ଲଣ୍ଡନରେ ଭାରତୀୟ ଇଂଜିନିୟରଙ୍କ ରହସ୍ୟଜନକ ମୃତ୍ୟୁ : ୧୪ ଦିନ ପରେ ପୁରୀରେ ପହଞ୍ଚିଲା ଶବ

ଭୁବନେଶ୍ବର : ଲଣ୍ଡନରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଯାଇଥିବା ପୁରୀର ଇଂଜିନିୟର ବିନୟ ପାଣିଙ୍କ ଶବ୧୪ ଦିନ ପରେ ଓଡ଼ିଶାରେ ପହଞ୍ଚିଛି। ରବିବାର ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କମ୍ପାନିର କ୍ରାଇସିସ୍‌ ମ୍ୟାନେଜର ଭାବରେ ସୁନାମ ଅର୍ଜନ କରିଥିବା ବିନୟଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ‌ସେଠାକାର ଏକ ମେଡିକାଲରେ ବିନୟଙ୍କ ଶବ ଦୁଇଦିନ ଧରି ଅପରିଚିତ ଭାବରେ ପଡ଼ି ରହିଥିଲା। ଏପଟେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ଭାରତୀୟ ଦୂତାବାସର ସହଯୋଗ ଲୋଡ଼ିଥିଲେ। ଦୂତାବାସ ପକ୍ଷରୁ ବିନୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଥିଲା। ମେଡିକାଲରେ ଭର୍ତ୍ତି କରାଯିବା ବେଳେ ତାଙ୍କର ପରିଚୟ କିଭଳି ଜଣାପଡ଼ିଲା ନାହିଁ, ମୋବାଇଲ ଫୋନ୍‌ ତାଙ୍କ ପକେଟ୍‌ରେ ଥିଲେ ମଧ୍ୟ ତାଙ୍କର ପରିଚୟ ଜାଣିବା ପାଇଁ କାହିଁକି ଚେଷ୍ଟା କରାଗଲା ନାହିଁ ଆଦି ଅନେକ ପ୍ରଶ୍ନ ତାଙ୍କର ମୃତ୍ୟୁର କାରଣକୁ ‌ନେଇ ସନ୍ଦେହ ସୃଷ୍ଟି କରିଛି। ତେବେ ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦରେ ଏହା ସ୍ବାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ ହେବା ସହ ଶରୀରର କିଛି ଅଂଶ ମୃତ୍ୟୁର କାରଣ ଖୋଜିବା ପାଇଁ ରଖାଯାଇଛି। ଅନ୍ୟପକ୍ଷରେ ମୃତ୍ୟୁର କାରଣ ଖୋଜିବା ସହ ମୃତ୍ୟୁ ପଛରେ ଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିନୟଙ୍କ ସଂପର୍କୀୟମାନେ ଦାବି କରିଛନ୍ତି। ପରିବାରରେ ତାଙ୍କର ପତ୍ନୀଙ୍କ ସମେତ ଏକମାତ୍ର ୬ ବର୍ଷର କନ୍ୟାସନ୍ତାନ ରହିଛନ୍ତି।

ଗତ ଡିସେମ୍ବର ମାସରେ ସେ ଲଣ୍ଡନ ଯାଇଥିବା ବେଳେ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ହିଁ ତାଙ୍କ କନ୍ୟାର ଜନ୍ମଦିନ ଥିଲା। ସୂଚନା ଅନୁଯାୟୀ ସେ ଦୁଇଦିନ ଧରି ଅଫିସ୍‌ ଯାଇ ନଥିଲେ ମଧ୍ୟ କମ୍ପାନି ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇ ନଥିଲା। ହସ୍‌ପିଟାଲ କର୍ତ୍ତୃପକ୍ଷ ମଧ୍ୟ ପରିଚୟ ଜାଣିବା ପାଇଁ କୌଣସି ଚେଷ୍ଟା କରି ନଥିଲେ। ଏଭଳି ଏକ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କମ୍ପାନିର ଯେଉଁ ସମସ୍ୟା ସମାଧାନ କରିବା ପାଇଁ ବିନୟ ଯାଇଥିଲେ, ତାହା କରାଇ ନଦେବା ପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର