ସରିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ

୧୨ ଦିନ, ୧୩ ଯାତ୍ରା ଦଳ, ୨୪ ନାଟକ

ଭୁବନେଶ୍ୱର: ରାତି ଅଧରେ ଆଉ ଶୁଭିବନି ଲହରିଆ ସଂଳାପ। ଜମିବନି ମେଳା ମଉଜ। ରାତି ପାହିବା ବେଳକୁ ସରିଯିବ ଯେତେସବୁ ଆଡ଼ମ୍ବର। ୧୨ଦିନର ଯାତ୍ରା ପରେ ଆଜି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଯବନିକା ପଡ଼ିଛି। ୧୨ ଦିନରେ ୧୩ଟି ପାର୍ଟିର ୨୪ଟି ନାଟକ ପରିବେଷିତ ହୋଇଛି। ୨୬ରୁ ଖଣ୍ଡଗିରି ଯାତ୍ରା ମୈଦାନରେ ୫ଟି ପାର୍ଟିରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ୨୭ରୁ ୬ଟି ପେଣ୍ଡାଲ୍‌ ଏବଂ ୩୧ରୁ ୭ଟି ପେଣ୍ଡାଲ୍‌ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ୍‌ ହୋଇଥିବା ଯାତ୍ରା ଦଳ ବେଶି ଦର୍ଶକ ଟାଣିବାରେ ସକ୍ଷମ ହୋଇଥିଲେ। ଶେଷ ଆଡ଼କୁ ସବୁ ପେଣ୍ଡାଲ୍‌ ହାଉସ୍‌ଫୁଲ୍‌ ହୋଇଥିଲା। କାହାଣୀ ଦୃଷ୍ଟିରୁ କିଛି ନାଟକକୁ ନେଇ ଚର୍ଚା ହୋଇଥିଲା। ତେବେ ରେକର୍ଡ ଡ୍ୟାନ୍ସରେ ଏଥର ନାମ ମାତ୍ର ପାର୍ଟିକୁ ଛାଡ଼ିଦେଲେ ଅନ୍ୟ ପାର୍ଟିରେ ଏତେଟା ଷ୍ଟଣ୍ଟ୍‌ ଦେଖିବାକୁ ମିଳିନଥିଲା। ପୂର୍ବ ବର୍ଷର ଷ୍ଟଣ୍ଟ୍‌ ଦୃଶ୍ୟ ଏଥର ଦର୍ଶକ ଦେଖିବାକୁ ପାଇନଥିବାରୁ ମନ ଉଣା କରିଥିଲେ। ମାତ୍ର କୋରିଓଗ୍ରାଫି ଦୃଷ୍ଟିରୁ ନୃତ୍ୟ ବେଶ୍‌ ବଳିଷ୍ଠ ଅନୁଭବ ଦେଇଥିଲା। ସେହିଭଳି ପୂର୍ବଥର ଭଳି ବଲିଉଡ୍‌ ଷ୍ଟାର୍‌ ଲଢ଼େଇ ଏଥର ଦେଖିବାକୁ ମିଳିନଥିଲା। ପୂର୍ବବର୍ଷ ଶକ୍ତି କପୁର, ରାକ୍ଷୀ ସାଓ୍ଵନ୍ତ, ଅମିଷା ପଟେଲ୍‌, ମାଲେସିଆ ବେଲି ଡ୍ୟାନ୍ସ ଏବଂ ମୁମ୍ବାଇର ନୃତ୍ୟ ଦଳ କିଛି ପେଣ୍ଡାଲ୍‌ରେ ଆକର୍ଷଣ ସାଜିଥିଲେ। ତେଣୁ ଏଥର ଏହି ଅଭାବ ବୋଧ ରହି ଯାଇଥିବା ବୋଲି କହିଛନ୍ତି ଦର୍ଶକ ଟୁନା ସାମଲ। ଛୋଟମୋଟ ଦୁର୍ଘଟଣାକୁ ଛାଡ଼ିଦେଲେ ସେମିତି କିଛି ବଡ଼ ଅଘଟଣ ଦେଖିବାକୁ ମିଳିନଥିଲା। ଖଣ୍ଡଗିରି କୁମ୍ଭମେଳା ପରେ ମଧ୍ୟ ଯାତ୍ରା ପାଇଁ ଆକର୍ଷଣ ସାଜିଥିବା ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଆକର୍ଷଣକୁ ଉପଭୋଗ କରିବା ପାଇଁ ସାରା ଓଡ଼ିଶାରୁ ଲୋକଙ୍କ ସୁଅ ଛୁଟିଥିଲା। ଅନେକ ରସଗ୍ରାହୀ ଯାତ୍ରା ଦର୍ଶକ ଯାତ୍ରା ଦେଖିବା ପାଇଁ ଏଠାକୁ ୨-୩ ଦିନିଆ ଟୁର୍‌ରେ ଚାଲି ଆସିଥିଲେ। ଯାତ୍ରା, ନୃତ୍ୟ ସଂଗୀତର ମହୋତ୍ସବ, ଅଦିନିଆ ବଜାରର ଭିଡ଼ରେ କିଛିଦିନ ପାଇଁ ସରଗରମ ହେଉଥିବା ଏହି ମେଳା ପାଇଁ ପୁଣି ଆର ବର୍ଷକୁ ଅପେକ୍ଷା…

ଘାଟିକିଆ ପେଣ୍ଡାଲ୍‌ରେ କଳାକାରଙ୍କୁ ସମ୍ବର୍ଧନା
ଆଜି ଶେଷ ରଜନୀରେ ସନାତନ ସେବା ସମିତି ପକ୍ଷରୁ ‘ସ୍ୱର୍ଣ୍ଣ ମହଲ’ର ଯାତ୍ରା ପେଣ୍ଡାଲ୍‌ରେ କଳାକାର ଓ ବରିଷ୍ଠ କର୍ମକର୍ତାଙ୍କୁ ସମ୍ବର୍ଧିତ କରାଯାଇଛି। ଅଭିନେତା ସୁରେଶ ପଣ୍ଡା, ଶୁଭେନ୍ଦୁ ଚୌଧୁରୀ, ଅଭିନେତ୍ରୀ ଡଲି ଭୂୟାଁ ଓ ଟିକିନା ସ୍ୱାଇଁଙ୍କୁ ସମ୍ବର୍ଧିତ କରାଯାଇଥିଲା। ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଧିତ କରିଥିଲେ। ଏଥିସହିତ ଉପସଭାପତି ବସନ୍ତ କୁମାର ଦାସ, ସାଂସ୍କୃତିକ ସମ୍ପାଦକ ଧଡ଼ୁବନ୍ଧୁ ଦୀକ୍ଷିତ୍‌ଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ସମିତିର କର୍ମକର୍ତା ରମେଶ ଚନ୍ଦ୍ର ସ୍ୱାଇଁ, ଚତୁର୍ଭୁଜ ମାଝୀ, ବାନାମ୍ବର ହାଟୁଆ ଏବଂ ଧନେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର