ସନ୍ଦେହଘେରରେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ମାମଲା: ୬ ଦିନ ପରେ ବି ମିଳୁନି ସ୍କୁଟି

ବାଲିଅନ୍ତା: ସହିଦନଗର ଥାନା ଅଧୀନ ବାଙ୍କୁଆଳ ନିକଟସ୍ଥ କୁଆଖାଇ ନଦୀରୁ ଯୁବ ଅଟୋମୋବାଇଲ ଇଂଜିନିୟର ଗଣେଶ ଗଗରାୟଙ୍କ (୨୫) ଶବ ମିଳିବା ଘଟଣାକୁ ୩ ଦିନ ବିତିଗଲାଣି। ହେଲେ ଗଣେଶଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ? କେଉଁ ପରସ୍ଥିତିରେ ଗଣେଶଙ୍କ ମୃତ୍ୟୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିନଥିବା ବେଳେ ତମାମ ଘଟଣା ସନ୍ଦେହ ଘେରରେ ରହିଛି। ଗଣେଶ ନଦୀକୁ ଡେଇଁ ଆତ୍ମହତ୍ୟା କରିନାହାନ୍ତି ବୋଲି ତଦନ୍ତକାରୀ ଅଧିକାରୀ ଓ ମୃତକଙ୍କ ପରିବାର ଲୋକ ସ୍ପଷ୍ଟ ହୋଇସାରିଥିବା ସୂଚନା ମିଳିଛି। ଅପରପକ୍ଷରେ ଶାରୀରିକ ଅସୁସ୍ଥତା କିମ୍ବା ନିଶାଗ୍ରସ୍ତ ଅବସ୍ଥାରେ ପାଣିରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିବା କାରଣକୁ ନେଇ ମଧ୍ୟ ବାଲିଅନ୍ତା ଥାନା ପୁଲିସ ଚିନ୍ତାରେ ପଡ଼ିଛି। ମାନସିକ ସ୍ଥିତି ସାମାନ୍ୟ ଖରାପ ଥିବାରୁ ଗଣେଶ କେନ୍ଦୁଝରରେ ବିଟେକ୍‌ରେ ନାମ ଲେଖାଇ ଗୋଟିଏ ବର୍ଷ ପରେ ସେଠାରୁ ଛାଡ଼ି ପଳାଇ ଆସିଥିବା ପୁଲିସ ସୂଚନା ଦେଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଗଣେଶଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ନଦୀକୁ ଫିଙ୍ଗିଦେଇଥିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି। କିନ୍ତୁ ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ଅଭିଯୋଗ ହୋଇନଥିବା ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି। ସେହିପରି ଗଣେଶ ନିଖୋଜ ହେବାଠାରୁ ଓ କୁଆଖାଇରୁ ଶବ ଉଦ୍ଧାର ହେବା ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ସ୍କୁଟି ଜବତ ନହେବା ଘଟଣା ବି ପୁଲିସକୁ ଚିନ୍ତାରେ ପକାଇଛି। ଗତ ୧୯ ତାରିଖରେ ସେ ନିଖୋଜ ଥିବା ସଂକ୍ରାନ୍ତରେ ତାଙ୍କ ବାପା ଲକ୍ଷ୍ମୀଧର ଗଗରାୟ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ।

ସୂଚନା ମୁତାବକ, ଗତ ୧୯ ତାରିଖ ସକାଳେ ଗଣେଶ ତାଙ୍କା ଦାଦା ପୁଅ ଭାଇକୁ ନେଇ ପଟିଆ ପେଟ୍ରୋଲ ପମ୍ପ ନିକଟରେ ଛାଡ଼ିଥିଲେ। ତାଙ୍କର ଏକ ଘରୋଇ ସଂସ୍ଥାରେ ଚାକିରି ହୋଇଯାଇଥିଲା। ତେଣୁ ମଞ୍ଚେଶ୍ବର ସ୍ଥିତ ଉକ୍ତ ସଂସ୍ଥାକୁ ସେଦିନ ସେ ଯୋଗାଯୋଗ କରିବାକୁ ଯାଇଥିଲେ। ହେଲେ ସେବେଠାରୁ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ୪ ଦିନ ପରେ ବାଙ୍କୁଆଳ ସ୍ଥିତ କୁଆଖାଇ ନଦୀରେ ଶବ ଭାସୁଥିବା ଦେଖି ସେଠାକୁ ଗାଧୋଇବାକୁ ଯାଇଥିବା ଲୋକମାନେ ପୁଲିସକୁ ଫୋନ କରି ଜଣାଇଥିଲେ। ଏଭଳି ସ୍ଥିତିରେ ଗଶେଶଙ୍କ ମୃତ୍ୟୁ ଘଟଣା ସଂପୂର୍ଣ୍ଣ ସନ୍ଦେହ ଘେରରେ ରହିଛି। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମଗ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର