କୁଡ଼ୁଆ କିଣୁଛି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ଜମି ବିକୁଛନ୍ତି ଭୋଗଦଖଲକାରୀ

ଲୋକାୟୁକ୍ତକୁ ଗଲା ଅଭିଯୋଗ

ପୁରୁଣା ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ହେଲା ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ କୁଡ଼ୁଆ କିଣୁଛି। ମହାପ୍ରଭୁଙ୍କ ପୂଜାରେ ଦୈନିକ ବ୍ୟବହାର ହେଉଥିବା ମାଟିହାଣ୍ଡି କୁଡ଼ୁଆ କିଣାରେ ମନ୍ଦିର ପ୍ରଶାସନ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଛି। ଅଥଚ ଏଥିପାଇଁ ଥିବା ସ୍ବତନ୍ତ୍ର ଜମି କାମରେ ଲାଗୁ ନାହିଁ। କୁଡ଼ୁଆ ଯୋଗାଇବାକୁ ଜମି ଭୋଗଦଖଲ କରୁଥିବା ସେବାୟତମାନେ ଆଉ ମନ୍ଦିରକୁ ଆଡ଼ ଆଖିରେ ଅନାଉ ନାହାନ୍ତି। ସେମାନେ କୁଡ଼ୁଆ ଜମିକୁ ବିକ୍ରି କରିବାରେ ଲାଗିଛନ୍ତି। ବେଆଇନ ହୋଇଥିଲେ ବି ସେମାନେ ଖୋଲାଖୋଲି ଭାବେ ବିଭିନ୍ନ ‌ପ୍ଲାଟଫର୍ମରେ ବିଜ୍ଞାପନ ଦେଇ ଜମି ବିକିବାକୁ ସାହସ କରୁଛନ୍ତି। ଏନେଇ ପୂର୍ବରୁ ବିଭିନ୍ନ ଫୋରମ୍‌ରେ ଅଭିଯୋଗ ହେଲା ପରେ ବି କିଛି ସୁଫଳ ନମିଳିବାରୁ ଏବେ ମାମଲା ଲୋକାୟୁକ୍ତଙ୍କ ନିକଟରେ ପହଞ୍ଚିଛି। ଏକାମ୍ର ଜନଜାଗରଣ ମଞ୍ଚ ଲୋକାୟୁକ୍ତରେ ଅଭିଯୋଗ କରିଛି।

ଜମି ଭୋଗ କରୁଥିବା ସେବାୟତମା‌ନେ ୧୭ବର୍ଷ ହେଲା ମନ୍ଦିରକୁ କୁଡ଼ୁଆ ଯୋଗାଉ ନାହାନ୍ତି। ତେଣୁ ମନ୍ଦିରର ନୀତିକାନ୍ତି ପାଇଁ କୁଡ଼ୁଆ କିଣିବାକୁ ପଡ଼ୁଛି। ପୂର୍ବରୁ ଗୋଟାକୁ ୧୦ ଟଙ୍କାରେ କିଣି ହେଉଥିଲା, ଏବେ ତାହାର ଦାମ୍ ୫୦ରୁ ୬୦ ଟଙ୍କାରେ ପହଞ୍ଚିଲାଣି। ତେଣୁ ବର୍ଷକୁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି। ଅଥଚ କୁଡ଼ୁଆ ଯୋଗାଇବା ପାଇଁ ଥିବା ଜମି ପାଇଥିବା ସେବାୟତମାନେ ମାଗଣାରେ ଫାଇଦା ନେଉଛନ୍ତି। ମନ୍ଦିର ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୭ଜଣ ସେବାୟତଙ୍କୁ ଏଥିପାଇଁ ଜମି ଦିଆଯାଇଛି। ୨ବର୍ଷ ପୂର୍ବେ ଟ୍ରଷ୍ଟବୋର୍ଡ ବୈଠକରେ ଏନେଇ ଚିନ୍ତା ପ୍ରକଟ କରାଯାଇଥିଲା ଏବଂ କୁଡ଼ୁଆ ଦେଉ ନଥିବା ସେବାୟତମାନଙ୍କଠାରୁ ଜମି ଛଡ଼ାଇ ଅଣାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ। ଫଳରେ ଏସବୁ ଜମିକୁ ବିକ୍ରି କରିବା ପାଇଁ କୁଚକ୍ରୀ ଗୋଷ୍ଠୀ ଲାଗି ପଡ଼ିଲେ।

ଓଏଲ୍‌ଏକ୍ସରେ ଏହି ଜମି ବିକ୍ରି ପାଇଁ ବିଜ୍ଞାପନ ଦିଆଗଲା। ଖବର ଅନୁସାରେ ୮ଜଣ ବ୍ୟକ୍ତି ଏହି ଜମି କିଣିବାକୁ ଅଗ୍ରୀମ ବାବଦରେ ପ୍ରାୟ ୨୦ ଲକ୍ଷ ଟଙ୍କା ଗଣି ସାରିଛନ୍ତି। ଏହି କଥା ଜଣାପଡ଼ିବା ପରେ ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଲୋକାୟୁକ୍ତରେ ଅଭିଯୋଗ କରିଛନ୍ତି। ଲୋକାୟୁକ୍ତ ପକ୍ଷରୁ ଏହି ଦୁର୍ନୀତିର ତଦନ୍ତ କରାଯିବା ସହ ଜମିକୁ ମନ୍ଦିର ପ୍ରଶାସନ ନିକଟକୁ ଫେରାଇ ଆଣିବାକୁ ସେ ଦାବି କରିଛନ୍ତି। ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ସାମନ୍ତରାପୁର ମୌଜାରେ ଥିବା ଏକ ଜମିକୁ ଚଞ୍ଚକତା କରି କିସମ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବର ତହସିଲଦାର କାର୍ଯ୍ୟାଳୟରେ ଠାକୁରଙ୍କ ଏହି ଜମିର କିସମ ବଦଳାଇ ଘରୋଇ ସ୍ଥିତିବାନ କରାଯାଇଛି। ଏନେଇ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ନିକଟରେ ୧୨୮/୨୦୦୦ରେ ଏକ ମାମଲା କରାଯାଇଥିଲା।

ଉପଜିଲ୍ଲାପାଳ ଉକ୍ତ ଦାଖଲ ଖାରଜ ମାମଲାର ଫାଇଲ୍ କଲ୍ ଫର୍ କରିଥିଲେ। କିନ୍ତୁ ଉକ୍ତ ଫାଇଲ୍ ତହସିଲ୍‌ରେ ମିଳିଲା ନାହିଁ। ଏ କଥା ଶ୍ରୀଲିଙ୍ଗରାଜ ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲା। ଜିଲ୍ଲାପାଳ ଉକ୍ତ ଫାଇଲ୍ ଗାଏବ୍ ହେବା ଉପରେ ତଦନ୍ତ କରିବା ପାଇଁ ବଡ଼ଗଡ଼ ଥାନାରେ ଏତଲା ଦେବା ପାଇଁ ତହସିଲ୍‌ଦାର୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲ୍‌ଦାର ଥାନାରେ ଏତଲା ଦେଲେ ନାହିଁ। ସେହି ଦିନରୁ ମାମଲା ସେମିତି ହଜିଯାଇଛି। ଏମିତିକି, ଉପଜିଲ୍ଲାପାଳ ଉକ୍ତ ଜମି କିଣାବିକା ହୋଇପାରିବ ନାହିଁ ବୋଲି ରହିତାଦେଶ ଜାରି କରିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଏହି ଜମି ବିକ୍ରିର ରେଜିଷ୍ଟ୍ରି ହୋଇପାରୁଛି। ଏଥିରେ କୋଟିକୋଟି ଟଙ୍କାର କାରବାର ହୋଇଥିବା ସନ୍ଦେହ କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।

ପ୍ରକାଶ ଥାଉକି ମହାପ୍ରଭୁଙ୍କୁ ପ୍ରତିଦିନ ୪ଥର ଧୂପରେ ଶୁଖୁଲି ଭୋଗ ଲାଗି କରାଯାଇଥାଏ। ସେହିଭଳି ୪ ଧୂପରେ ଅନ୍ନ ମହାପ୍ରସାଦ ଭୋଗ ଲାଗି ହୁଏ। ତେଣୁ ପ୍ରତିଦିନ ୪ଟି ହାଣ୍ଡି, ୪ଟି ସରା, ୯ଟି ମୁଗ ଓଳି, ୨ଟି ପଲମ, ୩ଟା ନମ୍ୱରି ହାଣ୍ଡି, ୩ଟା ପଖାଳ ଓଳି, ଗୋଟିଏ ଦିସେରି ହାଣ୍ଡି ଦରକାର ହୁଏ। ସେହିପରି ମହାପ୍ରଭୁଙ୍କ ପୂଷ୍ୟାଭିଷେକ ବେଳେ ୧୧୦ଟି ମାଟି କଳସ, ଶୀତଳଷଷ୍ଠୀରେ ଚାରୁଅନ୍ନ ବଣ୍ଟନ ପାଇଁ ୧୦୮ଟି ଦିସେରିଆ ହାଣ୍ଡି ଆବଶ୍ୟକ ହୁଏ। ଏଥିସହ ବିଭିନ୍ନ ବଡ଼ ପୂଜାପର୍ବ, ବ୍ରତ ଓ ଚତୁର୍ଦ୍ଦଶୀରେ ଅଧିକ ମାଟି କୁଡ଼ୁଆ ଦରକାର ହୁଏ। ଏଗୁଡ଼ିକ ପୂର୍ବରୁ ଜମି ଭୋଗଦଖଲ କରୁଥିବା କୁମ୍ଭାର ସେବାୟତମାନେ ଯୋଗାଉଥିଲେ। କିନ୍ତୁ ଏବେ ସେମାନେ ଜମି ଫେରାଉନାହାନ୍ତି କି କୁଡ଼ୁଆ ଯୋଗାଉ ନାହାନ୍ତି। ବାଧ୍ୟ ହୋଇ ମନ୍ଦିର ପ୍ରଶାସନ ଦୈନିକ ଏକ ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହେଉଛି। ପୁଣି ପ୍ରତିବର୍ଷ କିଣା ମୂଲ୍ୟ ୫ ପ୍ରତିଶତ ହିସାବରେ ବଢ଼ୁଛି।

ସମ୍ବନ୍ଧିତ ଖବର