ଭୁବନେଶ୍ୱର : ତମାଣ୍ଡୋ ଥାନା ଅଞ୍ଚଳର ଏକ ଘରୋଇ ଇଂଜିନିୟରିଂ କଲେଜ୍ର ୪ ଛାତ୍ର ନିଖୋଜ ମାମଲା ପୁଲିସ ଓ ସେମାନଙ୍କ ଅଭିଭାବକମାନଙ୍କ ନିଦ ହଜେଇ ଦେଇଛି। ୧୨ ତାରିଖରୁ ସେମାନେ ନିଖୋଜ ହୋଇଥିଲେ ହେଁ ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ତିନି ଦିନ ବିତିବା ପରେ ବି ସେମାନଙ୍କ ଟେର୍ ମିଳିନଥିବାରୁ ଅଭିଭାବକମାନେ ଆଜି ପୁଲିସ କମିସନରଙ୍କ ସହାୟତା ଲୋଡ଼ିଛନ୍ତି। ନିଖୋଜ ଛାତ୍ରମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ଅଭିଭାବକମାନେ ଭିନ୍ନ ସନ୍ଦେହ କରିଛନ୍ତି। ଏମିତିକି କେହି ସେମାନଙ୍କୁ ଭୁଲାଇ ଅପହରଣ କରିଛି ବୋଲି ସେମାନେ ଆଶଙ୍କା କରିଛନ୍ତି।
ପୁଲିସ ହାତରେ ଲାଗିଥିବା ସିଡିଆର୍ ତଥ୍ୟ ଅନୁସାରେ ଗତ ୧୨ ତାରିଖ ଦିନ ଅପରାହ୍ଣ ସାଢ଼େ ୨ଟାରେ ସମସ୍ତଙ୍କ ଫୋନ୍ ବନ୍ଦ ହୋଇଥିଲା। ଶେଷଥର ପାଇଁ ସେହିଦିନ ସାଢ଼େ ଦୁଇଟାରେ ଜଣେ ଛାତ୍ର ସମ୍ବଲପୁରସ୍ଥିତ ଏକ ହୋଟେଲ୍କୁ ଯିବା ପାଇଁ ଅନ୍ୟ ଜଣେ ଛାତ୍ରଙ୍କୁ କଲ୍ କରିଥିବା ଜଣାପଡ଼ିଛି। ଏମିତିକି ସେମାନଙ୍କ ମୋବାଇଲ୍ ଲୋକେସନ ସମ୍ବଲପୁର ଦେଖାଉଥିବା ସିଡିଆର୍ ତଥ୍ୟରୁ ଜଣାପଡ଼ିଛି। ଅର୍ଥାତ ଛାତ୍ରମାନେ ସମ୍ବଲପୁରସ୍ଥିତ ଉକ୍ତ ହୋଟେଲ୍ରେ ରହିଥିଲେ ବୋଲି ଜଣାପଡ଼ିଛି। ହୋଟେଲ୍ ଠିକଣା ଠାବ ହେବା ପରେ ସମ୍ବଲପୁର ସାଇବର ଟିମ୍ ସହ ଯୋଗାଯୋଗ କରାଯାଇଥିଲା ଓ ସମ୍ବଲପୁର ପୁଲିସ ଉକ୍ତ ହୋଟେଲ୍ର ଯାଞ୍ଚ କରିଥିଲା। କିନ୍ତୁ ସେଠାରେ କେହି ନଥିଲେ। ତେଣୁ ପୁଲିସର ସନ୍ଦେହ ଆହୁରି ବଢ଼ିଯାଇଛି। ଜଣେ ଛାତ୍ରଙ୍କ ଭଉଣୀ ବାହାଘର ଥିବାରୁ ସେମାନେ ତାଙ୍କ ଘରକୁ ଯାଇଥିବା ଅନୁମାନ କରାଯାଉଥିଲା। ହେଲେ ତାହା ବି ହୋଇନାହିଁ। କେହି ଘରକୁ ଯାଇନାହାଁନ୍ତି।
ଆଜି ନିଖୋଜ ଛାତ୍ରମାନଙ୍କ ପରିବାରଲୋକ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି। ସେମାନଙ୍କ କହିବା କଥା ଛନ୍ତି ଯେ, ୪ ଜଣଯାକ ଘନିଷ୍ଠ ବନ୍ଧୁ ଓ ସମସ୍ତେ ଗୋଟିଏ ରୁମ୍ରେ ରହୁଥିଲେ। ୧୪ ତାରିଖରେ ସେମିଷ୍ଟର ପରୀକ୍ଷା ଥିବାରୁ ପଢ଼ାପଢ଼ି ପାଇଁ ସେମାନେ ମୋବାଇଲ୍ ଫୋନ୍ ବନ୍ଦ ରଖିଥିବା ଭାବିଥିଲେ। କିନ୍ତୁ ୧୨ ଓ ୧୩ ତାରିଖ ଏମିତି ଦୁଇ ଦିନ ଫୋନ୍ ବନ୍ଦ ରହିବାରୁ ସେମାନେ କିଛି ଅଘଟଣ ଆଶଙ୍କା କରୁଛନ୍ତି। ୧୩ ତାରିଖରେ ସେମାନେ ଜାମ୍ସେଦପୁରରୁ ଆସି ତମାଣ୍ଡୋ ଥାନାରେ ଅଭିଯୋଗ କରିବା ସହ ପୁଲିସ ସହଯୋଗରେ ସେମାନଙ୍କ ରୁମ୍କୁ ଯାଞ୍ଚ କରିଥିଲେ। ରୁମ୍ରେ ପୋଷାକପତ୍ର ଏପଟ ସେପଟ ହୋଇପଡ଼ିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ସେମାନଙ୍କୁ ଅପହରଣ କରାଯାଇଥିବା ଭଳି ଜଣାପଡ଼ୁଛି। ତେଣୁ ଘଟଣାକୁ ଗୁରୁତ୍ବର ସହ ନେବାକୁ ଅଭିଭାବକମାନେ ସିପିଙ୍କୁ ଅନୁରୋଧ କରିଥିଲେ। ନିଖୋଜ ୪ ଛାତ୍ର ହେଲେ ବିହାର ସନ୍ଦେଶ ଥାନା ଅଭୟପୁର ଗ୍ରାମର ଆଦିତ୍ୟ କୁମାର (୨୧), ଜାମ୍ମୁଇ ଅଞ୍ଚଳର ଶେଖର ସିଂ ରାଜପୁତ(୨୧), ଝାଡ଼ଖଣ୍ଡ ଛୋଟ ଗୋବିନ୍ଦପୁର ଥାନା ଜନତା ମାର୍କେଟ ଷ୍ଟେସନ୍ ରୋଡ୍ ଅଞ୍ଚଳର ବିଶାଲ୍ ପାଣ୍ଡେ ଓ ସୀତାରାମଡେରା ଥାନା କ୍ରସ୍ ରୋଡ୍ ଅଞ୍ଚଳର ତ୍ରିନେତ୍ର କୁମାର(୨୦)।