ସରିନି ଉତ୍କଣ୍ଠା

ଭୁବନେଶ୍ବର: କ୍ବାର୍ଟର ପାଇନାଲରୁ ଭାରତ ବିଦାୟ ନେଇ ସାରିଲାଣି। ତଥାପି ହକି ବିଶ୍ବକପକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା କମି ନାହିଁ। ଆଜି ସେମି ଫାଇନାଲ ପାଇଁ କଳିଙ୍ଗ ଷ୍ଟାଡିୟମ ଖଚାଖଚ ଭରି ଯାଇଥିଲା। ଭାରତ ମ୍ୟାଚ୍ ଖେଳୁ ନ ଥିଲେ ମଧ୍ୟ ଦର୍ଶକ ଅନ୍ୟ ଦେଶର ଖେଳାଳିମାନଙ୍କୁ ସମର୍ଥନ ଜଣାଇଥିଲେ। କେଉଁ ଦେଶ ମ୍ୟାଚ୍ ଖେଳୁଛି ତାହା ଦର୍ଶକଙ୍କ ଉପରେ ଫରକ ପକାଇ ପାରି ନଥିଲା। ପ୍ରତ୍ୟେକ ପେନାଲ୍‌ଟି କର୍ଣ୍ଣର ଓ ଗୋଲକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏପରିକି ମ୍ୟାଚ୍ ଶେଷ ହେବା ପରେ ପ୍ରତ୍ୟେକ ଦେଶର ଖେଳାଳିମାନେ ଷ୍ଟାଡିୟମସାରା ବୁଲି ଅଭିଭାବାଦନ ଜଣାଉଥିବା ବେଳେ ଲୋକମାନେ ତାଳିମାରି ସମର୍ଥନ ଦେଇଥିଲେ।

 ସବୁ ଷ୍ଟାଣ୍ଡ ଫୁଲ୍
ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚିରାଚରିତ ସମୟର ଘଣ୍ଟାଏ ପୂର୍ବରୁ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚ୍ ପାଇଁ ଷ୍ଟାଡିୟମ୍‌ର ଭିଆଇପି ଷ୍ଟାଣ୍ଡରେ ଦର୍ଶକ ଭରି ରହିଥିଲେ ହେଁ, ଅନ୍ୟ ଷ୍ଟାଣ୍ଡ ସାମାନ୍ୟ ଫାଙ୍କା ପଡ଼ିଥିଲା। ତେବେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ ଦ୍ବିତୀୟ ମ୍ୟାଚ୍ ବେଳକୁ ସବୁ ଷ୍ଟାଣ୍ଡ ଭରିବା ଆରମ୍ଭ ହୋଇଥିଲା। ମ୍ୟାଚ୍ ଆରମ୍ଭ ହେବା ବେଳକୁ ସବୁ ଷ୍ଟାଣ୍ଡ ଭରି ଯାଇଥିଲା। ବିଦେଶୀ ଦର୍ଶକମାନେ ନିଜ ନିଜ ଦଳକୁ ସମର୍ଥନ ଜଣାଇଥିଲେ।
 ଷ୍ଟାଣ୍ଡରେ ଅଷ୍ଟ୍ରେଲିଆକୁ ସମର୍ଥନ
ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆ-ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଦର୍ଶକମାନେ ଅଷ୍ଟ୍ରେଲିଆକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ନେଦରଲାଣ୍ଡଠାରୁ ଭାରତ ପରାସ୍ତ ହୋଇଥିବାରୁ ଅଷ୍ଟ୍ରେଲିଆ ଜରିଆରେ ଏହାର ପ୍ରତିଶୋଧ ନେବାକୁ ଭାରତୀୟ ଦର୍ଶକ ଚାହିଁଥିଲେ। ଏଥିପାଇଁ ଯେଉଁ ସମୟରେ ଅଷ୍ଟ୍ରେଲିଆ ଖେଳାଳି ଗୋଲ ପୋଷ୍ଟ ନିକଟରେ ପହଞ୍ଚି ଯାଇଥିଲେ ଦର୍ଶକମାନେ ତାଙ୍କୁ ସମର୍ଥନ ଜଣାଉଥିଲେ। ଶେଷ ମୁହୂର୍ତରେ ଅଷ୍ଟ୍ରେଲିଆ ଏକ ଗୋଲ ଦେଇ ‌ମ୍ୟାଚ୍ ଡ୍ର’ କରିଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ଯାଇଥିଲା। ହେଲେ ପେନାଲ୍‌ଟି ସୁଟଆଉଟ୍ ଅଷ୍ଟ୍ରେଲିଆ ହାରିଯିବା ଦର୍ଶକଙ୍କୁ ଆହୁରି ନିରାଶ କରିଥିଲା।
 ଭଲ ଖେଳୁଥିବା ଦଳକୁ ସମର୍ଥନ କରିବି: ଶ୍ରଦ୍ଧାଞ୍ଜଳି
ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମଧ୍ୟ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍‌ରେ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଞ୍ଜଳି କହିଥିଲେ, ଯେହେତୁ ଭାରତ ସେମି ଫାଇନାଲ ଖେଳୁନାହିଁ ତେଣୁ ଯେଉଁ ଦଳ ଭଲ ଖେଳିବ ତାକୁ ସମର୍ଥନ କରିବି। ଭାରତ ସେମି ଫାଇନାଲ୍‌ ଖେଳୁଥିଲେ ବିଶ୍ବକପ ଆଶା ଆହୁରି ବଢ଼ିଥାନ୍ତା। ଯେହେତୁ ନେଦରଲାଣ୍ଡ କ୍ବାର୍ଟର ଫାଇନାଲରେ ଭାରତକୁ ହରାଇଛି, ତେଣୁ ଅଷ୍ଟ୍ରେଲିଆ ଦଳକୁ ସ୍ବତଃସ୍ପୂର୍ତ୍ତ ସମର୍ଥନ ରହିବ।
 ଗାଲରେ ଜାତୀୟ ପତାକା, ମୁଣ୍ଡରେ ବ୍ୟାଣ୍ଡ
ଭାରତ ମ୍ୟାଚ୍ ଖେଳୁନି, ତଥାପି ଦର୍ଶକଙ୍କ ଗାଲ ଓ ମୁଣ୍ଡରୁ ଭାରତୀୟ ପତାକା ଓହ୍ଲାଇନାହିଁ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ନିଜ ଗାଲରେ ତ୍ରିରଙ୍ଗା ପତାକା ଆଙ୍କି ଅନ୍ୟ ଦେଶର ଖେଳାଳିଙ୍କୁ ସମର୍ଥନ କରିଥିଲେ। କଳିଙ୍ଗ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଯାଇଥିବା ଅଧିକାଂଶ ଦର୍ଶକଙ୍କୁ ଆଜି ମଧ୍ୟ ଏଭଳି ଢଙ୍ଗରେ ଦେଖିବାକୁ ମିଳିଛି। ଏପରିକି କିଛି ଦର୍ଶକ ଭାରତୀୟ ପାତାକା ଧରି ଦୌଡ଼ିଥିଲେ। ସେହିପରି କିଛି ଦର୍ଶକ ମଧ୍ୟ ଅଷ୍ଟ୍ରେଲିଆ, ବେଲିଜିୟମ ଓ ଅନ୍ୟ ଦେଶର ପାତାକା ନିଜ ଗାଲରେ ଆଙ୍କିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର