ସରିଲା ‘ଅସୀମ ନାଟ୍ୟ ଉତ୍ସବ’: ଆଧ୍ୟାତ୍ମିକତା ଭରିଲା ‘ଦଶାବତାର’

ଭୁବନେଶ୍ବର: ନିରୀହ ଓ ଦୁର୍ବଳ ମଣିଷମାନେ ଯେବେ ସବଳ ଓ ଅସୁର ଶକ୍ତି ଦ୍ବାରା ଅତ୍ୟାଚାରିତ ହୁଅନ୍ତି, ବିଶ୍ବନିୟନ୍ତା ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଧାରଣ କରି ଧରାପୃ‌ଷ୍ଠ‌କୁ ଆସିଥା’ନ୍ତି। ଅସୁର ଓ ଦୁଷ୍ଟଶକ୍ତିଗୁଡ଼ିକୁ ଦମନ କରିବା ସହ ଧର୍ମ ପ୍ରତିଷ୍ଠା କରନ୍ତି। କେତେବେଳେ ମୀନ ରୂପ ତ କେତେବେଳେ କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୃଦ୍ଧଙ୍କ ରୂପ ଧାରଣ କରନ୍ତି। ଏପରି ଏକ ପୌରାଣିକ କଥାବସ୍ତୁକୁ ନେଇ ପାଲା, ଦାସକାଠିଆ, ଛଉ ଓ କଥକ ଭଳି ବଳିଷ୍ଠ ଓ ପାରମ୍ପରିକ ଲୋକକଳା ମାଧ୍ୟମରେ ମଞ୍ଚସ୍ଥ ନାଟକ ‘ଦଶାବତାର’ ରବୀନ୍ଦ୍ର ମଣ୍ଡପରେ ଆଧ୍ୟାତ୍ମିକ ପରି‌ବେଶ ସୃଷ୍ଟି କରିଥିଲା। ଦୁଇ ଦିନ ଧରି ଚାଲିଥିବା ‘ଅସୀମ ନାଟ୍ୟ ଉତ୍ସବ’ର ଉଦ୍‌ଯାପନୀ ସଂଧ୍ୟା‌ରେ ଶତାବ୍ଦୀର କଳାକାର ଅନୁଷ୍ଠାନର କଳାକାରମାନେ ଏହି ନାଟକକୁ ପରିବେଷଣ କରିଥିଲେ।

ନାଟକକୁ ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଥିଲେ। ବିଧାଂଶୁ, ସୌମ୍ୟା, ଅପୂର୍ବ, ଚନ୍ଦ୍ର, ଅଶୋକ, ବିଶ୍ବଜିତ୍, ଶୁଭମ୍, ମନୋଜ, ସତ୍ୟ, ପ୍ରକାଶ, ଆଲୋକ, ‌ସୌମେନ୍ଦ୍ର, ସନ୍ତୋଷ, କାର୍ତ୍ତିକ, ମାନସ, ଶୁଭାଶିଷ, ଭରତ, ମୋନିଦୀପା, ପ୍ରିୟଙ୍କା, ଆଭା ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଗାଳ୍ପିକ ତଥା ନାଟ୍ୟକାର ଅରବିନ୍ଦ ରାୟ, ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ପ୍ରଦୀପ ବିଶ୍ବାଳ, ଶତାବ୍ଦୀର କଳାକାର ଅନୁଷ୍ଠାନର ପ୍ରତିଷ୍ଠାତା ଧୀର ମଲ୍ଲିକ, ନାଟ୍ୟକାର ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରାବଣୀ ବସୁରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାସ୍ବତୀ ବସୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର