ପିଲାଙ୍କ ସହ ହକି ଖେ‌ଳି‌ଲେ ଇଂଲଣ୍ଡ ଖେଳାଳି

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଛି ହକି ବିଶ୍ବକପ। ମଇଦାନରେ ଦେଶ ଦେଶ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ବାହାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ହକି ଖେଳିଛି ଇଂଲଣ୍ଡ ଟିମ୍‌। ମଧ୍ୟାହ୍ନରେ ପ୍ରାୟ ୧୫ ମିନିଟ୍‌ ଧରି ଖେଳାଳିମାନେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପିଲାଙ୍କ ସହ ହକି ଖେଳିଥିଲେ। ଖେଳାଳିମାନେ ପିଲାମାନଙ୍କୁ ବିଭିନ୍ନ ଟିପ୍ସ ଦେଇଥିଲେ। ଭୁବନେଶ୍ବର ଗସ୍ତ ଅବସରରେ ଇ˚ଲଣ୍ତ ହକି ଦଳ ପୂର୍ବାହ୍ଣରେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ପରିଦର୍ଶନ କରିଥିଲେ। କ୍ୟାମ୍ପସରେ ପହଞ୍ଚିବା ପରେ ଏନ୍‌ସିସି କ୍ୟାଡର୍‌ମାନଙ୍କ ଦ୍ବାରା ସ୍କୁଲର ଇନ୍ଦ୍ରପ୍ରସ୍ଥ ପ୍ରେକ୍ଷାଳୟକୁ ପାଛୋଟି ନିଆଯାଇଥିଲା। ଇ˚ଲଣ୍ତ ହକି ଦଳ ଓ ବ୍ରିଟିସ୍‌ ହାଇକମିସନ ପହଞ୍ଚିବା କ୍ଷଣି ଓଡ଼ିଶାର ପାରମ୍ପରିକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସେମାନଙ୍କର ସ୍ବାଗତ କରାଯାଇଥିଲା। ସ୍କୁଲର ପ୍ରିନ୍ସପାଲ୍‌ ହରିଶ୍‌ ସାନ୍ଧୁଜା ସ୍ବାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଏହି ଅବସରରେ ଇ˚ଲଣ୍ତ ହକି ଦଳର ଅଧିନାୟକ ସମସ୍ତ ଖେଳାଳିଙ୍କ ପରିଚୟ ଦେବା ସହ ହକି ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ। ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଟି-ସାର୍ଟ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଇ˚ଲଣ୍ତ ହକି ଦଳର ସଦସ୍ୟମାନେ ଭାବ ବିନିମୟ କରିବା ପରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା। ବ୍ରିଟିସ୍‌ ଡେପୁଟି ହାଇକମିସନ୍‌ର କୋଲକାତାସ୍ଥିତ ଡେପୁଟି ହେଡ୍‌ ସହିଦା ଖାନ୍‌ ଯୋଗଦେଇ କହିଲେ, ଇଂଲଣ୍ଡ ଟିମ୍‌ ସମୟ ବାହାର କରି ଛାତ୍ରଛାତ୍ରୀଙ୍କ ନିକଟକୁ ଆସିଥିବାରୁ ଖୁସି ଲାଗୁଛି। ହକି ଟିମ୍‌ ସହ ପିଲାମାନେ ଆଲୋଚନା କରିବା ଦ୍ବାରା ସେମାନଙ୍କ ମନୋବଳ ଦୃଢ଼ ହେବ। ଇଂଲଣ୍ଡ ଟିମ୍‌କୁ ଭଲ ସମର୍ଥନ ମିଳିବ ବୋଲି ଆଶା କରୁଛି। ଇ˚ଲଣ୍ତ ହକି ଦଳର ପରଫରମାନ୍ସ ନିର୍ଦେଶକ ଏଡୱାଡର୍ବା ରନି କହିଲେ ଆମେ ଓଡ଼ିଶାର ସଂସ୍କୃତିକୁ ଅନୁଭବ କରୁଛୁ। ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ଆସି ଭୁବନେଶ୍ବରକୁ କିଛି ମାତ୍ରାରେ ଦେଖିବାର ସୁଯୋଗ ପାଇଲୁ। ଏହାଦ୍ବାରା ଖେଳାଳିମାନେ ଅଧିକ ଉତ୍ସାହିତ ହେବେ। ଭଲ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମରେ ଯୋଗଦେଇ ସାଇ ଇଣ୍ଟରନ୍ୟାସନାଲ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ କହିଲେ ପ୍ରତିଷ୍ଠିତ ହକି ଖେଳାଳିଙ୍କୁ ଦେଖିଲା ପରେ ସ୍କୁଲ ଛାତ୍ରଛାତ୍ରୀ ମନୋବଳ ଦୃଢ଼ ହେବ। ଇଚ୍ଛାଶକ୍ତି ଜାଗ୍ରତ ହେବ।

ପାଣି ପାଇଁ ହଟହଟା
କଳିଙ୍ଗ ଷ୍ଟାଡିୟମ୍‌ରେ ଏତେ ବଡ଼ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଦର୍ଶକମାନେ ଆଜି ପାଣି ପାଇଁ ହଟହଟା ହୋଇଛନ୍ତି। ଦୁଇଟି ମ୍ୟାଚ୍‌ ଦେଖିବାକୁ ଯାଇଥିବା ଦର୍ଶକମାନଙ୍କ ପାଇଁ ଗ୍ୟାଲେରିରେ ପର୍ଯ୍ୟାପ୍ତ ପିଇବା ପାଣି ନ ଥିଲା। ଷ୍ଟାଡିୟମ୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ୱାଟର୍‌ ଷ୍ଟାଣ୍ଡଗୁଡ଼ିକ କାମ କରି ନଥିଲା। ପାଣି ବାହାରି ନଥିଲା। ବାହାରୁ ପାଣି ବୋତଲ ଛଡ଼ାଯାଉ ନ ଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହୋଇଥିଲେ। ଏପରିକି ଚଢ଼ା ଦର ଦେଇ କୋଲ୍ଡ ଡ୍ରିକ୍ସ ପିଉଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ ଷ୍ଟାଡିୟମ୍‌ ଭିତରକୁ ପାଣି ଟ୍ୟାଙ୍କରର ପାସ୍‌ ନଥିବାରୁ ଭିତରକୁ ଛଡ଼ାଯାଇ ନ ଥିଲା। ଯେଉଁଥିପାଇଁ ଏଭଳି ସମସ୍ୟା ହୋଇଛି। ଏଭଳି ଘଟଣାରେ ବରିଷ୍ଠ ଅଧିକାରୀ ହସ୍ତକ୍ଷେପ କରିବା ସହ ଆସନ୍ତାକାଲିଠାରୁ ବ୍ୟବସ୍ଥାକୁ ଠିକ୍‌ କରିବାକୁ କୁହାଯାଇଛି।

ପୁଲିସ ବାବୁଙ୍କ ଖେଳ ନିଶା
ଦାୟିତ୍ବରୁ ଟିକିଏ ସମୟ ବାହାର କରି ଖେଳ ଦେଖିବାର ସୁଯୋଗକୁ ହାତ ଛଡ଼ା କରି ନଥିଲେ ପୁଲିସ ବାବୁ। ଜଣେ କି ଦୁଇ ଜଣ ନୁହେଁ। ବିଭିନ୍ନ ଗ୍ୟାଲେରିରେ ମୁତୟନ ହୋଇଥିବା ପୁଲିସ ବାବୁମାନେ ସିଟ୍‌ରେ ବସି ଖେଳର ମଜା ନେଇଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହିବା ସହ ଭାରତ ଗୋଲ୍‌ ଦେବାର ପ୍ରତିଟି କ୍ଷଣକୁ ନିଜ କ୍ୟାମେରାରେ କଏଦ୍‌ କରିଥିଲେ। ଅବଶ୍ୟ ସୁରକ୍ଷା ଦାୟିତ୍ବରେ ରହିଥିବାରୁ ସେଥିପ୍ରତି ସେମାନଙ୍କ ଗୁରୁତ୍ବ ଦେବାର ଥିଲା। ହେଲେ ଖେଳ ନିଶାରେ ଏମିତି ମଜି ଯାଇଥିଲେ ଯେ ଗ୍ୟାଲେରିର ସୁରକ୍ଷା କଥାକୁ ସମ୍ପୂର୍ଣ୍ଣ ପାସୋରି ଦେଇଥିଲେ।

ସଚେତନ ପାଇଁ ଲାଗିଲା ‌ବୋର୍ଡ
ଷ୍ଟାଡିୟମ୍‌କୁ ଯାଉଥିବା ଦର୍ଶକଙ୍କୁ ସଚେତନ କରିବା ପାଇଁ ସମସ୍ତ ଫାଟକ ସମ୍ମୁଖରେ ବୋର୍ଡ ଲଗାଯାଇଥିଲା। ଏଥିରେ ନିୟମାବଳୀ ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା। ଗ୍ୟାଲେରିକୁ କେଉଁ ସାମଗ୍ରୀ ନେବେ, କେଉଁ ସାମଗ୍ରୀ ନେବେନି, ମହିଳାମାନଙ୍କୁ କେଉଁ ପ୍ରକାର ବ୍ୟାଗ୍‌ ନେବାକୁ ଅନୁମତି ମିଳିବନି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଯଦି କୌଣସି ଦର୍ଶକ ପ୍ରବେଶ ସମୟରେ ଅସୁବିଧାର ସମ୍ମୁଖୀନ ‌ହୁଅନ୍ତି ତେବେ ସେମାନେ ‘https://goo.gl/TgTxvd’ ଏବଂ ହେଲ୍ପ ଲାଇନ୍‌ ନମ୍ବର (୮୦୪୧୧୫୦୯୧୦ ଓ ୮୨୧୭୩୯୫୩୬୪)ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ରଙ୍ଗବତୀ ରଙ୍ଗବତୀ…
ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଚାଲିଥିବା ବେଳେ ସେଥିରେ ବି ଦିଆଯାଇଥିଲା ଦେଶୀ ଛୁଙ୍କ। ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଅଧା ହୋଇଥିବା ବେଳେ ବା‌ଜି ଉଠିଥିଲା ରଙ୍ଗବତୀ… ରଙ୍ଗବତୀ… ଗୀତ। ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ଝୁମିଯାଇଥିଲେ ଦର୍ଶକ। ବାଦ୍ୟର ତା‌ଳେ ତ‌ାଳେ  ନାଚିଥିଲେ। ପ୍ରାୟ ଦୁଇ ମିନିଟ୍‌ ଧରି ସମସ୍ତ ଗ୍ୟାଲେରିର ଦର୍ଶକ ଗୀତରେ ମଜି ରହିଥିଲେ। ଖେଳ ଆରମ୍ଭ ହେବା ପରେ ପୁଣିଥରେ ଭାରତୀୟ ଟିମ୍‌କୁ ଚିୟର କରିଥିଲେ ଉପସ୍ଥିତ ଦର୍ଶକ।

ସମ୍ବନ୍ଧିତ ଖବର