ସରିଲା ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର: ୨୨ଦିନ ଧରି ଚାଲିଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆଜି ଶେଷ ହୋଇଛିି। ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବା ସହ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ଆଜି ସନ୍ଧ୍ୟାରେ ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କର ସମସ୍ତ ନୀତି ସମାପନ ପରେ ବିନ୍ଦୁସାଗର ବ୍ରହ୍ମା ଘାଟ କୂଳକୁ ଯାଇଥିଲେ। ଏହା ପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବସିଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା ପାର୍ବତୀ, ମା ଦୁର୍ଗା ବସିଥିବା ବେଳେ ଦୁଇ କଡ଼ରେ ଥିବା ସିଂହାସନରେ ଗୋଟିଏ ପଟେ ବାସୁଦେବ ବସିଥିଲେ। ଚାପ ଖେଳି ଠାକୁର ପ୍ରଥମେ ମଠ ଘାଟରେ ଭୋଗ ଖାଇଥିଲେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ। ସେଠାରେ ନୀତି ପୂଜା କରାଯାଇ ପୂର୍ବ ପ୍ରସ୍ତୁତ ସୁଗନ୍ଧିତ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ଚନ୍ଦନ, ଅଗୁରୁ, କର୍ପୂର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପକାଯାଇଥିବା କୁଣ୍ଡରେ ଦେବଦେବୀମାନେ ବୁଡ଼ି ରହଥିଲେ। ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଁ ମହାପ୍ରଭୁ ଚନ୍ଦନ ଯାତ୍ରା କରିଥାନ୍ତି ବୋଲି କିମ୍ବଦନ୍ତି ରହିଛି। ଏହାପରେ ସେଠାରୁ ବାହାରି ଠାକୁରଙ୍କୁ ନୂତନ ବସ୍ତ୍ର ପିନ୍ଧା ଯିବା ପରେ ସନ୍ଧ୍ୟା ଧୂପ କରାଯାଇଥିଲା। ଏହି ଧୂପରେ ଠାକୁରଙ୍କୁ ମାଣ୍ଡୁଅ, କାକରା, ସୋଦୁଓ ଆଦି ଭୋଗ ଲାଗି ହୋଇଥିଲା। ଦେବଦେବୀ ଚାପ ଡ଼ଙ୍ଗାରେ ଭଉଁରି ଖେଳି ମହନି ଘାଟ ଓ ଆଖଡ଼ା ଚଣ୍ଡୀ ଘାଟରେ ଭୋଗ ଖାଇବା ପରେ ବିଶ୍ରାମ ଘାଟକୁ ଯାଇଥିଲେ। ବିଶ୍ରାମ ଘାଟରେ ନୀତି ପୂଜା ପରେ ଠାକୁରଙ୍କୁ ପାଲିଙ୍କିରେ ବସାଇ ପୂଜାପଣ୍ଡା ମନ୍ତ୍ର ଉଚ୍ଚାରଣ ସହ ଚନ୍ଦନ ଓ ହଳଦୀ ପାଣି ସିଞ୍ଚନ କରିଥିଲେ। ବାଟରେ ଆସିବା ବେଳେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗଠାରେ ଭୋଗ ଖାଇଥିଲେ। ତିନି ନିଯୋଗ ପକ୍ଷରୁ ଆଜି ଶେଷ ଚନ୍ଦନ ଯାତ୍ରାରେ ଠାକୁରଙ୍କୁ ମାଣ୍ଡୁଅ, କାକରା, ସୋଦୁଓ, ଆମ୍ବ ଓ ବିଭିନ୍ନ ଫଳ ଭୋଗ ଲାଗି କରାଯାଇଥିଲା। ସେହିପରି ରାସ୍ତାରେ ଫେରିବା ବେଳେ ସ୍ଥାନେସ୍ଥାନେ ଠାକୁରଙ୍କ ସମ୍ମୁଖରେ ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଠାକୁର ମନ୍ଦିର ପରିସରରେ ଥିବା ଦୋଳବେଦି ପାଖରେ ପହଞ୍ଚିବା ପରେ ଜଗତିରେ ବ୍ୟବହୃତ ବାସୁଦେବଙ୍କ ସିଂହାସନରେ ଠାକୁରମାନେ ବସିଥିଲେ। ସେଠାରେ ନୀତି ପୂଜା ଓ ଆଳତି କରାଯିବା ପରେ ମନ୍ଦିର ଗର୍ଭଗୃହକୁ ପ୍ରତ୍ୟାବର୍ତନ କରିଥିଲେ।

ସମ୍ବନ୍ଧିତ ଖବର