ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍‌ ପକ୍ଷରୁ ଇଞ୍ଜିନିୟର ଦିବସ: ପ୍ର‌ଫେସର୍‌ ଚିତ୍ତରଞ୍ଜନ ତ୍ରିପାଠୀ ପାଇଲେ ବିଶ୍ବେଶ୍ବରାୟା ସମ୍ମାନ

କଟକ: ‘ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍‌’ ପକ୍ଷରୁ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ୫୫ତମ ଇଞ୍ଜିନିୟର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ‘ବି‌ଶ୍ବେଶ୍ବରାୟା ସମ୍ମାନ’ ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ରୌପ୍ୟନିର୍ମିତ ସାର ବିଶ୍ବେଶ୍ବାରାୟା ପ୍ରତିମୂର୍ତ୍ତି, ମାନପତ୍ର ଓ ଉତ୍ତରୀୟ ଦିଆଯାଇଛି। କାର୍ଯ୍ୟକ୍ରମକୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରି କହିଲେ, ଇଞ୍ଜିନିୟର୍‌ମାନେ ଦେଶର ପ୍ରଗତିର ମେରୁଦଣ୍ଡ ବୋଲି କହିଥିଲେ। ଫୋରମ୍‌ର ଅଧ୍ୟକ୍ଷ ଇଂ ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଟା ପାୱାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ଶେନବାଗମ୍‌ ମାଛିରାମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଇଂ ଶେନବାଗମ୍ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ବିଦ୍ୟୁତ୍‌ ଶକ୍ତିର ଉତ୍ପାଦନ, ଚାହିଦା ଓ ବଣ୍ଟନ ସଂପର୍କରେ ଆଲୋଚନା କରିଥିଲେ।

ସଭାପତି ଇଂ ସ୍ବାଇଁ କହିଲେ, ଇଞ୍ଜିନିୟର୍‌ମାନେ ବିଶ୍ବେଶ୍ବାରାୟାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ମମୟ ଜୀବନରେ ସାଧୁତା, କର୍ତ୍ତବ୍ୟପରାୟଣତା ଓ ସମୟାନୁବର୍ତ୍ତୀ ହୁଅନ୍ତୁ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ବ ପାଇଁ ଇଂ ଶେନବାଗମ୍ ମାଛିରାମ, ଇଂ ଅରୁଣ କୁମାର ରଥ ଏବଂ ଇଂ ସନ୍ତୋଷ କୁମାର ବେହେରାଙ୍କୁ ସମ୍ମାନଜନକ ‘ଗୁଣବତ୍ତା ଯାନ୍ତ୍ରିକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଫୋରମ୍‌ର ବୈଷୟିକ ପତ୍ରିକା ‘ଭର୍ଟେକ୍ସ୍‌’କୁ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଉନ୍ମୋଚନ କରିଥିଲେ। ଭର୍ଟେକ୍ସ୍‌ର ମୁଖ୍ୟ ସଂପାଦକ ପ୍ରଫେସର ପ୍ରଭାତ କୁମାର ପାଢୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଫୋରମ୍‌ର କାର୍ଯ୍ୟକାରୀ ସଭାପତି ଇଂ. ବିମଳ ଚନ୍ଦ୍ର ଦାଶ ବିଶ୍ବେଶ୍ବାରାୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ।ଉପସଭାପତି ଇଂ ସୁଶୀଲ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର