ଉଚ୍ଛେଦ ପ୍ରହସନ

କେବଳ ଝୁମ୍ପୁଡ଼ି ଭାଙ୍ଗିବାରେ ମାତିଛନ୍ତି

ସ୍ଥାଣୁ ପାଲଟିଛି ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌

ଭୁବନେଶ୍ୱର: ରାଜଧାନୀର ସମସ୍ତ ଫୁଟପାଥ୍‌ ଜବରଦଖଲ ମୁକ୍ତ ହେବ। କୌଣସି ଫୁଟପାଥ୍‌ରେ ଉଠା ଦୋକାନୀ ବ୍ୟବସାୟ କରିବେନି। ଏହା କେବଳ ପାଦ ଚଲା ଲୋକଙ୍କ ଯାତାୟାତ ପାଇଁ ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଏହାକୁ ସାଇକେଲ୍‌ ଟ୍ରାକ୍‌ ଭାବେ ବ୍ୟବହାର କରାଯିବ। ଏଥିପାଇଁ ନିୟମିତ ବ୍ୟବଧାନରେ କେତେକ ସ୍ଥାନରେ ଉଠା ଦୋକାନୀଗୁଡ଼ିକୁ ଉଚ୍ଛେଦ କରାଯାଉଛି। କିନ୍ତୁ ଉଚ୍ଛେଦ ହେବାର କେଇ ଘଣ୍ଟା ଭିତରେ ପୁଣି ଉଠା ଦୋକାନୀଙ୍କ କବ୍‌ଜାକୁ ଫୁଟପାଥ୍‌ ଆସିଯାଉଛି। ଏପରିକି ଫୁଟପାଥ୍‌ ଯେପରି ଜବରଦଖଲ ନହେବ ସେଥିପାଇଁ ସ୍ୱତନ୍ତ୍ର ଭାବେ ୨ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ଥିଲେ ହେଁ ଆଜି ପର୍ଯ୍ୟନ୍ତ ରାଜଧାନୀର କୌଣସି ଗୋଟିଏ ବି ଫୁଟପାଥ୍‌ ଜବରଦଖଲମୁକ୍ତ ହୋଇପାରିଲାନି। ବରଂ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ିଚାଲିଛି।କେବଳ ଉଠା ଦୋକାନୀ ନୁହେଁ କେଉଁଠି ଫୁଟପାଥ୍‌ ଉପରେ ପାର୍କିଂ ହେଉଛି ତ କେଉଁଠି ସ୍ଥାୟୀ ଦୋକାନ, ଘର ନିର୍ମାଣ ହୋଇଛି। ବିଏମ୍‌ସି ଓ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଜାଣତରେ ଏ ସବୁ ଘଟୁଥିଲେ ହେଁ ସମସ୍ତେ ସବୁ ଜାଣି ଚୁପ୍‌।

ମୁଖିଆଙ୍କ ଫୁଟାଣି କମୁନି

ରାଜଧାନୀରେ କୌଣସି ପ୍ରକାରର ଜବରଦଖଲକୁ ପ୍ରୋତ୍ସାହିତ କରାଯିବନି। ଉଚ୍ଛେଦବେଳେ ଜିରୋ ଟଲରାନ୍ସ ନୀତି ଆପଣାଯିବ। ରାଜଧାନୀକୁ ସୁନ୍ଦର ଏବଂ ବ୍ୟବସ୍ଥିତ ଢଙ୍ଗରେ ଗଢ଼ି ତୋଳିବା ପାଇଁ ଜବରଦଖଲ ଉଚ୍ଛେଦ ଜୋରଦାର୍‌ ହେବ। ଏହିଭଳି ଫୁଟାଣି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ମାରି ଚାଲିଛନ୍ତି। ଦୁଇ ମୁଖିଆଙ୍କର ନିର୍ଦ୍ଦେଶ କିନ୍ତୁ ଯେଉଁଦିନ କାର୍ଯ୍ୟକାରୀ ହେଉଛି ତାହା ପରଦିନ ଭଙ୍ଗାଯାଉଛି। ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ଝୁମ୍ପୁଡି ଉପରେ ବୁଲଡୋଜର୍‌ ଚଢ଼ାଇବରେ ମାତିଥିବାରୁ ରାଜଧାନୀ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକୁଳିପାରୁନି। ରାଜଧାନୀରେ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୧୨ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ କାର୍ଯ୍ୟ କରୁଛି। ଏଥିରେ ୪ଟି ବିଡିଏ ନେତୃତ୍ୱରେ କାର୍ଯ୍ୟ କରୁଥିବାବେଳେ ବିଏମ୍‌ସିର ତିନିଟି ଜୋନ୍‌ ପାଇଁ ୨ଟି ଲେଖାଏ ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ଦିଆଯାଇଛି। ଗୋଟିଏ ସ୍ମାର୍ଟ ସିଟି ଅଞ୍ଚଳ (ଶିଶୁଭବନରୁ ବାଣୀବିହାର) ଏବଂ ଆଉ ଗୋଟିଏ ସ୍କ୍ଵାଡ୍‌ ରାଜଭବନରୁ ପଟିଆ ପର୍ଯ୍ୟନ୍ତ ଅଞ୍ଚଳ ପାଇଁ ଅଛି। ହେଲେ ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ପୂରା ସ୍ଥାଣୁ ପାଲଟିଯାଇଛି।

ଚାନ୍ଦା ଦେଲେ ସବୁ ମାଫ୍‌

ନିକଟରେ ୧୨୦ ବାଟାଲିଅନ୍‌, ରାଜମହଲ ଛକ, ବିଜେବି କଲେଜ ଆଦି ନିକଟରେ ଫୁଟ୍‌ପାଥରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲେ ହେଁ ଏବେ ତା’ର ସୁରାକ୍‌ ନାହିଁ। ପୂର୍ବ ତୁଳନାରେ ଅଧିକ ମାତ୍ରାରେ କବ୍‌ଜା କରି ବସିଛନ୍ତି ବ୍ୟବସାୟୀ। ଏହି ଅଞ୍ଚଳରେ ବ୍ୟବସାୟୀମାନଙ୍କୁ ସେମାନେ କିପରି ଜବରଦଖଲ ପରେ ବସୁଛନ୍ତି ବୋଲି ପଚାରିବାରୁ ସେମାନେ କହିଛନ୍ତି ଯେ, ଯିଏ ଭାଙ୍ଗୁଛନ୍ତି ସେମାନେ କହୁଛନ୍ତି ଆମ କାମ ଆମେ କରୁଛୁ। ଆମେ ଗଲା ପରେ ତୁମେ ବସ। ଉଠାଦୋକାନୀମାନେ ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ଅଧିକାରୀଙ୍କୁ ଚାନ୍ଦା ଦେଲେ, ସଂଧ୍ୟାରେ ଘରକୁ ଗଲାବେଳେ କିଛି ଫଳ ଦେଇଦେଲେ ସବୁ ମାଫ୍‌ ବୋଲି କହୁଛନ୍ତି। ଉଠାଦୋକାନୀଙ୍କ ଏହି କଥା ସତ ବୋଲି ଆମେ ଗ୍ରହଣ କରିନଥାନ୍ତୁ କିନ୍ତୁ ଉଚ୍ଛେଦର କେଇ ଘଣ୍ଟା ଭିତରେ ପୁଣି ଜବରଦଖଲ ଗଢ଼ି ଉଠିବା ସବୁ ଅଭିଯୋଗକୁ ସତ୍ୟ ପ୍ରମାଣିତ କରିଦେଉଛି।

ବିଏମ୍‌ସି ଅଞ୍ଚଳ ବାହାରେ ଉଚ୍ଛେଦ ହେଉନି

ଏମ୍‌ସି ବାହାରେ ଥିବା ବିଡିଏ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ୪ଟି ସ୍କ୍ଵାଡ୍‌ ଅଛି। ହେଲେ ବିଏମ୍‌ସି ସ୍କ୍ଵାଡ୍‌, ସ୍ମାର୍ଟ ସିଟି ସ୍କ୍ଵାଡ୍‌ ଏବଂ ସ୍ପେଶାଲ ଜଏଣ୍ଟ ସ୍କ୍ଵାଡ୍‌ ଜବରଦଖଲ ଉଚ୍ଛେଦରେ ବିଫଳ ହେଉଥିବାରୁ ବିଡିଏ ସ୍କ୍ଵାଡ୍‌ ଏହି ଅଞ୍ଚଳରେ ଉଚ୍ଛେଦରେ ମାତିଛି। ଏପଟେ ତମାଣ୍ଡୋ, କଳିଙ୍ଗନଗର, ଜଟଣୀ, ଖୋର୍ଦ୍ଧା ଆଦି ଅଞ୍ଚଳରେ ଜବରଦଖଲକାରୀଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଥିବାବେଳେ ସ୍ଥାନୀୟ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି।

ଗୋଟିଏ ବି ଫୁଟପାଥ୍‌ ଜବରଦଖଲ ମୁକ୍ତ ହେଲାନି

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଭବନରୁ ନନ୍ଦନକାନନ ପର୍ଯ୍ୟନ୍ତ ଫୁଟପାଥ୍‌କୁ ଜବରଦଖଲ ମୁକ୍ତ କରିବା ପାଇଁ ସ୍ପେସାଲ ଜଏଣ୍ଟ ସ୍କ୍ଵାଡ୍‌ ଏବଂ ବାଣୀବିହାରରୁ ଶିଶୁ ଭବନ ପର୍ଯ୍ୟନ୍ତ ରାସ୍ତା ଓ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରିବାକୁ ସ୍ମାର୍ଟ ସିଟି ସ୍କ୍ଵାଡ୍‌ ରହିଛନ୍ତି। ଏହି ଦୁଇଟି ରାସ୍ତାରେ ଥିବା ଫୁଟପାଥ୍‌ ଯେପରି ଜବରଦଖଲ ନହେବ ସେଥିପାଇଁ ଏହି ଦୁଇଟି ସ୍ୱତନ୍ତ୍ର ସ୍କ୍ଵାଡ୍‌ର ପାଟ୍ରୋଲିଂ କରିବାକୁ କୁହାଯାଇଛି। ହେଲେ କାହିଁକି ଜବରଦଖଲମୁକ୍ତ ହୋଇପାରୁନି କହିହେବନି। ଏନେଇ ବିଡିଏର ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ) ଭବାନୀ ଶଙ୍କର ଚଇନିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମେ ଉଚ୍ଛେଦ କରୁଛୁ। ହେଲେ ଉଠା ଦୋକାନୀମାନେ ବାରମ୍ବାର ଫୁଟପାଥ୍‌ ଜବରଦଖଲ କରୁଛନ୍ତି। ଆମେ କ’ଣ କରିବୁ ଜାଣିପାରୁନୁ।

ବର୍ଷକୁ ୩କୋଟି ପାଣିରେ ପଡ଼ୁଛି

ରାଜଧାନୀରେ ଜବରଦଖଲ ଉଚ୍ଛେଦ ଜୋରଦାର୍‌ କରିବା ପାଇଁ ପ୍ରତ୍ୟେକ ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ରେ ୬ଜଣ ଲେଖାଏ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହିପରି ପ୍ରାୟ ୭୨ଜଣ ନିଯୁକ୍ତି ପାଇଛନ୍ତି। ମାସକୁ ୨୫ହଜାର ଲେଖାଏ ବେତନ ବି ନେଉଛନ୍ତି। ହେଲେ ଜବରଦଖଲ ଉଚ୍ଛେଦ କରିବା ତ ଦୂରର କଥା କିପରି ଜବରଦଖଲ ବଢ଼ିବ ସେହିଭଳି ଯୋଜନା ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ପ୍ରସ୍ତୁତ କରୁଛି। ଏହି କର୍ମଚାରୀମାନଙ୍କୁ ବେତନ ବାବଦକୁ ପ୍ରାୟ ୨କୋଟିରୁ ଅଧିକ ଟଙ୍କା ବେତନ ବାବଦକୁ ଦିଆଯାଉଥିବାବେଳେ ଏକ୍ସାକେଭେଟର୍‌, କର୍ମଚାରୀଙ୍କ ପାଇଁ ଥିବା ଗାଡ଼ିର ତେଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସ୍ଥିତିରେ ସାମାନ୍ୟ ବି ଉନ୍ନତି ଆସୁନଥିବାରୁ କର୍ତ୍ତୃପକ୍ଷ ବର୍ଷକୁ ୩କୋଟି ପାଣିରେ ପକାଉଛନ୍ତି ବୋଲି ଅଭିଯୋଗ ହେଲାଣି।

 

ସମ୍ବନ୍ଧିତ ଖବର