଓ ପୋଷ୍ଟର୍ ଲଗାଯାଇଥିଲା। ମାତ୍ର ପୁଲିସର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ଏହି ଗ୍ୟାଙ୍ଗ୍ ହାରିଅର୍ ଗାଡ଼ିରେ ବୁଲିବୁଲି ସ୍ଥାନ ବଦଳାଉଥିଲେ। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଯାଇ ଲୁଟୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂର୍ବରୁ ଏହି ଗ୍ୟାଙ୍ଗ୍ ଓଡ଼ିଶା ଆସି ଲୁଟ୍ପାଟ୍ କରିଥିଲା। ୨୦୨୪ ମସିହାରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ଏଟିଏମ୍ରୁ ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଅନ୍ୟ ଏକ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟିଥିଲେ। କିନ୍ତୁ ପୁଲିସ ଛାନ୍ଭିନ୍ ପୂର୍ବରୁ ସେମାନେ ଓଡ଼ିଶା ଛାଡ଼ି ପଳାଇଥିଲେ।
ଜଗନ୍ନାଥଧାମରୁ ଚୋରି ନ କରିବାକୁ କହିଥିଲେ ପ୍ରେମିକା
ବାରମ୍ବାର ଲୁଟ୍ପାଟ କରୁଥିବା ଜାଣିବା ପରେ ଦୀପକର ପ୍ରେମିକା ଚିନ୍ତିତ ହୋଇପଡ଼ିଥିଲେ। ଚୋରି ନ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। ଦୀପକ ପୁରୀ ଆସିଥିବା ଜାଣିବା ପରେ ପ୍ରେମିକା ତାକୁ ଗୋଡ଼େଗୋଡ଼େ ବାରଣ କରିଥିଲେ। ଜଗନ୍ନାଥଧାମରୁ ଚୋରିକଲେ ଭଲ ହେବନି ବୋଲି ବାରମ୍ବାର ହ୍ବାଟ୍ସଆପ୍ରେ ମେସେଜ୍ କରି ଚେତାଇଥିଲେ। ପ୍ରେମିକାଙ୍କ ଏହି ଚାଟିଂ ପୁଲିସ ହାତରେ ଲାଗିଛି।
ଏଟିଏମ୍ରେ ଅଠା ଲଗାଇ ଗ୍ରାହକଙ୍କୁ ଫସାଉଥିଲେ
ଏହି ଦଳ ମୁଖ୍ୟତଃ ସହର ଉପକଣ୍ଠର ଜନଗହଳି ନଥିବା ଏଟିଏମ୍କୁ ଟାର୍ଗେଟ୍ କରନ୍ତି। ପ୍ରଥମେ ମେସିନ୍ ନିକଟରେ ଏକ ଜାଲ୍ କଷ୍ଟମର୍ କେୟାର୍ ନମ୍ବର ଲଗାଇଦିଅନ୍ତି। ଏହାପରେ ମେସିନ୍ ଭିତରେ ଅଠା ଲଗାଇଥାଆନ୍ତି। କେହି କାର୍ଡ ଭର୍ତ୍ତି କରିବା ମାତ୍ରେ ତାହା ଲାଗିରହିଯାଏ। କାର୍ଡ ନ ବାହାରିବାରୁ ଗ୍ରାହକ ବିଚଳିତ ହୋଇପଡ଼ନ୍ତି। ଏହି ମଉକାରେ ପୂର୍ବରୁ ସେଠାରେ ଛକି ରହିଥିବା ଗ୍ୟାଙ୍ଗ୍ର ଜଣେ ସଦସ୍ୟ ତାଙ୍କ ପାଖକୁ ଯାଇ କଥା ଛଳରେ ଉକ୍ତ କଷ୍ଟମର୍ କେୟାର୍ ନମ୍ବରରେ ଯୋଗାଯୋଗ କରିବାକୁ ବୁଝାଏ। ସେଇଟି ସାଇବର ଲୁଟେରାଙ୍କ ନମ୍ବର ବୋଲି ବିଚଳିତ ଗ୍ରାହକ ବୁଝିପାରେନାହିଁ। ସେହି ନମ୍ବରରେ କଥା ହେବା ଭିତରେ ସାଇବର ଲୁଟେରା ନେଟ୍ୱାର୍କ ଭଲ ନାହିଁ କହି ଗ୍ରାହକଙ୍କୁ ଏଟିଏମ୍ ବାହାରକୁ ଆସିବାକୁ ନିର୍ଦ୍ଦେଶ ଦିଏ। ଗ୍ରାହକଜଣକ ଏଟିଏମ୍ ଭିତରୁ ବାହାରିବା ମାତ୍ରେ ପରାମର୍ଶ ଦେଇଥିବା ଲୁଟେରା ଛୁରିରେ ମେସିନ୍ରୁ କାର୍ଡ ବାହାର କରିନିଏ। ସେପଟେ ସାଇବର ଲୁଟେରା କଥା ଛଳରେ ଗ୍ରାହକଙ୍କ କାର୍ଡ ନମ୍ବର ଓ ପାସ୍ୱାଡ୍ ନେଇଯାଏ ଏବଂ କାର୍ଡକୁ ଅଚଳ କରାଗଲା ବୋଲି ବୁଝାଇଦିଏ। ତେଣୁ ଗ୍ରାହକଜଣକ ସେଠାରୁ ଚାଲିଯାଏ। ଏହାପରେ ଏଟିମଏମ୍ ଭିତରେ ଥିବା ଲୁଟେରା ତାଙ୍କ କାର୍ଡ ବ୍ୟବହାର କରି ସପିଂ ବା ଟ୍ରାନ୍ସଫର୍ କରି ଟଙ୍କା ଉଠାଇଦିଅନ୍ତି।
୩ବର୍ଷରେ ୪ ଏନ୍କାଉଣ୍ଟର, ମାସକରେ ୨
ଗତ ୨୦୨୨ ମସିହା ମେ’ ୧୧ରେ କୁଖ୍ୟାତ ଅପରାଧୀ ଚକରା ବାରିକକୁ ଏନ୍କାଉଣ୍ଟର କରାଯାଇଥିଲା। ଚକରା ଗ୍ୟାଙ୍ଗ ଡକାୟତି ପାଇଁ ବରମୁଣ୍ଡା ପଡ଼ିଆରେ ଏକାଠି ହୋଇଥିବା ବେଳେ ସ୍ପେଶାଲ୍ ସ୍କ୍ବାଡ୍ ପୁଲିସ ଚକରାକୁ ଏନ୍କାଉଣ୍ଟର କରିଥିଲା। ଠିକ୍ ୧୦ ମାସ ପରେ ଅର୍ଥାତ ୨୦୨୩ ମାର୍ଚ୍ଚ ୨୫ ତାରିଖ ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲ୍ଲେଇ ଓରଫ ଜିତୁକୁ ଏନ୍କାଉଣ୍ଟର କରାଯାଇଥିଲା। ଏନ୍କାଉଣ୍ଟରର ୯ମାସ ପରେ ପୁଣି ଡିସେମ୍ବର ୨୮ ତାରିଖରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଓରଫ ରଘୁକୁ ଏନ୍କାଉଣ୍ଟର କରାଯାଇଥିଲା। ଦୁଇ ବର୍ଷ ପରେ ଗତ ଫେବ୍ରୁଆରି ୧୬ ତାରିଖ ରାତିରେ ଚଳିତ ବର୍ଷର ପ୍ରଥମ ତଥା ୪ର୍ଥ ଏନ୍କାଉଣ୍ଟର କରାଯାଇଥିଲା। କମିସନରେଟ୍ ପୁଲିସର ଏଭଳି ପଦକ୍ଷେପ ପରେ ଅପରାଧୀଙ୍କ ଭିତରେ ଛନକା ପଶିଛି।
ବିହାର ଯିବ ପୁଲିସର ସ୍ପେସାଲ୍ ଟିମ୍
ଏହି ଗ୍ୟାଙ୍ଗ୍ର ଚେର ଉପାଡ଼ିବାକୁ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବିହାର ଯିବ। ଏହି ଟିମ୍ ଦୀପକ ଗ୍ୟାଙ୍ଗ୍ର ଆପରାଧିକ ଇତିହାସ ଯାଞ୍ଚ କରିବ। ସେହିପରି ଅନ୍ୟ ରାଜ୍ୟ ପୁଲିସ ସହ ମଧ୍ୟ ଯୋଗାଯୋଗ କରି ଏହି ଗ୍ୟାଙ୍ଗ୍ର ସଦସ୍ୟମାନଙ୍କ ସମ୍ପର୍କରେ ତଥ୍ୟ ହାତେଇବ। ସେମାନଙ୍କ ଘରେ ଚଢ଼ଉ କରାଯିବ। ଏମିତିକି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଡିସିପି ଜଗମୋହନ ମିନା କହିଛନ୍ତି। ଏଥିପାଇଁ ସେ ନୱାଦା ଏସ୍ପିଙ୍କ ସହ ଯୋଗାଯୋଗ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।