ସାବାଡ଼ ହେବେ କୋଭିଡ ନିୟମ ଉଲ୍ଲଂଘନକାରୀ, ଭୁବନେଶ୍ୱର-କଟକରେ ମୁତୟନ ହେବେ ଏନଫୋର୍ସମେଣ୍ଟ ଟିମ: ଡିଜିପି

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନଶ୍ବେର-କଟକରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୁଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ଦ୍ବୈତ ନଗରୀର ଆଇଆଇସି, ଏସିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି। ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ, ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଓ କଟକ ଡିସିପି ପ୍ରତୀକ ସିଂ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ପୁଲିସ ବିଭାଗ ନିଷ୍ପତ୍ତି କରିଛି । ପୁଲିସ ମହାନିର୍ଦ୍ଦେଶକ ଅଭୟ ଭୁବନେଶ୍ୱର-କଟକ କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋଭିଡ କଟକଣାକୁ ଆହୁରି ଶକ୍ତ କରାଯାଉ । ଡିଜିପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାର୍କେଟ ଅଂଚଳରେ କୋଭିଡ ଏନଫୋର୍ସମେଣ୍ଟ ଟିମ ରହିବ । ଏହି ଟିମ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ।

ଡିଜିପି ଅଭୟ କହିଛନ୍ତି ଯେ, ହଟସ୍ପଟ ଅଂଚଳରେ କଡ଼ା ନଜର ରଖାଯିବ । ଭୁବନେଶ୍ୱର-କଟକରେ ଅଧିକ ୫୦ ପୁଲିସ ଅଫିସର ଓ ୫ ପ୍ଲାଟୁନ ପୁଲିସ ମୁତୟନ ରହିବେ । ଏମାନେ କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଅଧିକ କ୍ରିୟାଶୀଳ କରିବାରେ ସହଯୋଗ କରିବେ । କୋଭିଡ ଏନଫୋର୍ସମେଣ୍ଟ ପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ଭାଗ କରାଯିବ ଏବଂ ପ୍ରତି ଜୋନର ଦାୟିତ୍ୱ ନେବେ ଜଣେ ଲେଖାଏଁ ଡିସିପି ।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ କହିଥିଲେ ଯେ, ରାଜ୍ୟର ଅନ୍ୟ ଅଂଚଳରେ କୋଭିଡ ନିୟମର କଡ଼ାକଡ଼ି ଅନୁପାଳନ ସନ୍ତୋଷଜନକ ଥିବା ବେଳେ ଭୁବନେଶ୍ୱର ଓ କଟକରେ ଏହା ସେତେଟା ଉତ୍ସାହଜନକ ନାହିଁ । ତେଣୁ ଭୁବନେଶ୍ୱର ଓ କଟକ କମିସନରେଟ ଅଂଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୁଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର