ନିୟମ ମାନୁନାହାନ୍ତି ଇଂରାଜୀ ମାଧ୍ୟମ ସ୍କୁଲ: ବେଧଡ଼କ ଚାଲିଛି ବହି ବିକ୍ରି

ଭୁବନେଶ୍ବର: ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏନ୍‌ସିଇଆର୍‌ଟି ପୁସ୍ତକ ପ୍ରଚଳନ କରିବା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କୌଣସି ହୋମୱାର୍କ ନ ଦେବାକୁ ମାଦ୍ରାସ ଉଚ୍ଚ ନ୍ୟାୟାଳୟ ୨୦୧୮ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ସିବିଏସ୍‌ଇ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ୨୦୧୯-୨୦ ଶିକ୍ଷାବର୍ଷ‌ରୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବି କହିଥିଲେ। ଏନେଇ ସିବିଏସ୍‌ଇ କର୍ତୃପକ୍ଷ ୨୦୧୮ ଅଗଷ୍ଟ ୧୩ରେ ସମସ୍ତ ଆଞ୍ଚଳିକ ଅଧିକାରୀମାନଙ୍କ ନିକଟକୁ ଚିଠି ଲେଖି କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥି‌ଲେ। ଏପରିକି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବି ୨୦୧୮ ଅକ୍ଟୋବର ୫ରେ ସମସ୍ତ ରାଜ୍ୟର ଶିକ୍ଷା ସଚିବମାନଙ୍କୁ ଚିଠି ଲେଖି ଆଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲା। ତଥାପି କୌଣସି ବି ବିଦ୍ୟାଳୟ ନିୟମକୁ ପାଳନ କରୁନାହାନ୍ତି। ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀମାନେ ବି ଏନେଇ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ରାଜ୍ୟ ସରକାର ବି ନିରବଦ୍ରଷ୍ଟା ସାଜିଛନ୍ତି। ନା ଯାଞ୍ଚ କରାଯାଉଛି ନା ସ୍କୁଲ ଉପରେ ଚଢ଼ଉ ହେଉଛି। ଯେଉଁଥିପାଇଁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଚିନ୍ତାର ବିଷୟ ହେଉଛି ଯେ ଏନେଇ ବାରମ୍ବାର ଅଭିଯୋଗ ହେଉଛି। କିଛି ଦିନ ତଳେ ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ ବେଳେ ଭୁବନେଶ୍ବର ଉପକଣ୍ଠ‌‌ରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାହାର ପ୍ରକାଶନୀ ସଂସ୍ଥାର ପୁସ୍ତକ ବିକ୍ରି ହେଉଥିବା ନଜରକୁ ଆସିଥିଲା। ଏନ୍‌ସିଇଆରଟି ବହି ବଦଳରେ ପିଲାମାନଙ୍କୁ ଘରୋଇ ସଂସ୍ଥାର ପୁସ୍ତକକୁ ଚଢ଼ା ଦରରେ କିଣିବା ଲାଗି ବାଧ୍ୟ କରାଯାଉଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ବି ପ୍ରଶାସନ କିମ୍ବା ସିବିଏସ୍‌ଇ କର୍ତୃପକ୍ଷ କାହାର ବି ନିଦ ଭାଙ୍ଗିନି। ସ୍କୁଲ ଉପରେ ଚଢ଼ଉ ହେବା ଦୂରର କଥା, ଏ ପର୍ଯ୍ୟନ୍ତ କୌଣସି ବିଦ୍ୟାଳୟକୁ ନୋଟିସ୍‌ଟିଏ ବି ପଠାଯାଇ ନାହିଁ। ବିଦ୍ୟାଳୟଗୁଡ଼ିକ ବେଧଡ଼କ ଭାବେ ଘରୋଇ ପ୍ରକାଶନୀ ସଂସ୍ଥାର ପୁସ୍ତକକୁ ବିକ୍ରି କରୁଛନ୍ତି। ଏହାଦ୍ବାରା ସ୍କୁଲ କର୍ତୃପକ୍ଷ ମାଲାମାଲ ହେଉଥିବା ବେଳେ ପିଲା ଓ ଅଭିଭାବକଙ୍କ ଉପରେ ଅର୍ଥ ବୋଝ ପଡ଼ୁଛି।

୨୦୧୮ ଡିସେମ୍ବରରେ ଓଡ଼ିଶା ଅଭିଭାବକ ମହାସଂଘ ବି ଏନେଇ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏଥିସହ ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଚଳିତ ମାସ ପ୍ରଥମାର୍ଧରେ ବି ମହାସଂଘ ପକ୍ଷରୁ ପୁଣିଥରେ ଚିଠି ଲେଖାଯାଇ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରେ ବି ସମସ୍ତ ବେସରକାରୀ ବିଦ୍ୟାଳୟ ନିର୍ଦେଶାବଳୀକୁ ବେଖାତିର କରି ଘରୋଇ ପ୍ରକାଶନ ପୁସ୍ତକ କିଣିବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରୁଛନ୍ତି। ପୁସ୍ତକ ନ କିଣିଲେ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରୋଶମୂଳକ ମନୋଭାବ ରଖୁଥିବା ଘଟଣା ନଜରକୁ ଆସିଛି। ଆଞ୍ଚଳିକ ଅଧିକାରୀ ମଧ୍ୟ ଏବିଷୟରେ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି। ପୁସ୍ତକ କିଣାବିକାରେ କୋଟି କୋଟି ଟଙ୍କାର କାରବାର ହେଉଛି। ଏହା ଏକ ସ୍କାମ୍‌ରେ ପରିଣତ ହୋଇଛି। ବିଭାଗୀୟ କର୍ତୃପକ୍ଷ ଯଦି ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ସିବିଏସ୍‌ଇ କାର୍ଯ୍ୟାଳୟରେ ତାଲା ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର