ଭୁବନେଶ୍ୱର : ଗତ ବର୍ଷ ଜୁଲାଇ ମାସରେ ଖଣ୍ଡଗିରି ଥାନା ଅଧୀନ ଡେଲଟା ଛକ ନିକଟରେ ଥିବା ସାଇ ରେସିଡେନ୍ସି ଗେଷ୍ଟହାଉସରୁ ଜଣେ ଯୁବ ଇଂଜିନୟରଂଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଥିଲା। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ବନ୍ଦ କରି ଦେଇଥିଲା। ମାତ୍ର ମୃତ ଇଂଜିନିୟରଙ୍କ ମା’ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଦର୍ଶାଇ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ହତ୍ୟା ମାମଲା ରୁଜୁ କରି ସାନି ତଦନ୍ତ କରିବାକୁ କମିିସନରେଟ୍ ପୁଲିସକୁ ନିର୍ଦେଶ ଦେଇଛନ୍ତି। ମାତ୍ର ହାଇକୋର୍ଟର ଏଭଳି ନିର୍ଦେଶକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଗଲାଣି। କିନ୍ତୁ ପୁଲିସ ଏଯାଏ ତଦନ୍ତ ଆରମ୍ଭ କରିନାହିଁ। ଶେଷରେ ମୃତ ଇଂଜିନିୟରଙ୍କ ମା’ ଆଜି ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିବାକୁ ନେହୁରା ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୁବାସିନୀଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ନାଗପାଳ ଗାଁରେ। ଏଠାରେ ସେ ବରମୁଣ୍ଡା ଇମ୍ପେରିଆଲ୍ ମାନସନ୍ ଆର୍ପାଟମେଣ୍ଟ୍ରେ ରହୁଥିଲେ। ତାଙ୍କ ପୁଅ ଅକ୍ଷୟ ପୋଥାଳ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗରେ ସହକାରୀ ଇିଂଜିନିୟର ଥିଲେ। ସୁବାସିନୀଙ୍କ କହିବା ଅନୁଯାୟୀ ପୁଅର ବିବାହ ପରେ ବୋହୂ ସହିତ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ସମୟରେ ଝଗଡ଼ା ଲାଗୁଥିଲା। ଏହି କାରଣରୁ ଗତ ବର୍ଷ ମେ’ ମାସ ୩୧ ତାରିଖଠାରୁ ପୁଅ ଅକ୍ଷୟ ଆଉ ଘରକୁ ଆସୁ ନ ଥିଲା। ଗାଁ ଘରକୁ ଯାଉଥିଲା, ନଚେତ ଭୁବନେଶ୍ୱର ଡେଲଟା ଛକରେ ଥିବା ସାଇ ରେସିଡେନ୍ସି ଗେଷ୍ଟହାଉସରେ ରହୁଥିଲା।
ଗେଷ୍ଟ ହାଉସରେ ରହିବାର ଦୁଇ ମାସ ପରେ, ଅର୍ଥାତ ଜୁଲାଇ ୧୬ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାବେଳେ ପୁଅର ମୃତ୍ୟୁ ହୋଇଛି ବୋଲି ପୁଲିସ କହିଥିଲା। ଖବର ପାଇ ମା’ ସୁବାସିନୀ କ୍ୟାପିଟାଲ୍ ହସ୍ପିଟାଲ୍ ଶବଗୃହ ନିକଟକୁ ଯାଇଥିଲେ। ପୁଲିସ ତାଙ୍କୁ କହିଥିଲା ପୁଅ ଖଟରୁ ପଡ଼ି ମୃତ୍ୟୁ ବରଣ କରିଛି ବୋଲି। ପୁଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ମା’ ସୁବାସିନୀଙ୍କ ମନରେ ସନ୍ଦେହ ହୋଇଥିଲା। କାରଣ ଯେଉଁ ରୁମ୍ରେ ଅକ୍ଷୟ ରହୁଥିଲେ ସେହି ରୁମ୍ ରକ୍ତରେ ଭାସୁଥିଲା। ଅକ୍ଷୟଙ୍କ ମୁଣ୍ଡ ପଛପଟେ ଏକ ଗର୍ତ ହୋଇଥିଲା। ସୁବାସିନୀଙ୍କ କହିବା ଅନୁଯାୟୀ ଦୁଇ ଫଟିଆ ଖଟରୁ ପଡ଼ି ଜଣେ ୩୫ ବର୍ଷର ଯୁବକ ମୃତ୍ୟୁ ଘଟିବା ସନ୍ଦେହପୂର୍ଣ। ଯଦି ବି ସେ ଖସି ପଡ଼ିଥିଲେ, ହୋଟେଲ କର୍ମଚାରୀମାନେ ଜାଣି ପାରିଲେ ନାହିଁ କିପରି। କାରଣ ପୁଅ ରହୁଥିବା ରୁମ୍କୁ ଲାଗି କରି ରିସେପସନ୍ ଥିଲା।
ବଡ଼ କଥା ହେଉଛି, ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ପୁଅର ମୁଣ୍ଡ ପଛରେ ଶକ୍ତ ଆଘାତ ଲାଗିଛି। ଶରୀରର ତଳ ଅଂଶରେ ଜୋର୍ ଆଘାତ ଲାଗିଛି। ଶରୀରର ତଳି ପେଟ, ପିଠି, ମୁହଁରେ ମଧ୍ୟ ଶକ୍ତ ଆଘାତ ପହଞ୍ଚିଛି। ଶରୀର ବିଭିନ୍ନ ସ୍ଥାନରେ ଚମଡ଼ା ଆଞ୍ଚୁଡ଼ା ଦାଗ ରହିଛି। ସୁବାସିନୀଙ୍କ ମନରେ ସନ୍ଦେହ ଯାହା ଯାହା ଉପରେ ହେଉଛି ସେ ନେଇ ପୁଲିସକୁ ମଧ୍ୟ ସେ ଜଣାଇଛନ୍ତି। କିନ୍ତୁ ପୁଲିସ କହୁଛି ଖଟରୁ ପଡ଼ିଲେ ଏସବୁ ହୁଏ। ତେଣୁ ଭିସେରା ରିପୋର୍ଟ ଆସୁ, ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ପୁଲିସର ଏଭଳି କଥା ଶୁଣିବା ପରେ ଅକ୍ଷୟଙ୍କ ମା’ ନିରାଶ ହୋଇ ପଡ଼ିଥିଲେ। ନ୍ୟାୟ ପାଇବା ପାଇଁ ସେ ଡିସିପିଙ୍କଠାରୁ ଆରମ୍ଭ କରି ପୁଲିସ କମିସନର, ପୁଲିସ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଭେଟି ଥିଲେ। କିନ୍ତୁ କେଉଁଠୁ ବି ସେ ନ୍ୟାୟ ପାଇ ନ ଥିଲେ। ଶେଷରେ ବାଧ୍ୟ ହୋଇ ସେ ହାଇ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ କମିସନରେଟ୍ ପୁଲିସକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଏକ ମାସରୁ ଅଧିକ ଦିନ ହୋଇ ଗଲାଣି। କିନ୍ତୁ ପୁଲିସ ଏଯାଏ ତଦନ୍ତ କରି ନାହିଁ ବୋଲି ମୃତ ଇଂଜିନିୟରଙ୍କ ମା’ ସୁବାସସିନୀ କହିଛନ୍ତି। ଶେଷରେ ଆଜି ଡିସିପିଙ୍କ କାର୍ଯ୍ୟାୟଳକୁ ଆସି ତଦନ୍ତ ତ୍ୱରାନ୍ଵିତ କରିବାକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/TAPAS-HIGHCOURT-ORDER.jpg)