ଭୁବନେଶ୍ୱର : ଗବେଷଣା କ୍ଷେତ୍ରରେ ଓଡ଼ିଶାର ଇଞ୍ଜିନିୟରିଂ ଛାତ୍ରଙ୍କୁ ମିଳିଛି ସଫଳତା। ବାହାର ରାଜ୍ୟର ଛାତ୍ରଙ୍କ ତୁଳନାରେ ଏମାନେ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ଏମାନେ। ମାତ୍ର ଏକ ବର୍ଷ ମଧ୍ୟରେ ୧୦ ଜଣ ଛାତ୍ର ମିଳିତ ଭାବେ ତିଆରି କରିଛନ୍ତି ଏକ ସୋଲାର କାର୍, ଯାହାକି ସମ୍ପୂର୍ଣ୍ଣ ଚାର୍ଜ ହେଲେ ୬୦ କି.ମି. ପର୍ଯ୍ୟନ୍ତ ଗଡ଼ୁଛି। ଏଭଳି ସଫଳତା ମିଳିବା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ମିଳିବାରେ ଲାଗିଛି।
ଗଙ୍ଗପଡ଼ାସ୍ଥିତ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଫର ଟେକ୍ନୋଲୋଜି (ଜିଆଇଏଫ୍ଟି) ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଶେଷ ବର୍ଷର ଛାତ୍ରମାନେ ଏହି ହାଇବ୍ରିଡ୍ ସୋଲାର କାର୍ ଡିଜାଇନ୍ କରିଛନ୍ତି। କଲେଜର ପ୍ରଫେସର ଅମର କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରମାନେ ଗତବର୍ଷ ଏଭଳି ଏକ ଅଭିନବ ପ୍ରୟାସ କରିଥିଲେ। ଏକ ବର୍ଷ ଧରି ବ୍ୟାପକ ଗବେଷଣା ସାଙ୍ଗକୁ ପାଠପଢ଼ାରୁ ସମୟ ବାହାରି କରି ସେମାନେ କାର୍ ତିଆରି କାର୍ଯ୍ୟରେ ସମୟ ଦେଇଥିଲେ। ବିଭିନ୍ନ ସମୟରେ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ ପ୍ରକାର ପାରାମିଟରରେ କାର୍ଟିକୁ ଯାଞ୍ଚ କରିବା ପରେ ତାହା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାର୍ଟି ପରିବେଶ ଉପଯୋଗୀ ହୋଇଛି ବୋଲି ଛାତ୍ରମାନେ କହିଛନ୍ତି।
ସେମାନଙ୍କ କହିବାନୁଯାୟୀ ୧୦୦ ଓ୍ଵାଟ୍ ବିଶିଷ୍ଟ ୩ଟି ସୋଲାର ପ୍ୟାନେଲ୍ ଏହି କାର୍ରେ ଲଗାଯାଇଛି। ଏଥିସହ ଗୋଟିଏ ମୋଟର ମଧ୍ୟ ସେଥିରେ ସଂଯୋଗ ହୋଇଛି, ଯାହାକି ୧.୨ ଏଚ୍ପିର। କାର୍ର ଆଗପାର୍ଶ୍ୱରେ ଡିସ୍ ବ୍ରେକ୍ ଲାଗିଥିବା ବେଳେ ପଛପାର୍ଶ୍ୱରେ ଡ୍ରମ୍ ବ୍ରେକ୍ ଲାଗିଛି। ଚାର୍ଜ ରଖିବା ଲାଗି କାର୍ରେ ୪ଟି ବ୍ୟାଟେରି ସଂଯୋଗ ହୋଇଛି। ପ୍ରତ୍ୟେକ ବ୍ୟାଟରି ୧୨ ଭୋଲ୍ଟ ବିଶିଷ୍ଟ ହୋଇଛି। ଗାଡ଼ିର ଓଜନ ୫.୫ କୁଇଣ୍ଟାଲ୍ ଥିବା ବେଳେ ଲମ୍ବ ୯୧ ଇଞ୍ଚ।କାର୍ ପ୍ରସ୍ତୁତ ଲାଗି ୩୬୫ ଦିନ ସମୟ ଲାଗିଥିବା ବେଳେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଛାତ୍ରମାନେ କହିଛନ୍ତି।
କଲେଜ ଛାତ୍ର ପ୍ରୀତି ରଞ୍ଜନ ବରାଦ, ରଜତ କୁମାର ରାଉତ, କାବ୍ୟକାନ୍ତ ଦାଶ, ରାଜେଶ ମଲ୍ଲିଆ, ପ୍ରଭୁକଲ୍ୟାଣ ପୃଷ୍ଟି, ମାନସ ମିଲନ୍ ଶକ୍ତିଦତ୍ତ ଓଝା, ନରେନ୍ କୁମାର ମାଝି, ମିଲନ୍ କୁମାର ଦାଶ, ରାକେଶ କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଏହି କାର ପ୍ରସ୍ତୁତ କରିଛନ୍ତି। ଆଜି ସେମାନେ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ସାକ୍ଷାତକରି କାର୍ ସମ୍ପର୍କରେ ଅବଗତ କରାଇଥିଲେ। ମେୟର ଶ୍ରୀ ଜେନା ଛାତ୍ରମାନଙ୍କର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ।