ଉତ୍ସାହିତ ବସ୍ତି ଭୋଟର: ମିଳିଲା ପ୍ରତିଶ୍ରୁତି, ଭୋଟ୍‌ ଦେଲେ ଜାଗମରାବାସୀ

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ରାଜଧାନୀରେ ମତଦାନ ହାର ୫୦% ଟପିଲା ନାହିଁ। ବହୁ ଶିକ୍ଷିତ ଭୋଟର ମତାଧିକାର ସାବ୍ୟସ୍ତ କରିବାରୁ ଦୂରେଇ ରହିଲେ। ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଆସିଲେ ନାହିଁ। ଯେଉଁଥିପାଇଁ ମତଦାନ ହାର ମାତ୍ର ୪୩%ରେ ସୀମିତ ରହିଗଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ୭ ଲକ୍ଷ ୨୫ ହଜାର ଭୋଟରଙ୍କ ମଧ୍ୟରୁ ମାତ୍ର ୩ ଲକ୍ଷ ୨୦ ହଜାର ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୭୫% ‌କେବଳ ବସ୍ତି ଭୋଟର। ବାକି ୨୫% ଅନ୍ୟ ବର୍ଗର ଭୋଟର ରହିଥିବା ଜଣାପଡ଼ିଛି।

ଭୋଟ ଦେବା ପାଇଁ ବସ୍ତି ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳ ସାଢ଼େ ୭ଟାରୁ ମତଦାନ କେନ୍ଦ୍ରର ବୁଥ୍‌ ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। କିଏ ପରିବାର ସହ ଆସିଥିଲେ ତ ଆଉ କିଏ ଅଟୋ କରି ସାଙ୍ଗମାନଙ୍କ ସହ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପେଟ ଚିନ୍ତାରେ ସକାଳୁ କାମରେ ଯିବାକୁ ଥିବା ଭୋଟରମାନେ ଶୀଘ୍ର ମତାଧିକାର ସାବ୍ୟସ୍ତ କରିଥିଲେ। ଯେଉଁଥିପାଇଁ ସାଲିଆସାହିର ସମସ୍ତ ବୁଥ୍‌ରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରବଳ ଭିଡ଼ ରହିଥିଲା। କେବଳ ସାଲିଆସାହି ନୁହେଁ, ସହରର ସମସ୍ତ ବସ୍ତି ଅଞ୍ଚଳରେ ସମାନ ଦୃଶ୍ୟ ସାମ୍ନାକୁ ଆସିଥିଲା। ଉଦାହରଣ ଭାବେ ୧୪ ନମ୍ବର ୱାର୍ଡର ନୀଳାଦ୍ରିବିହାରରେ ହୋଇଥିବା ଭୋଟଦାନ କେନ୍ଦ୍ରକୁ ନିଆଯାଇପାରେ। ଏଠାରେ ୪ଟି ବୁଥ୍‌ ହୋଇଥିଲା। ଗୋଟିଏ ବୁଥ୍‌ ବସ୍ତିବାସିନ୍ଦାଙ୍କ ଲାଗି ହୋଇଥିବା ବେଳେ ଅନ୍ୟ ତିନିଟି କଲୋନି, ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଲାଗି କରାଯାଇଥିଲା। ବସ୍ତିବାସିନ୍ଦାଙ୍କ ପାଇଁ ହୋଇଥିବା ମତଦାନ କେନ୍ଦ୍ରରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ବୁଥ୍‌ଗୁଡ଼ିକରେ କାଁ ଭାଁ ଲୋକେ ଆସୁଥିଲେ। ଉକ୍ତ ବୁଥ୍‌ରେ ମତଦାନ ହାର ମଧ୍ୟ ବହୁ ପରିମାଣରେ କମିଥିବା ଜଣାପଡ଼ିଛି। ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ବସ୍ତିବାସିନ୍ଦାଙ୍କ ଉପରେ ଦଳ ଓ ପ୍ରାର୍ଥୀମାନେ ଆଜି ବି ଭରସା କରିଛନ୍ତି। ସେମାନଙ୍କୁ ଅଧିକ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ପ୍ରାର୍ଥୀମାନେ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରିଥିଲେ। ଯିଏ ଆସିପାରୁ ନ ଥିଲେ ସେମାନଙ୍କ ସହ ତାଙ୍କ ସମ୍ପର୍କୀୟଙ୍କୁ ଗାଡ଼ି ବସାଇ ଅଣାଯାଉଥିଲା। ସମ୍ପର୍କୀୟ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା।

ମିଳିଲା ପ୍ରତିଶ୍ରୁତି, ଭୋଟ୍‌ ଦେଲେ ଜାଗମରାବାସୀ

ଖଣ୍ଡଗିରି: ସ୍କୁଲ ପଡ଼ିଆ, ମେଳଣ ପଡ଼ିଆ ନାହିଁ ତ ଭୋଟ ନାହିଁ। ନିର୍ବାଚନ ପୂର୍ବରୁ ୱାର୍ଡ ନମ୍ବର ୬୩ ଅନ୍ତର୍ଗତ ଜାଗମରା ଗ୍ରାମବାସୀଙ୍କ ପକ୍ଷରୁ ଏଭଳି ଦାବି କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାନର ଲଗା ଯାଇଥିଲା। ମାତ୍ର ଆଜି ନିର୍ଧାରିତ ସମୟରେ ଗ୍ରାମବାସୀମାନେ ଭୋଟଦାନ କରିଛନ୍ତି। ଏହାକୁ ନେଇ ସେମାନେ କହିଛିନ୍ତି ଯେ ଖଣ୍ଡଗିରି ସ୍କୁଲ ପଡ଼ିଆକୁ ସରକାରଙ୍କ ପକ୍ଷରୁ ଘରୋଇ ବ୍ୟବସାୟିକ ସଂସ୍ଥାକୁ ଲିଜ୍‌ରେ ପ୍ରଦାନ କରିବାକୁ ସେମାନେ ବିରୋଧ କରୁଥିଲେ। ଏସଂକ୍ରାନ୍ତରେ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ମଧ୍ୟ କୌଣସି ରାଜନୈତିକ ଦଳ ଗୁରୁତ୍ବ ଦେଉନଥିଲେ। ଭୋଟ ବର୍ଜନର ଧମକ ପରେ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଦାବିପତ୍ରକୁ ନିଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ସହିତ ଲିଜ୍‌ ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଡ଼ିଆକୁ ନେଇ ଖୋର୍ଧା ଜିଲ୍ଲାପାଳଙ୍କୁ ଷ୍ଟାଟସ ରିପୋର୍ଟ ମାଗିଥିବା ସମ୍ପର୍କରେ ଶାନ୍ତି କମିଟିକୁ ଲିଖିତ ଭାବରେ ଜଣାଇଥିବା କମିଟି ପକ୍ଷରୁ କୁହାଯାଇଛି। ଏହାପରେ ଆଜି ଗ୍ରାମବାସୀ ଭୋଟ ଦେଇଥିବା ସୂଚନା ଦେଇଛନ୍ତି।

ଶେଷ ସୁଯୋଗ ଛାଡ଼ିଲେନି ପ୍ରାର୍ଥୀ

ଭୁବନେଶ୍ବର: ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାର ଶେଷ ସୁଯୋଗ ଛାଡ଼ି ନ ଥିଲେ ପ୍ରାର୍ଥୀ। କଳେ ବଳେ କୌଶଳେ ପ୍ରାର୍ଥୀଙ୍କୁ ମନାଇଥିଲେ। ଯିଏ ମତଦାନ କେନ୍ଦ୍ରକୁ ଆସିପାରୁ ନ ଥିଲେ ସେମାନଙ୍କୁ ଗାଡ଼ି ଭଡ଼ା କରି ଆଣୁଥିଲେ। ଏଥିସହ ମତଦାନ କେନ୍ଦ୍ର ସମ୍ମୁଖରେ ଛିଡ଼ା ହୋଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମତଦାନ କେନ୍ଦ୍ର ବାହାରେ ଛିଡ଼ା ହୋଇ ନିଜ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଭୋଟରଙ୍କୁ କୋଳେଇ ନେଉଥିଲେ। କେହି କେହି ଭୋଟରଙ୍କ ପାଦ ତଳେ ପଡ଼ିଯାଉଥିଲେ। ଭାଇ, ଭଉଣୀ, ମଉସା, ମାଉସୀ ଆଦି ସମ୍ବୋଧନ କରି ମନ ଜିଣିବାକୁ ପ୍ରୟାସ କରିଥିଲେ। ପ୍ରାର୍ଥୀଙ୍କ ସମର୍ଥକ ମଧ୍ୟ ମତଦାନ କେନ୍ଦ୍ର ନିକଟରେ ଉପସ୍ଥିତ ରହି ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିଲେ। ବିଜେଡି, ବିଜେପି, କଂଗ୍ରେସ, ସ୍ବାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ଅଧିକାଂଶ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ହେଲ୍‌ପ ଡେସ୍କ ଖୋଲାଯାଇଥିଲା। ଭୋଟରମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ ସହଯୋଗର ହାତ ବଢ଼ାଇ ଦେଉଥିଲେ। ମତଦାନ କେନ୍ଦ୍ର ନିକଟକୁ ନେଇଯାଉଥିଲେ। କେଉଁ ବୁଥ୍‌ରେ ରହିଛି, କିଭଳି ଯାଇ ମତାଧିକାର ସାବ୍ୟସ୍ତ କରିବେ ଆଦି ବିଷୟରେ ବୁଝାଉଥିଲେ। ପ୍ରାର୍ଥୀଙ୍କ ଚିହ୍ନ ଥିବା ଚିରୁକୁଟି ବଣ୍ଟୁଥିବାର ଦୃଶ୍ୟ ନଜରକୁ ଆସିଥିଲା। ହେଲ୍ପ ଡେସ୍କଗୁଡ଼ିକ ମତଦାନ କେନ୍ଦ୍ରଠାରୁ ୫୦ ମିଟର ଦୂରରେ ହୋଇଥିଲା।

ସମ୍ବନ୍ଧିତ ଖବର