ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ଜୁଲମ: ରାସ୍ତାକଡ଼ରେ ସାନିଟାଇଜର, ଫିନାଇଲ୍‌ ଦୋକାନ ଭାଙ୍ଗିଲେ

ଭୁବନେଶ୍ବର : ରାଜଧାନୀରେ କରୋନା କଟକଣା ନାଁରେ ଏନଫୋର୍ସମେଣ୍ଟ ଟିମ୍‌ର ଜୁଲମ୍ ଦେଖିବାକୁ ମିଳିଛି। ୟୁନିଟ୍-୧ ହାଟ ଆଗରେ ଫିନାଇଲ ଓ ସାନିଟାଇଜର ବିକ୍ରି ହେଉଥିବା ଦୋକାନକୁ ଭଙ୍ଗାରୁଜା କରିଛନ୍ତି। ଏହା ସହ ଦୋକାନୀ ଅରୁଣ ପରିଡ଼ାଙ୍କ ଠାରୁ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି। କିନ୍ତୁ ନଷ୍ଟ ହୋଇ ଯାଇଥିବା ସାମଗ୍ରୀ ମୂଲ୍ୟ ୧ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଅରୁଣଙ୍କର ୟୁନିଟ୍ ୧ ହାଟ ଆଗରେ ଭେଣ୍ଡିଂ ଜୋନରେ ଦୋକାନ ରହିଛି। ସେ ଫୁଟପାଥରେ ଏକ ଷ୍ଟଲ୍ ଖୋଲି ଫିନାଇଲ, ସାନିଟାଇଜର, ହ୍ୟାଣ୍ଡଵାସ୍ ବିକ୍ରି କରୁଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସେଠାରେ ପହଞ୍ଚିଥିଲା। କାହିଁକି ଦୋକାନ ଖୋଲିଛ ବୋଲି କହିବା ସହ ଗାଳିଗୁଲଜ କରିଥିଲେ। ଏପରିକି ଏହି ସବୁ ସାମଗ୍ରୀ ଥିବା କାଠର ରୢାକ୍‌କୁ ଠେଲି ଦେଇଥିଲେ। ଫଳରେ ରୢାକରୁ ସାମଗ୍ରୀ ତଳେ ପଡ଼ି ଯିବାରୁ ଭାଙ୍ଗିରୁଜି ଯାଇଥିଲା। ଏହା ପରେ ତାଙ୍କ ଠାରୁ ୫ ଶହ ଟଙ୍କା ଜରିମାନା ଆଦାୟ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଏନଫୋର୍ସମେଣ୍ଟ ଟିମ୍ ଯଦି ଜରିମାନା ଆଦାୟ କଲା ତାହେଲେ ଭଙ୍ଗାରୁଜା କାହିଁକି କଲା? ଏଥିପାଇଁ ଏନଫୋର୍ସମେଣ୍ଟ ଟିମର ଅଧିକାରୀ ଦାୟୀ ରହିବେ କି ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଆଖପାଖରେ ଏକାଧିକ ଦୋକାନ ଆଜି ଖୋଲା ରହିଥିଲା।

ସମ୍ବନ୍ଧିତ ଖବର