ଖଣ୍ଡଗିରି: ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଆଜି ପୂର୍ଣଛେଦ ପଡ଼ିଛି। ମାଘ ପୂର୍ଣମୀ ତିଥି ଅବସରରେ ସାଧୁସନ୍ଥମାନେ ହୋମଯଜ୍ଞରେ ପୂର୍ଣାହୁତି ଦେବା ସହ ବିଦାୟ ନେଇଛନ୍ତି। ଚନ୍ଦ୍ରଗ୍ରହଣ ପାଇଁ ବିଧି ବିଳମ୍ବିତ ହୋଇଥିଲେ ବି ମିଳିତଭାବେ ପ୍ରସାଦ ସେବନ ପରେ ସାଧୁସନ୍ଥମାନଙ୍କୁ ଶ୍ରଦ୍ଧାଳୁମାନେ ମେଲାଣି ଦେଇଛନ୍ତି। ତେଣୁ ୮ ଦିନ ଯାଏଁ ପାହାଡ଼ ଉପରେ ଲାଗିଥିବା ଗହଳଚହଳରେ ଆଜି ପଡ଼ିଛି ପୂର୍ଣଛେଦ। ଆଜି ଚନ୍ଦ୍ରଗ୍ରହଣ ଯୋଗୁଁ ସବୁ କିଛି ସମସ୍ୟା ଦେଖାଦେଇଥିଲା। ଦିନତମାମ୍ ହୋମ ଯଜ୍ଞ ଓ ରାମଚରିତ ମାନସ ପଠନ ବନ୍ଦ ଥିଲା। ତେଣୁ ପାହାଡ଼ ଉପରେ ଏକପ୍ରକାର ନିରବତା ପରିଲକ୍ଷିତ ହୋଇଥିଲା। କିଛି ସାଧୁ ଗତକାଲି ବିଳମ୍ବିତ ରାତିରେ ହିଁ ଯଜ୍ଞରେ ପୂର୍ଣାହୁତି ଦେଇ ସାରିଥିଲେ। କିନ୍ତୁ ସେମାନେ ମେଳାରୁ ମେଲାଣି ନେଇନଥିଲେ। ଯେଉଁ ସାଧୁସନ୍ଥମାନେ ପୂର୍ଣମୀ ପାଇଁ ବା ଚନ୍ଦ୍ରଗ୍ରହଣର ମୋକ୍ଷ ପରକୁ ଅପେକ୍ଷା କରିଥିଲେ, ସେମାନଙ୍କ ଅନୁରୋଧକ୍ରମେ ସମସ୍ତେ ଅପେକ୍ଷା କରିଥିଲେ। ମା ବାରଭୂଜା ପୀଠରେ ଆଜି ଚନ୍ଦ୍ରଗ୍ରହଣ ମୋକ୍ଷ ପରେ ରାମଚରିତ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଦିଆଯାଇଥିଲା। ରାତି ୧୦ଟା ପରେ ପୂର୍ଣାହୁତି ପର୍ବ ଆରମ୍ଭ ହୋଇଥିଲା। ସେହିଭଳି ମୋକ୍ଷ ପରେ ପ୍ରସାଦ ବ୍ୟଞ୍ଜନ କରାଯାଇଥିଲା ଓ ରାତି ପ୍ରାୟ ୧ଟା ପରେ ସମସ୍ତ ସାଧୁସନ୍ଥମାନେ ମଳିତଭାବେ ପ୍ରସାଦ ସେବନ କରିଥିଲେ।
ହାଣ୍ଡି ଛାଡ଼ ମାନିଲେନି, ଖାଇଗଲେ
ଆଜି ଚନ୍ଦ୍ରଗ୍ରହଣ ପାଇଁ ହାଣ୍ଡି ଛାଡ଼ ଥିଲା। ଲୋକେ ମୋକ୍ଷ ପର୍ଯ୍ୟନ୍ତ ପାକଛାଡ଼ ବିଧି ଅନୁସାରେ ଉପାସ କରିଥିଲେ। କିନ୍ତୁ ମେଳାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଠିକ୍ ଯେତିକିବେଳେ ଚନ୍ଦ୍ରଙ୍କଠାରେ ଗ୍ରହଣ ଲାଗିଥିଲା, ସେହି ସମୟରେ ମେଳାର ଫାଷ୍ଟ ଫୁଡ୍ ଦୋକାନମାନଙ୍କରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଥିଲା। ଛୋଟ ପିଲା ତ ଖାଉଥିଲେ, ସେମାନଙ୍କ ସହିତ ବୟସ୍କ ମହିଳାମାନେ ବି ଖାଇ ଯାଉଥିଲେ। ଏମିତିକି ଚାଉମିନ୍, ପକୋଡ଼ା, ଏଗ୍ ରୋଲ୍ ଭଳି ଆମିଷ ଷ୍ଟଲ୍ମାନଙ୍କରେ ବି ସବୁ ବର୍ଗର ଲୋକେ ଖାଉଥିଲେ। କେହି ଚନ୍ଦ୍ରଗ୍ରହଣ କଥାକୁ ଗୁରୁତ୍ୱ ଦେଉନଥିଲେ। ଆଜି ସନ୍ଧ୍ୟାରେ ବେପାର ମାନ୍ଦା ପଡ଼ିବ ବୋଲି ବେପାରୀମାନେ ପୂର୍ବରୁ ମନକଷ୍ଟ କରିଥିଲେ। କିନ୍ତୁ ସେପରି କିଛି ହେଲା ନାହିଁ। କୁମ୍ଭମେଳାର ଅନ୍ତିମ ଦିନରେ ଯେମିତି ବେପାର ହେବା କଥା, ସେମିତି ହୋଇଥିଲା। ତେଣୁ ଦୋକାନୀମାନେ ବେଶ୍ ଖୁସି ଥିଲେ।
ଦିନରେ ଖାଁ ଖାଁ, ସନ୍ଧ୍ୟାରେ ଭିଡ଼
ଆଜି ଚନ୍ଦ୍ରଗ୍ରହଣ ମେଳା ଭିଡ଼କୁ ସେତେ ପ୍ରଭାବିତ କରିପାରିନଥିଲା। ଚନ୍ଦ୍ରଗ୍ରହଣ ସତ୍ୱେ ମେଳାରେ ଭିଡ଼ କିଛି କମ୍ ନଥିଲା। ଦିନରେ ଅବଶ୍ୟ କିଛି ମାତ୍ରାରେ ପ୍ରଭାବ ପଡ଼ିଥିଲା। ଖାଁ ଖାଁ ଲାଗୁଥିଲା ମେଳା। ମାତ୍ର ଅପରାହ୍ଣ ହେବା ପରେ ଭିଡ଼ ବଢ଼ିଥିଲା। ଅପରାହ୍ଣ ୪ଟା ପରଠାରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଜନଗହଳି ବେଶ୍ ଲାଗି ରହିଥିଲା। ରାତି ୯ଟା ପରେ ହଠାତ୍ ପୁଣି ଭିଡ଼ କମି ଯାଇଥିଲା ଓ ୧୧ଟା ପରେ ପୁଣି ଯାତ୍ରା ଦର୍ଶକମାନଙ୍କ ଭିଡ଼ ଜମିଥିଲା।