ଭୁବନେଶ୍ୱର: ପାଣ୍ଡରା ମୌଜାରେ ଜବରଦଖଲ ହୋଇଥିବା ୨.୬ ଏକର ସରକାରୀ ଜମିକୁ ମୁକୁଳାଇବାକୁ ବିଡିଏ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଜି ଦ୍ବିତୀୟ ଦିନରେ ଏକାଧିକ କୋଠାଘର, ଆଜ୍‌ବେଷ୍ଟସ୍‌ ଘର, ପାଚେରି ଭଙ୍ଗାଯାଇଛି। ମାତ୍ର ଚର୍ଚ୍ଚିତ ଜରାନିବାସ ଭଙ୍ଗା ହୋଇପାରିନି। ଜରାନିବାସର ପାଚେରିକୁ ଭାଙ୍ଗି ଦିଆଯାଇଛି। ବିଶାଳ ତିନି ମହଲା କୋଠାରେ ଚାଲିଥିବା ଏହି ଜରାନିବାସ ଭଙ୍ଗା ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ ହେଁ ବିଡିଏ କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। 
ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ମୌଜାରେ ଅଢ଼େଇ ଏକରରୁ ଅଧିକ ସରକାରୀ ଜମିକୁ କିଛି ଜବରଦଖଲକାରୀ ମାଡ଼ିବସିଛନ୍ତି। ଏମିତିକି ଏହି ସରକାରୀ ଜମିକୁ ପ୍ଲଟିଂ କରି ମାଫିଆମାନେ ବିକାକିଣା କରିଛନ୍ତି। ବଣ୍ଡ୍‌ ପେପର୍‌ରେ ଚୁକ୍ତିପତ୍ର ଲେଖାଯାଇ ଏହି ଦାମୀ ସରକାରୀ ଜମି ବିକ୍ରିଖର୍ଦ୍ଦି ହୋଇଛି। ସରକାରୀ ଜମି ବୋଲି ଜାଣି ମଧ୍ୟ ବିକାକିଣା ହୋଇଛି। କ୍ରେତାମାନେ ଘର କରି ରହିବା ସାଙ୍ଗକୁ ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି। ସେହିଭଳି ନିଲୁ ସାହୁ ଏହି ଜମିରେ ଗୋପବନ୍ଧୁ ଜରାନିବାସ କରିଛନ୍ତି ଏବଂ ବିଶାଳ ତଥା ସୁଦୃଶ ୩ ମହଲା କୋଠାରେ ଏହା ଚାଲିଛି। ଏହି ଜବରଦଖଲ ବିରୋଧରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ବିଡିଏ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତକାଲି ଜବରଦଖଲ ଉଚ୍ଛେଦର ପ୍ରଥମ ଦିନରେ କିଛିଟା ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ କୋଠାଘର ସମ୍ମୁଖ‌ରେ ଏକ ରାଜନୈତିକ ଦଳର ଶାଖା କାର୍ଯ୍ୟାଳୟ ନାଁରେ ଏକ ବଡ଼ ବ୍ୟାନର୍‌ ଟଣା ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିଡିଏର ଉଚ୍ଛେଦ ସ୍କ୍ବାଡ୍‌ କାମ ଆରମ୍ଭ କରିଥିଲେ। ବିଡିଏ ଅଧିକାରୀଙ୍କ ସୂଚନାନୁଯାୟୀ ଗତକାଲି ୩୦୦ ଫୁଟ୍‌ ଲମ୍ବର କଂକ୍ରିଟ୍‌ ପାଚେରି, ୯ଟି ଆଜ୍‌ବେଷ୍ଟସ ଘର, ୨ଟି ଶୌଚାଳୟ, ୫ଟି ଲୁହା ଗେଟ୍, ଏକ ବଡ଼ ଟିଣ ଘର ଆଦି ଭଙ୍ଗାଯାଇଥିଲା। ଗତକାଲି ପୁଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ପୁଲିସ ଅନୁପସ୍ଥିତିରେ ଉଚ୍ଛେଦ କାମ ସମ୍ପନ୍ନ କରାଯାଇଛି। ଆଜି ୧୪ଟି ଆଜ୍‌ବେଷ୍ଟସ୍ ଘର, ୩ଟି ଶୌଚାଳୟ, ୧୦୦ ଫୁଟ୍‌ ପାଚେରି, ୩ଟି ଲୁହା ଗେଟ୍, ୮ଟି କଂକ୍ରିଟ୍ କୋଠାର କିଛି ଅଂଶକୁ ଭଙ୍ଗାଯାଇଛି। ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ଲିଆସନ୍‌ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ସାଧାରଣ ପ୍ରଶାସନ ବିଭାଗର ରାଜସ୍ୱ ନିରୀକ୍ଷକମାନେ ସାମିଲ ହୋଇଥିଲେ। ଉଛେଦରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ସାଧାରଣ ପ୍ରଶାସନ ବିଭାଗର ରାଜସ୍ୱ ନିରୀକ୍ଷକମାନେ ସାମିଲ ଥିଲେ। ବୁଧବାର ଉଚ୍ଛେଦ ବନ୍ଦ ରହିବ ଏବଂ ଗୁରୁବାରଠାରୁ ପୁଣି ଏହି ପ୍ରକ୍ରିୟା ଆରମ୍ଭ ହେବ।
ବିଡିଏ ଅଧିକାରୀ କହିଛନ୍ତି ଯେ ଜରାନିବାସ ଉଚ୍ଛେଦ ପାଇଁ ନୋଟିସ୍ ଜାରି ହୋଇଛି। ଜରା ନିବାସର ପାଚେରି ଓ ଟିଣ ଆଜ୍‌ବେଷ୍ଟସକୁ ଭାଙ୍ଗି ଦିଆଯାଇଛି। ମୂଳ ତିନି ମହଲା କୋଠା ଭାଙ୍ଗିବାକୁ ବଡ଼ ଜେସିବି ଆବଶ୍ୟକ। ତେଣୁ ଏଥିପାଇଁ ବ୍ୟବସ୍ଥା କରାଯାଉଛି ଏବଂ ଜରାନିବାସ ନିଶ୍ଚୟ ଭଙ୍ଗାଯିବ। ଜରାନିବାସ ମାଲିକ ନିଲୁ ସାହୁ କହିଛନ୍ତି ଯେ ସେବା ଉଦ୍ଦେଶ୍ୟରେ ସେ ଏହି ଜରାନିବାସ କରିଥିଲେ। ଏହି ଆଶ୍ରମ ସରକାରୀ ଜାଗାରେ ରହିଥିବାରୁ ସରକାର ଚାହିଲେ ଉଚ୍ଛେଦ ହେବ।