ବିଗାଡ଼ିବ ତିତ୍‌ଲି, ସକାଳର ଉତ୍ସାହ ସନ୍ଧ୍ୟାରେ ଫିକା

ବାତ୍ୟା ‘ତିତ୍‌ଲି’ ଶୁକ୍ରବାର ଭୋରୁଭୋରୁ ଗୋପାଳପୁର ବେଳାଭୂମି‌ରେ ସ୍ଥଳଭାଗ ଛୁଇଁବା ଏହାର ପ୍ରଭାବରେ ରାଜଧାନୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଏବେ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ନିକଟରେ ବିଏମ୍‌ସି ଦ୍ୱାରା ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କ ମଧ୍ୟରେ ଛନକା ପଶି ଯାଇଛି। ଦୁର୍ଗାପୂଜାକୁ ଆଉ ମାତ୍ର ୪ ଦିନ ବାକିଥିବା ବେଳେ ‘ତିତ୍‌ଲି’ ସବୁ ବିଗାଡ଼ି ଦେବାର ଭୟ ଘାରିଛି। କଲେଜ ନିର୍ବାଚନ ବାତିଲ ହେଇଯିବାରୁ ଛାତ୍ରଛାତ୍ରୀଙ୍କ ସବୁ ଉତ୍ସାହ ପାଣି ଫୋଟକା ପରି ମିଳେଇ ଯାଇଛି।

ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ
୧୮୦୦୩୪୫୦୦୬୧ ଏବ˚ ୦୬୭୪-୨୪୩୨୨୮୧ରେ କଲ୍‌ କଲେ ସହାୟତା ମିଳିବ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତିତ୍‌ଲି ପ୍ରଭାବରେ ଆଜି ରାଜଧାନୀରେ ଦିନତମାମ୍‌ ବର୍ଷା ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ଜଳବନ୍ଦୀରୁ ମୁକୁଳିବା ପାଇଁ ବିଭିନ୍ନ ସ୍ଥାନରୁ ବିଏମ୍‌ସିର କ‌େଣ୍ଟ୍ରାଲ୍‌ ରୁମ୍‌କୁ ୯ଟି ଅଭିଯୋଗ ଆସିଥିବାବେଳେ ଏହାର ସମାଧାନ କରାଯାଇଛି। ଅହଲ୍ୟା ନଗରରୁ ତିନିଟି, ଶ୍ରୀରାମନଗର, ଗୌରୀ ଗାର୍ଡେନ୍, ଜଗମୋହନ ନଗର, ପାରିଜାତ କଲୋନି, ମଞ୍ଚେଶ୍ବର, ନୂଆପଲ୍ଲୀ ବେହେରା ସାହି ନିକଟରୁ ଅଭିଯୋଗ ଆସିବା ପରେ ବିଏମ୍‌ସି ଓ ଅଗ୍ନିଶମ ବିଭାଗ ଦ୍ବାରା ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲା। ସେହିପରି ଆଜି ରାତିରୁ ବର୍ଷାର ପରିମାଣ ବଢ଼ିବାର ଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ଗୌରୀ ଗାର୍ଡେନ ଏବଂ ରତ୍ନ ଭିଲ୍ଲାରେ ପମ୍ପ ମୁତୟନ ହୋଇଥିବାବେଳେ ବିଏମ୍‌ସି ପକ୍ଷରୁ ମଲ୍ଲିକ କମ୍ପ୍ଲେକ୍ସ, ପାଇକ ନଗର, ଗାୟତ୍ରୀ ନଗର, ସ୍ଲାବ ଇଣ୍ଡଷ୍ଟ୍ରି, ପାହାଳ ଭୋଇ ସାହି, ହଂସପାଳ, ଅଢ଼େଇ ଖାଲରେ ପାଣି ପମ୍ପ ମୁତୟନ କରାଯାଇଛି। ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଖୋଲାଯାଇଥିବା ବହୁସଂସ୍ଥା ବିଶିଷ୍ଟ କ‌େଣ୍ଟ୍ରାଲ ରୁମ୍‌ରେ ଅଗ୍ନିଶମ ବିଭାଗ, ବିଡିଏ, ବିଏମ୍‌ସି, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ସେସୁ ଓ ପ୍ରାଚୀ ଡିଭିଜନର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହି ଅଧିକାରୀମାନେ ତିନିଟି ସିଫ୍ଟରେ କାର୍ଯ୍ୟ କରୁଛନ୍ତି। ରାଜଧାନୀବାସୀ ବର୍ଷା କି ବାତ୍ୟା ଜନିତ କୌଣସି ସମସ୍ୟାରେ ପଡ଼ିଲେ ତୁରନ୍ତ ୧୮୦୦୩୪୫୦୦୬୧ ଏବ˚ ୦୬୭୪-୨୪୩୨୨୮୧ ନମ୍ବରରେ କଲ୍‌ କରିବାକୁ କୁହାଯାଇଛି।

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ କ୍ୟାମ୍ପସରେ ଭରିଉଠିଥିଲା ଉତ୍ସହ। ଝିପିଝିପି ବର୍ଷାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ,‌ ବି‌େଜବି, ମହର୍ଷି, ଏକାମ୍ର, କମଳା ନେହେରୁ ଓ କ୍ୟାପିଟାଲ ଲ’ କଲେଜର ପ୍ରାର୍ଥୀମାନେ ଶୋଭାଯାତ୍ରା କରି ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭା ସ୍ଥଳରେ ପହଞ୍ଚିଥିଲେ। କିଏ ବାଜା ବଜାଇ ଶୋଭାଯାତ୍ରାରେ ଆସିଥିଲେ ତ ଆଉ କିଏ ବାଣ ଫୁଟାଇ ମଞ୍ଚ ନିକଟରେ ପହଞ୍ଚିଥିଲେ। ସମସ୍ତଙ୍କ ମୁହଁରେ ଭରି ରହିଥିଲା ନିର୍ବାଚନୀ ଉନ୍ମାଦନା। ଜିତିବାର ଜୋସ୍‌। ହେଲେ ଏହି ଜୋସ୍‌ ବେଶି ସମୟ ରହିି ନଥିଲା। ଶୋଭାଯାତ୍ରା ସାରି ପ୍ରାର୍ଥୀମାନେ ମଞ୍ଚରେ ପ୍ରତିଶ୍ରୁତି ଦେବା ସମୟରେ ନିର୍ବାଚନ ବାତିଲ୍‌ ହୋଇଥିଲା।
ମାଡ଼ି ଆସୁଥିବା ବାତ୍ୟା ‘ତିତ୍‌ଲି’ ପାଇଁ ରାଜ୍ୟ ସରକାର ଏବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍‌ ଘୋଷଣା କରିଥିଲେ। ଏଭଳି ଖବର ଶୁଣିବା ପରେ ସମସ୍ତଙ୍କ ମୁହଁରେ ନିରାଶ ଖେଳିଯାଇଥିଲା। ପ୍ରାର୍ଥୀମାନେ ମନ ଦୁଃଖରେ ମଞ୍ଚରୁ ତଳକୁ ଓହ୍ଲାଇଥିଲେ। ସମର୍ଥକଙ୍କ ପରିଶ୍ରମ ବୃଥା ହୋଇଥିବାରୁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ରମାଦେବୀ ବିଶ୍ବବିଦ୍ୟାଳୟ‌େର ପ୍ରାର୍ଥୀଙ୍କ ସମର୍ଥକମାନେ କ୍ୟାମ୍ପସ ବାହାରେ ଗଡ଼ି ଯାଇଥିଲେ। ଛାତ୍ର ବିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଏକ ହଜାରରୁ ଅଧିକ ଛାତ୍ରୀଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ। ସଭା ସରିବା ପରେ ଖାଇବା ସ୍ଥାନରେ ଭିଡ଼ ଜମିବ ବୋଲି ସମସ୍ତେ ଭାବିଥିଲେ। ହେଲେ ସବୁଠି ଖାଁ ଖାଁ ଦେଖିବାକୁ ମିଳିଥିଲା। ଛାତ୍ରୀମାନେ ଖାଇବାକୁ ଆସି ନଥିଲେ। ଯେଉଁଥିପାଇଁ ଉଭୟ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚିକେନ୍‌ ବିରିୟାନି ନଷ୍ଟ ହୋଇଥିବା ସୂଚନା ମିଳିଛି।
ବିଜେବି କଲେଜରେ ବି ସମାନ ଅବସ୍ଥା ଉପୁଜିଥିଲା। ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ୧୦୨ ନମ୍ବର ରୁମ୍‌ରେ ହୋଇଥିବା ସଭା ସ୍ଥଳରେ ଅଭିଭାଷଣ ପ୍ରଦାନ କରିଥିଲେ। ହେଲେ ନିର୍ବାଚନ ବାତିଲ୍‌ ଘୋଷଣା ପରେ ପ୍ରାର୍ଥୀ ଓ ସମର୍ଥକମାନେ ଭାଙ୍ଗିପଡ଼ିଥିଲେ। ଅଳ୍ପ କିଛି ସମୟ ପରେ କ୍ୟାମ୍ପସ ଛାଡ଼ି ପଳାଇ ଯାଇଥିଲେ। ଏକାମ୍ର ଓ ମହର୍ଷିରେ ପ୍ରାର୍ଥୀମାନେ ଶୋଭାଯାତ୍ରା କରି ନିରାଶ ହୋଇଥିଲେ।

କ’ଣ ହେବ ନିଷ୍ପତ୍ତି
ଏବର୍ଷ ନିର୍ବାଚନ ବାତିଲ୍‌ ହେବା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ପ୍ରାର୍ଥୀ ଓ ଶିକ୍ଷାନୁଷ୍ଠାନ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ୨୦୧୮-୧୯ ଶିକ୍ଷାବର୍ଷରେ ନିର୍ବାଚନକୁ ବାତିଲ୍‌ କରାଗଲା ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ହେଲେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ନିର୍ବାଚନ ବାତିଲ୍‌ କରାଗଲା। ଏବେ ପ୍ରଶ୍ନ ଉଠୁଛି କେଉଁଠି ଠିକ୍‌। ସେହିପରି କିଭଳି ଭାବେ ଏବର୍ଷ ଛାତ୍ର ପ୍ରତିନିଧି ବଛାଯିବେ ତାହାକୁ ନେଇ କଲେଜ କର୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବିନା ପ୍ରତିଦ୍ବନ୍ଦ୍ବିତାରେ ଜିତିଥିବା ଛାତ୍ରଛାତ୍ରୀ ଦାୟିତ୍ବରେ ରହିବେ କି ବୋଲି ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର