ଭୁବନେଶ୍ବର: ବିଶ୍ବର ତାପମାତ୍ରା ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ଚଳିତ ଶତାବ୍ଦୀର ଶେଷ ଭାଗରେ ତାପମାତ୍ରା ୫ ଡିଗ୍ରି ସେଲ୍ସିୟସ ବୃଦ୍ଧି ପାଇବ। ତେଣୁ ବିକାଶ କଥା ଚିନ୍ତା କଲା ବେଳେ ପରିବେଶକୁ ମଧ୍ୟ ସମାନ ଗୁରୁତ୍ବ ଦେବା ଉଚିତ୍। ପରିବେଶ, ବାୟୁ, ଜଳ ଓ ପ୍ରକୃତି ଯେଉଁଭଳି ପ୍ରଦୂଷିତ ହେଉଛି, ସେଥିରୁ ଆଜିର ଯୁବପିଢ଼ି ଶିକ୍ଷା କରିବା ଉଚିତ୍। ପ୍ରତ୍ୟେକ ଯୁବକ ଜଣେ ପରିବେଶ ଦୂତ ଭାବେ ଛିଡ଼ା ହେଲେ ହିଁ ଆଗାମୀ ପରିବେଶ ସଂକ୍ରାନ୍ତୀୟ ସଙ୍କଟରୁ ମୁକ୍ତି ମିଳିପାରିବ। ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସ ୨୦୧୮ କାର୍ଯ୍ୟକ୍ରମର ୯ମ ସଂସ୍କରଣରେ ଅତିଥିବୃନ୍ଦ ଏପରି ଆଲୋକପାତ କରିଛନ୍ତି। ‘ଗାନ୍ଧୀ ଓ ପରିବେଶ’ ବିଷୟବସ୍ତୁକୁ ନେଇ ଦୁଇଦିନିଆ ପରିବେଶ କଂଗ୍ରେସକୁ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ଉଦ୍ଯାପନୀ ଉତ୍ସବରେ ପ୍ରାକ୍ତନ ପରିବାର କଲ୍ୟାଣ ସଚିବ ଅମୂଲ୍ୟ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବିକାଶର ପରିଭାଷାକୁ ନେଇ ପରିବେଶବିତ୍ ଓ ବୈଜ୍ଞାନିକମାନେ ଯେଉଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ତାହାକୁ ମାନିବା ଉଚିତ୍। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ବିନାୟକ ରଥ ପ୍ରତ୍ୟେକ ଯୁବକ ଏ ବାବଦରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସିୱାଇଏସ୍ଡିର ଅଧ୍ୟକ୍ଷ ପିକେ ସାହୁ ପରିବେଶ କଂଗ୍ରେସ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଜଳ, ପରିମଳ, ପରିଚ୍ଛନ୍ନତା, ବିକାଶ, ଅହିଂସା ପ୍ରସଙ୍ଗରେ ଆୟୋଜିତ ଆଲୋଚନାଚକ୍ରରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର କୁଳପତି ଡ. ହରିବନ୍ଧୁ ପଣ୍ଡା, ପ୍ରାକ୍ତନ ସୂଚନା କମିସନର ଜଗଦାନନ୍ଦ, ଡ. ରୀନା ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଦ୍ଯାପନୀ ଉତ୍ସବରେ ସିଇଡିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ବାବୁ ଅମ୍ବାତ୍ ଆଗାମୀ ପରିବେଶ କଂଗ୍ରେସର ପ୍ରସଙ୍ଗ ‘ଓଡ଼ିଶାର ଖଣିଜ ସମ୍ପଦ ଓ ପରିବେଶ’ ହେବ ବୋଲି ଘୋଷଣା କରିଥିଲେ। ପରିବେଶ ପ୍ରତି ପ୍ରତିବଦ୍ଧତା ପାଇଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡ. ଗୌରାଙ୍ଗ ରାଉତଙ୍କୁ ‘ପରିବେଶ ଦୂତ’ ପୁରସ୍କାର ପ୍ରଦାନ କରାଯାଇଥିଲା। ନାଲ୍କୋ’କୁ ଏସ୍ବି ମିଶ୍ର ଗ୍ରିନ୍ କର୍ପୋରେଟ୍ ପୁରସ୍କାର, ଡ. ଶ୍ରାବଣୀ ବସୁ ଏବଂ ୟୁନିଟ୍ ୮ ଡିଏଭି ସ୍କୁଲ୍ ୧୦ମ ଶ୍ରେଣୀ ଛାତ୍ର ନୈସର୍ଗିକଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ପ୍ରାକ୍ତନ ଗଣମାଧ୍ୟମ ସଚିବ ସତ୍ୟନାରାୟଣ ସାହୁ, ଓୟୁଏଟିର ପ୍ରାକ୍ତନ କୁଳପତି ଡ. ଡିପି ରାୟ, ରାଜସ୍ବ ପର୍ଷଦର ପ୍ରାକ୍ତନ ସଦସ୍ୟ ଡ. ଅରବିନ୍ଦ ବେହେରା, ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀ, ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଆର୍ତବନ୍ଧୁ ମିଶ୍ର, ସୁଧାମୟୀ ବେହେରା, ଓଡ଼ିଶା ପରିବେଶ କଂଗ୍ରେସର ସଂଗଠନ ସମ୍ପାଦକ ସୁଦର୍ଶନ ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ, ପରିବେଶବିତ୍ ଓ ଗବେଷକ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷ ହେଲା ଓଡ଼ିଶା ପରିବେଶ କଂଗ୍ରେସ: ପ୍ରତି ଯୁବକ ଜଣେ ପରିବେଶ ଦୂତ ହେଉ
/sambad/media/post_attachments/wp-content/uploads/2018/12/Untitled-13-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)