ଇଂଜିନିୟର ଶ୍ବେତା ଆତ୍ମହତ୍ୟା ମାମଲା: ପୁରୁଷବନ୍ଧୁ ସୌମ୍ୟଜିତ୍‌ ଫେରାର୍‌!

ଭୁବନେଶ୍ବର/ଚନ୍ଦ୍ରଶେଖରପୁର,: ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପଛରେ ବୟଫ୍ରେଣ୍ଡ ତଥା ସଫ୍ଟୱେର୍‌ ଇଞ୍ଜିନିୟର ସୌମ୍ୟଜିତ୍ ମହାପାତ୍ରଙ୍କ ଭୂମିକା ରହିଛି ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଦୀର୍ଘ ଦିନ ଧରି ଲିଭ୍‌-ଇନ୍‌ ସମ୍ପର୍କରେ ରହିବା ପରେ ବାହାଘର ଭାଙ୍ଗିଯିବାରୁ ଶ୍ବେତା ଘୋର ମାନସିକ ଚାପରେ ଥିବା ଜଣାପଡ଼ିଛି। ଏମିତିକି ସୌମ୍ୟଜିତ୍‌ ତାଙ୍କୁ ପ୍ରତାରଣା କରିଥିବା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି।

ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିବା ପଛରେ ପ୍ରକୃତରେ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଶ୍ବେତାଙ୍କ ପରିବାର ପକ୍ଷରୁ ସୌମ୍ୟଜିତ୍‌ ନାଁରେ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ଅଣାଯାଇଥିବା ବେଳେ ଭା‌ଇରାଲ୍‌ ହୋଇଥିବା ଏକ ଅଡିଓ କ୍ଲିପ୍‌ରୁ ଅନ୍ୟ ଚିତ୍ର ପଦାକୁ ଆସିଛି। ଉକ୍ତ କ୍ଲିପ୍‌ରେ ଶ୍ବେତା ତାଙ୍କ ପ୍ରେମକୁ ଫେରି ପାଇବାକୁ ନିବେଦନ କରୁଥିବା ବେଳେ ସୌମ୍ୟଜିତ୍‌ ତାଙ୍କୁ ପିଛା ଛାଡ଼ିବାକୁ କହୁଥିବା ଶୁଣିବାକୁ ମିଳିଛି। ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ସୌମ୍ୟଜିତ୍‌ କୌଣସି କାରଣରୁ ଶ୍ବେତାଙ୍କୁ ପ୍ରତାରଣା ଦେଇଛନ୍ତି। ଏହା ଭିତରେ ଆଜି ସମ୍ବଲପୁର ଅଇଁଣ୍ଠାପାଲି ଥାନା ବରେଇପାଲି ବଂଶୀଧରନଗରରୁ ସୌମ୍ୟଜିତ୍‌ ଉଭାନ୍‌ ହୋଇଯାଇଥିବା ଜଣାପଡ଼ିଛି। କମିସନରେଟ୍‌ ପୁଲିସ ତାଙ୍କ ଘରେ ପହଞ୍ଚିନଥିଲେ ବି ସେ ଗାଏବ୍‌ ହୋଇଯାଇଛନ୍ତି। ଶ୍ବେତାଙ୍କ ଆତ୍ମହତ୍ୟାାର ପରଦିନ ଚନ୍ଦ୍ରଶେଖରପୁର ଥାନା ପୁଲିସ ତାଙ୍କୁ ଯୋଗାଯୋଗ କରି ପଚରାଉଚରା କରିଥିଲା। କିନ୍ତୁ ସେତେବେଳେ ଶ୍ବେତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇନଥିଲା। ଏବେ ଅଭିଯୋଗ ହେବା ପରେ ସୌମ୍ୟଜିତ୍‌ ଗାଏବ୍‌।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଆତ୍ମହତ୍ୟା କରିବା ପୂର୍ବରୁ ସେଦିନ ଶ୍ୱେତା ଅଧଘଣ୍ଟା ଭିତରେ ସୌମ୍ୟଙ୍କୁ ୨୦ରୁ ଅଧିକ ଥର କଲ୍ କରିଥିଲେ। ରାତି ସାଢ଼େ ୧ଟା ପର୍ଯ୍ୟନ୍ତ ସେ ସୌମ୍ୟଙ୍କୁ ବାରମ୍ବାର କଲ୍‌ କରିଥିଲେ। କିନ୍ତୁ ସୌମ୍ୟ ଫୋନ୍‌ ରିସିଭ୍‌ କରିନଥିଲେ। ସିଡିଆର୍‌ ରିପୋର୍ଟରୁ ଏହି ତଥ୍ୟ ପୁଲିସ ହାତରେ ଲାଗିଛି। ‌ତେଣୁ ସୌମ୍ୟଜିତ୍‌ ହିଁ ଶ୍ବେତାଙ୍କୁ ପ୍ରତ୍ୟାଖ୍ୟାନ କରିବାରୁ ସେ ଆତ୍ମହତ୍ୟା କଲା ଭଳି ଚରମ ନିଷ୍ପତ୍ତି ନେଇଗଲେ। ଏଣେ ଶ୍ବେତାଙ୍କ ବାପା ଥାନାରେ କରିଥିବା ଅଭିଯୋଗ ଅନୁସାରେ ସେମାନେ ଲିଭ୍‌-ଇନ୍‌ରେ ରହୁଥିବା ଜଣାପଡ଼ିବା ପରେ ବାହାଘର ପ୍ରସ୍ତାବ ପଡ଼ିଥିଲା। ମାତ୍ର ସୌମ୍ୟଜିତ୍‌ଙ୍କ ପରିବାର ପକ୍ଷରୁ ୩୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା।

ଏହା ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌-ଅପ୍‌ ହୋଇଯାଇଥିଲା। ସୌମ୍ୟଜିତ୍‌ ଭୁବନେଶ୍ବର ଛାଡ଼ି ସମ୍ବଲପୁର ପଳାଇଥିଲେ। ଏହା ପରେ ସେ ଶ୍ବେତାଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଣେ ଆଜି ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଛି। ସେଥିରେ ସୌମ୍ୟ ପିଛା ଛାଡ଼ିବାକୁ ଶ୍ବେତାଙ୍କୁ କହୁଛନ୍ତି ଓ ଶ୍ବେତା ତାଙ୍କୁ ପାଇବାକୁ ଆବଶ୍ୟକ ହେଲେ ଥାନାର ଦ୍ବାରସ୍ଥ ହେବେ ବୋଲି କହୁଛନ୍ତି। ତେବେ ଏହି କ୍ଲିପ୍ ସତ କି ମିଛ ଜଣାପଡ଼ିନାହିଁ। ତେଣୁ ଏଥିରୁ କିଛି ଅନୁମାନ କରିବା ଠିକ୍‌ ନୁହେଁ ବୋଲି କୁହାଯାଉଛି। ତେଣୁ ପୁଲିସ ସୌମ୍ୟଜିତ୍‌ଙ୍କୁ ଜେରା କରିବା ପ‌ରେ ହିଁ ପ୍ରକୃତ ସତ ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଆଜି ସମ୍ବଲପୁରର କିଛି ଗଣମାଧ୍ୟମ ପ୍ରତିନିଧି ସୌମ୍ୟଜିତଙ୍କ ମତାମତ ପାଇଁ ବରେଇପାଲି ବଂଶୀଧରନଗରସ୍ଥିତ ତାଙ୍କ ଘରକୁ ଯାଇଥିଲେ। ପରିବାର ଲୋକେ ଘର ବନ୍ଦ କରି ରହିଥିଲେ ଓ କାହାକୁ କଥା ହେବାକୁ ସୁଯୋଗ ଦେଇନଥିଲେ। ପାଖପଡ଼ୋଶୀଙ୍କ ସୂଚନାନୁସାରେ ଗତରାତିରୁ ବଡ଼ ଭାଇ ତାଙ୍କୁ ବୁଲେଟ୍‌ରେ ନେଇ କେଉଁଠି ଛାଡ଼ି ଦେଇଛନ୍ତି। ସମ୍ବଲପୁରରେ ଏହି ଫେରାର୍ ହେବାର ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର