ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ବଢ଼ିଚାଲିଛି ସରକାରୀ ଜମି ଜବରଦଖଲ। ପ୍ରଥମେ ଚାଳଛପର, ଝାଟିମାଟି ଘର କରି ସରକାରୀ ଜମି ଦଖଲ ଓ ପରେ ବହୁତଳ କୋଠା ଠିଆ ହୋଇଯାଉଛି। ପାଣ୍ଡରା ସରକାରୀ ଜମି ଏହାର ଜ୍ବଳନ୍ତ ଉଦାହରଣ। ପ୍ରାୟ ଅଢ଼େଇ ଏକର ସରକାରୀ ଜମିକୁ ଦଖଲରେ ରଖିବା ପରେ ଏଠାରେ ବର୍ଷ ବର୍ଷ ଧରି ବହୁତଳ କୋଠା କରି ରହି ଆସୁଥିଲେ ଲୋକେ। ଘର ସାଜସଜା ବି କୌଣସି ରାଜନଅରଠାରୁ କମ୍ ନଥିଲା। ଏ ଭିତରେ ପାଣ୍ଡରା ଜମିରୁ ସରକାର ଜବରଦଖଲ ଉଚ୍ଛେଦ କରିଛନ୍ତି ସତ, କିନ୍ତୁ ଭୁବନେଶ୍ବର ଛାତି ଉପରେ ଏଭଳି ଆହୁରି ଶହଶହ ଏକର ସରକାରୀ ଜମି ଜବରଦଖଲରେ ରହିଛି, ଯାହା ପାଣ୍ଡରାଠାରୁ ବି ବଳିଯିବ। ଏଣୁ ପାଣ୍ଡରା ଭଳି ଅନ୍ୟ ସରକାରୀ ଜମିକୁ ଜବରଦଖଲମୁକ୍ତ କରି ନିଜ ଦଖଲକୁ ସରକାର ଆଣିବେ କିଂବା ନାହିଁ, ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି।

Advertisment

ପାଣ୍ଡରା କେଳେଙ୍କାରିରୁ କିଛି ଶିଖିବେ କି ସରକାର?
କେଉଁ ପ୍ରଭାବଶାଳୀ ବିକୁଛନ୍ତି ସରକାରୀ ଜମି

ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ମଞ୍ଚେଶ୍ବର ଥାନା ପାଣ୍ଡରା ମୌଜାରେ ଖାତା ନମ୍ବର- ୧୩୫୨, ପ୍ଲଟ ନମ୍ବର- ୩୮୭୭, ୩୮୭୮, ୩୮୭୯, ୩୮୮୦, ୩୮୮୫, ୩୮୮୬ ଓ ୩୯୯୯ରେ ପ୍ରାୟ ୨.୬୦୦ ଡେସିମାଲ ସରକାରୀ ଜମି(ସାଧାରଣ ପ୍ରଶାସନ ବିଭାଗ) ରହିଥିଲା। ଯାହାକୁ ଜମିମାଫିଆମାନେ ମାଡ଼ିବସି ଲୋକଙ୍କୁ ବିକ୍ରି କରିଥିଲେ ଓ ପରେ କ୍ରେତାମାନେ ଏଠାରେ କୋଠାଘର ଠିଆ କରିଥିଲେ। ୨୪ରୁ ଅଧିକ କୋଠାଘର ସହ ବହୁ ଟିଣ, ଆଜବେଷ୍ଟସ୍ ଘର ବି ରହିଥିଲା। ବଡ଼କଥା ହେଉଛି, ଏହି ଜମିକୁ ନୋଟାରି ସତ୍ୟପାଠ ଜରିଆରେ ବିକ୍ରି କରାଯାଇଥିଲା। ଜମି ବାବଦରେ ୫୦ହଜାରରୁ ୧୨ଲକ୍ଷ ଟଙ୍କା ନିଆଯାଇଥିଲା। ଜମି ଆକାର ଅନୁଯାୟୀ ଟଙ୍କା ନେଇଥିଲେ ମାଫିଆ। ଅବସରପ୍ରାପ୍ତ ସରକାରୀ ଚାକିରିଆ, ବିଲ୍‌ଡର, ଆଇନଜୀବୀ, ବ୍ୟବସାୟୀମାନେ ଏହି ଜାଗା କିଣି ରହୁଥିଲେ ଓ ଘର ଭଡ଼ା ବି ଦେଇଥିଲେ। ଯେହେତୁ ଘର ସବୁ ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଛି, ସହଜରେ ଭଡ଼ାଟିଆ ମିଳି ଯାଉଥିଲେ। କିନ୍ତୁ ଏହି ଜମି କିଏ ବିକ୍ରି କରିଛି, କେହି ମୁହଁ ଖୋଲୁନାହାନ୍ତି। ଏଥିରୁ ସ୍ପଷ୍ଟ କି ଏହି ଜମି ବିକ୍ରି ପଛରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ରହିଛି। ଜମି ବିକା ଟଙ୍କା ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତାଙ୍କ ପକେଟ୍‌କୁ ଯାଇଥିବା ନେଇ ଚର୍ଚ୍ଚା ହେଉଛି।।

ଅପରପକ୍ଷେ ଏହି ଜମିକୁ କିଏ ବିକିଲା, କେମିତି ନୋଟାରି ସତ୍ୟପାଠ ହେଲା, ଏହି ନୋଟାରି ସତ୍ୟପାଠରେ କାହାର ଷ୍ଟାମ୍ପ ଓ ଦସ୍ତଖତ ରହିଛି, ତାର ଖୋଳତାଡ଼ ଅଦ୍ୟାବଧି ଆରମ୍ଭ ହୋଇନି। ସାଧାରଣ ପ୍ରଶାସନ ବିଭାଗ ବି ଅନୁସନ୍ଧାନରେ ଆଗ୍ରହ ଦେଖାଉନି। ପାଣ୍ଡରା କେବଳ ଉଦାହରଣ। ରାଜଧାନୀରେ ଏଭଳି ବହୁ ସରକାରୀ ଜାଗାକୁ ଅବାଧରେ ଦଖଲ ଓ ବିକ୍ରି କରାଯାଉଛି, ଯେଉଁଠି ବସ୍ତି ପରେ କୋଠା ଘର ଠିଆ ହେଲାଣି। ସେପଟେ ରାଜଧାନୀରେ ବସ୍ତି ସଂଖ୍ୟା ବି ହୁ ହୁ ହୋଇ ବଢ଼ିଚାଲିଛି। ଏଣୁ ସରକାର ପାଣ୍ଡରା ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ରାଜଧାନୀରେ ସରକାରୀ ଜମି ଜବରଦଖଲମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।