ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ବାଇଁ ଭଳି ଆଉ ଏକ ଧୂର୍ତ୍ତର କଳା କାରନାମା ଆଜି ପଦାକୁ ଆସିବା ପରେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଟ୍ରିମୋନି ସାଇଟ୍ରେ ଡାକ୍ତର, ଇଂଜିନିୟର୍, ଜିଲ୍ଲାପାଳ, ଅଧ୍ୟାପକ ଭଳି ପରିଚୟ ଦେଇ ମହିଳା, ଯୁବତୀଙ୍କୁ ଫସାଉଥିବା ଠକକୁ ଏୟାରଫିଲ୍ଡ ଥାନା ପୁଲିସ୍ ଆଜି ସୁନ୍ଦରପଦା ଅଞ୍ଚଳରୁ ଗିରଫ କରିଛି। ସେ ହେଲା, ଗଂଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସମୀର ବେଜ୍। ପୁଲିସ ତାକୁ ଗିରଫ କରିବା ପରେ କଟକ ସଦର ଥାନାକୁ ଜିମା ଦେଇଛି। ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କ ସହ ସଂପର୍କ ରଖି ଭିଡିଓ କରି ନେଉଥିଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଭାଇରାଲ କରିବାର ଧମକ ଦେଇ ଟଙ୍କା ଆଦାୟ କରୁଥିଲା।
ସୂଚନା ମୁତାବକ, ସମୀର୍ ମାଟ୍ରିମୋନି ସାଇଟ୍ରେ ଏକାଧିକ ଆକାଉଣ୍ଟ ଖୋଲିଥିଲା। ଇଂଜିନିୟର୍ ପରିଚୟ ଦେଇ ୨୦୧୯ ମସିହାରେ ସେ କଟକର ରୋଜାଲିନ୍ ବେହେରାଙ୍କୁ ବିବାହ କରିଥିଲା। ତେବେ ବିବାହର କିଛି ଦିନ ସମୀରର କାର୍ଯ୍ୟକଳାପକୁ ନେଇ ରୋଜାଲିନ୍ଙ୍କ ସନ୍ଦେହ ହୋଇଥିଲା। ତେଣୁ ରୋଜାଲିନ୍ ନିଜସ୍ତରରେ ଛାନ୍ଭିନ୍ ଆରମ୍ଭ କରିଥିଲେ। ବିବାହର ବର୍ଷକ ମଧ୍ୟରେ ସେ ସମୀରର ସବୁ କଳା କାରନାମା ବିଷୟରେ ଜାଣି ଯାଇଥିଲେ। ତେଣୁ ରୋଜାଲିନ୍ ନିଜ ବାପଘର କଟକକୁ ଚାଲି ଆସିଥିଲେ। ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇବା ପରେ ରମ୍ଭା ଥାନାରେ ଏକ ଏତଲା ଦିଆଯାଇଥିଲା। କିନ୍ତୁ ସେଠାରୁ ସମୀର ଚତୁରତାର ସହ ଖସି ଯାଇଥିଲା। ତେଣୁ ରୋଜନାଲିନ୍ କଟକ ସଦର ଥାନାରେ ଆଉ ଥରେ ଅଭିଯୋଗ କରିଥିଲେ। ସମୀର ଏଠାରେ ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଖବର ପାଇ ସଦର ଥାନା ପୁଲିସ୍ ଆଜି ଏୟାରଫିଲ୍ଡ ପୁଲିସ୍ ସହାୟତାରେ ତାକୁ ଗିରଫ କରିଥିଲା। ତେବେ ସମୀର କେତେ ଯୁବତୀଙ୍କୁ ଠକିଛି, ସେନେଇ ପୁଲିସ୍ ଛାନ୍ଭିନ୍ ଚଳାଇଛି।
ରାଜସ୍ଥାନ, ଦିଲ୍ଲୀରେ ଠକିଛି
ଭାରତ ମାଟ୍ରିମୋନି, ସାଦି ଡଟ୍ କମ୍ ଭଳି ବିଭିନ୍ନ ମାଟ୍ରିମୋନି ସାଇଟ୍ରେ ସମୀର ମାଳମାଳ ପ୍ରୋଫାଇଲ୍ ରହିଛି। କେଉଁଥିରେ ନିଜକୁ ଡାକ୍ତର ତ କେଉଁଥିରେ ଇଂଜିନିୟର୍, ଜିଲ୍ଲାପାଳ, ସରକାରୀ ଚାକିରିଆ, ଅଧ୍ୟାପକ ବୋଲି ନିଜକୁ ପରିଚୟ ଦେଇଛି। ଏମିତି ପ୍ରୋଫାଇଲ୍ ଦେଇ ସେ ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ ଭଳି ରାଜ୍ୟରେ ମହିଳା ଓ ଯୁବତୀଙ୍କୁ ଚୂନ ଲଗାଇଛି। ରୋଜାଲିନଙ୍କୁ ଭୁଆଁ ବୁଲାଇବା ପାଇଁ ସେ ମାସ ମାସ ଧରି ଅଫିସ୍ ଟୁର୍ ବାହାନାରେ ଦିଲ୍ଲୀ, ରାଜସ୍ଥାନ ଯାଉଥିଲା। ତେବେ ସେ ଘରକୁ ଫେରିବା ପରେ ତା’ ପାଖକୁ ପୁଳାପୁଳା ଝିଅଙ୍କ କଲ୍ ଆସୁଥିବାରୁ ରୋଜାଲିନ୍ଙ୍କ ସନ୍ଦେହ ବଢ଼ିଥିଲା। ରୋଜାଲିନ୍ କିଛି ଯୁବତୀଙ୍କ ସହ କଥା ହେବା ପରେ ସମୀରର ସବୁ କାରନାମା ଜାଣି ପାରିଥିଲେ।
ମାମୁ ଝିଅକୁ ବି ଛାଡ଼ିଲାନି
ସମୀର ନିଜ ମାମୁ ଝିଅକୁ ବି ଛାଡ଼ି ନଥିଲା। କୋଲକାତାରେ ମାମୁଘରେ ରହୁଥିବା ବେଳେ ମାମୁ ଝିଅକୁ ଫସାଇ ସାଙ୍ଗରେ ନେଇ ଆସିଥିଲା। ନିଜକୁ ଅଧ୍ୟାପକ ପରିଚୟ ଦେଇ ୬ ମାସ ହେବ ଏଠାରେ ସୁନ୍ଦରପଦା ଅଞ୍ଚଳରେ ଭଡ଼ାରେ ରହୁଥିଲା। ତେବେ ଭଉଣୀକୁ ଉଦ୍ଧାର କରିବା ପାଇଁ ମାମୁ ପୁଅ ସମୀର୍ର ସ୍ତ୍ରୀ ରୋଜନାଲିନଙ୍କ ସହ ଯୋଗାଯୋଗ କରିଥିଲେ। ତାକୁ ଧରିବା ପାଇଁ ଉଭୟ ଯୋଜନା କରିଥିଲେ। ନିଖୋଜ ଭଉଣୀକୁ ଠାବ କରିବା ପାଇଁ ମାମୁ ପୁଅ ପାଗଳ ବେଶରେ ୪ମାସ ହେବ ରାଜଧାନୀରେ ଡେରା ପକାଇଥିଲେ। ଭଉଣୀ ଏବଂ ସମୀର ଫଟୋକୁ ଲୋକଙ୍କୁ ଦେଖାଇ ଖୋଜି ଚାଲିଥିଲେ। ଶେଷରେ ସମୀରର ଠିକଣା ମିଳିଥିଲା। ଏ ସଂପର୍କରେ ରୋଜାଲିନ୍ ଜାଣିବା ପରେ କଟକ ସଦର ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଆଜି ସୁନ୍ଦରପଦାସ୍ଥିତ ଭଡ଼ା ଘରେ ଚଢ଼ଉ କରି ତାକୁ ଗିରଫ କରିଛି। ତେବେ ଯୁବତୀଙ୍କ ପତ୍ତା ମିଳିନାହିଁ।