‘ରତ୍ନମା‌ଳାଙ୍କ କବିତା ସହଜରେ ହୃଦୟ ପାଖରେ ପହଞ୍ଚିଥାଏ’

ଇଂରାଜୀ କବିତା ସଂକଳନ ‘କ୍ଲେମିଂ ଦ’ ସ୍କାଏ’ ଉନ୍ମୋଚିତ

ଭୁବନେଶ୍ବର: ଲେଖିକା ଓ ଅନୁବାଦିକା ରତ୍ନମାଳା ସ୍ବାଇଁଙ୍କ ଇଂରାଜୀ କବିତା ସଂକଳନ ‘କ୍ଲେମିଂ ଦ ସ୍କାଏ’ ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭ‌‌ାବେ ଯୋଗଦେଇ ସି.ପି ସୁରେନ୍ଦ୍ରନ କହିଲେ, ଆଜି କବିମାନେ ଯାହା ଲେଖୁଛନ୍ତି, ଭବିଷ୍ୟତ ତାହାର ମୂଲ୍ୟାୟନ କରିବ। ତେଣୁ କବିମାନେ ଏ ଦିଗରେ ସତର୍କ ହେବା ଆବଶ୍ୟକ। ଏହି ଅବସରରେ ସେ ମିଲନ କୁନ୍ଦେରାଙ୍କୁ ଉଦ୍ଧାର କରି କହିଲେ, ସମୟର କୁହୁଡ଼ିକୁ ଅତିକ୍ରମ କରି ବାସ୍ତବତାକୁ ଦେଖାଇବା କବିର ଦାୟିତ୍ବ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ମଣିଷର ହୃଦୟ ହେଉଛି ପୃଥିବୀର ସବୁଠାରୁ ବଡ଼ ମଶାଣି। ପ୍ରତି ମୁହୂର୍ତ୍ତରେ ତା’ ମନରେ ହଜାର ହଜାର ଆଶା ଓ ସ୍ବପ୍ନର ଚିତା ଜଳିଥାଏ ବା ସମାଧି ନେଇଥାଏ। ରତ୍ନମାଳାଙ୍କ କବିତା କାକ୍‌ଟସ୍‌ର କବିତା, ପୁଣି କାକରର କବିତା; ଅତି ସହଜରେ ଗମ୍ଭୀର ଭାବ ପ୍ରକାଶର ସାମର୍ଥ୍ୟ ତାଙ୍କ ପାଖରେ ରଖିଛି ବୋଲି ଶ୍ରୀ ଦାସ କହିଥିଲେ।

ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କବି ସୌଭାଗ୍ୟ କୁମାର ମିଶ୍ର ଏବଂ ଡି.ଏନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥି‌ଲେ। କବିତା ସଂକଳନର ଅନୁବାଦକ ପୁରବୀ ଦାସ ଓ ଦୁର୍ଗାପ୍ରସାଦ ପଣ୍ଡା ନିଜର ଅନୁବାଦ ସମୟର ଅନୁଭୂତି ଏବଂ କବି ରତ୍ନମାଳା ତାଙ୍କର ଲେଖକୀୟ ଅଭିଭାଷଣ ରଖିଥିଲେ। ଉତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ବିୟତପ୍ରଜ୍ଞା ତ୍ରିପାଠୀ, ସଂହତି ପାଣି, ଅନ୍ବେଷା ପଣ୍ଡା ରତ୍ନମାଳାଙ୍କ ରଚିତ କେତୋଟି ଓଡ଼ିଆ ଏବଂ ଇଂରାଜୀ କବିତା ଆବୃତ୍ତି କରିଥିଲେ। ‘ଧଉଳି ବୁକ୍‌ସ’ର ପ୍ରକାଶକ ମନୁ ଦାସ ତାଙ୍କର ପ୍ରକାଶକୀୟ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ବହୁ ବିଶିଷ୍ଟ କବି ଓ ଲେଖକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶିଷ୍ଟ ଶିକ୍ଷାବିତ୍‌ ପଞ୍ଚମୀ ମାନୁ ଉକିଲ। ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ବିଭୁ ପାଢ଼ୀ, ସରୋଜିନୀ ସାହୁଙ୍କ ସମେତ ରାଜ୍ୟର ବହୁ ପ୍ରମୁଖ କବି ଓ ଲେଖକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର