ଭୁବନେଶ୍ବର: ନୂଆପଲ୍ଲୀ ମୌଜାରୁ ଦୁଇବର୍ଷ ତଳେ ଜବରଦଖଲ ଉଚ୍ଛେଦ ହୋଇଥିଲା। କଂକ୍ରିଟ୍ ଘର ସବୁ ଭାଙ୍ଗି ମାଟିରେ ମିଶାଯାଇଥିଲା। ଉଚ୍ଛେଦ ପରେ ସେଣ୍ଟ୍ରାଲ୍ ଏନ୍‌ଫୋର୍ସମେଣ୍ଟ ମନିଟରିଂ ଆଦେଶକ୍ରମେ ସରକାରୀ ଜାଗା ବୋଲି ବଡ଼ ବଡ଼ ସୂଚନା ଫଳକ ଲଗାଯାଇଥିଲା। ଜାଗା ସାଧାରଣ ପ୍ରଶାସନ ବିଭାଗର ଓ ଏହାକୁ ଜବରଦଖଲ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ଥିଲା। ଜାଗା ଚାରିପଟେ ଇଟା ପ୍ରାଚୀର ବି ବୁଲାଯାଇଥିଲା। କିନ୍ତୁ ଦୁଇବର୍ଷ ଭିତରେ ପୁଣି ଏହି ଜାଗାରେ କଂକ୍ରିଟ୍ ଘର ଗଢ଼ି ଉଠିଲାଣି। ସବୁଠୁ ବଡ଼ କଥା, ଏହି ଘର ସବୁ ଭଡ଼ା ସୂତ୍ରରେ ଦିଆଯାଇଛି। ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ଜବରଦଖଲକାରୀମାନେ ମନଇଛା ଘର କରି ଏକାଧିକ ପରିବାରଙ୍କୁ ଭଡ଼ାରେ ଦେଇଥିବା ଅଭିଯୋଗ ହୋଇଛି। ସେଣ୍ଟ୍ରାଲ୍ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟି ଆଦେଶକ୍ରମେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଆଜି ଏହି ସବୁ ଜବରଦଖଲ ଉଚ୍ଛେଦ କରାଯାଇଛି।

Advertisment

ବିଡିଏ ଅଧିକାରୀଙ୍କ ସୂଚନା ମୁତାବକ, ନୟାପଲ୍ଲୀ ମୌଜାର ଖାତା ନମ୍ବର-୩୨୯୩ର ପ୍ଲଟ୍ ନମ୍ବର-୫୨୮, ୫୨୮/୩୨୪୦, ୫୨୮/୩୨୩୭, ୫୨୮/୩୨୪୧, ୫୨୮/୩୨୩୬, ୫୨୮/୩୨୩୮ ଓ ୫୨୮/୩୨୩୯ରେ ୫୨୭ ଡେସିମାଲ୍ ସରକାରୀ ଜାଗା ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। ପୂର୍ବରୁ ଏହା ଜବରଦଖଲକୁ ଚାଲିଯାଇଥିଲା। ୨୦୨୩ ମସିହାରେ ଏହି ଜବରଦଖଲ ସବୁ ଉଚ୍ଛେଦ କରାଯାଇଥିଲା। ପୁଣି ଏହି ଜାଗାକୁ ମାଡ଼ିବସି ଘର ତିଆରି କରାଯାଇଥିବା ଓ ଏହାକୁ ଭଡ଼ାରେ ଦିଆଯାଇଥିବା ଜଣାପଡ଼ିବା ପରେ ଆଜି ସମୁଦାୟ ଜମିର ଆଂଶିକ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ୧୦ରୁ ଅଧିକ କଂକ୍ରିଟ୍ ଓ ଆଜ୍‌ବେଷ୍ଟସ୍ ଘରକୁ ଭାଙ୍ଗି ମାଟିରେ ମିଶାଯାଇଛି। ପ୍ରାୟ ୫୦ ବର୍ଗଫୁଟ ଜାଗାରେ ଘେରା ଯାଇଥିବା ଇଟା ପ୍ରାଚୀର ବି ଭଙ୍ଗାଯାଇଛି। ବିଡିଏ ପକ୍ଷରୁ କୁହାଯାଇଛି, ଏହି ଜାଗାକୁ ୧୯ଜଣ ଜବରଦଖଲ କରି ରଖିଛନ୍ତି। ୧୨ଜଣ ହାଇକୋର୍ଟଙ୍କଠାରୁ ଅନ୍ତରୀଣ ରହିତାଦେଶ ଆଣିଥିବାରୁ ବାକି ୭ଜଣ ଜବରଦଖଲ କରି ରଖିଥିବା ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ପ୍ରାୟ ୫ହଜାର ବର୍ଗଫୁଟ ସରକାରୀ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ବିଡିଏ ଏନ୍‌ଫୋର୍ସମେଣ୍ଟ ଓଏସ୍‌ଡି ଦେବରାଜ ସେଠୀ, ସାଧାରଣ ପ୍ରଶାସନ ବିଭାଗ(ସର୍ଭେ ଓ ଏନ୍‌ଫୋର୍ସମେଣ୍ଟ) ଉପନିର୍ଦ୍ଦେଶକ ଅମୀୟ କୁମାର ଦାସ, ବିଡିଏ ଲିଆସନ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, କନିଷ୍ଠ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ସିଦ୍ଧାନ୍ତ ସାହୁ, ନୟାପଲ୍ଲୀ ଥାନା ଏଏସଆଇ ଏସ୍. ଖାନ୍ ପ୍ରମୁଖ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଡିଏ ଓ ବିଏମ୍‌ସି ସାଉଥ୍ ୱେଷ୍ଟ ଜୋନ୍ ଏନ୍‌ଫୋର୍ସମେଣ୍ଟ ଟିମ୍ ସହ ୧ ପ୍ଲାଟୁନ୍ ପୁରୁଷ ଓ ୧ ପ୍ଲାଟୁନ୍ ମହିଳା ପୁଲିସ ମୁତୟନ ଥିଲେ।