ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ର ମୃତ

ଖଣ୍ଡଗିରି: ଗୁରୁବାର ଅପରାହ୍ଣ ପ୍ରାୟ ୨ଟା‌ରେ ସ୍ଥାନୀୟ ଘାଟିକିଆ-ଶ୍ୟାମପୁର ରାସ୍ତାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ୟୁନିଟ୍-୮ ଡେଲ୍‌ଟା କଲୋନିରେ ରହୁଥିବା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଭୂୟାଁଙ୍କ ପୁଅ ବଦ୍ରିନାରାୟଣ(୨୦)। ବଦ୍ରି କୌଣସି ଘରୋଇ ଇଂଜିନିୟରିଂ କଲେଜ‌ର ଛାତ୍ର ଥିବା ସୂଚନା ମିଳିଛି। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଦୁର୍ଘଟଣା ବାବଦରେ ଅଧିକ ଛାନ୍‌ଭିନ୍‌ ଜାରି ରହିଛି।ସୂଚନାନୁସାରେ, ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ ବଦ୍ରି ତାଙ୍କ ବା‌ଇକ୍‌ ନେଇ କୌଣସି କାମରେ ଶ୍ୟାମପୁର ନୂଆଗାଁ ଯାଉଥିଲେ। ସେ ସମ୍‌ ହସ୍ପିଟାଲ ପାର୍ ହେବା ପରେ ପରେ କୌଣସି ଏକ ଭାରୀଯାନ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଦୁର୍ଘଟଣା ସମୟରେ କେହି ସ୍ଥାନୀୟ ଲୋକେ ଉପସ୍ଥିତ ନଥିବାରୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର୍ ହୋଇଯାଇଥିଲା। କିଛି ସମୟ ପରେ ବଦ୍ରି ରାସ୍ତାରେ ରକ୍ତ ଜୁଡ଼ୁବୁଡୁ ହୋଇ ପଡ଼ିଥିବା‌ ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ। ପୁଲିସ ଦୁର୍ଘଟଣାସ୍ଥଳରୁ ବଦ୍ରିଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତି କଲା ବେଳକୁ ସେ ଆଖି ବୁଜି ସାରିଥିଲେ। ବଦ୍ରିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଡେଲ୍‌ଟା କଲୋନି‌ରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର