ଜମିଲା ରକ୍ଷାବନ୍ଧନ ମାହୋଲ: ପ୍ରେରଣା ବାନ୍ଧିଲା ଗଛରେ ରାକ୍ଷୀ

ଭୁବନେଶ୍ବର: ଆଜି ସକାଳୁ ରାକ୍ଷୀ ବନ୍ଧନ ପର୍ବ ଅବସରରେ ପୂରା ରାଜଧାନୀ ଚଳଚଞ୍ଚଳ ହୋଇପଡ଼ିଥିଲା। ଘରଠୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁଠାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଏହି ପର୍ବ କେବଳ ଘର ଭିତରେ ସୀମିତ ରହିଥିବା ବେଳେ ସ୍କୁଲ୍, କଲେଜ, କ୍ଲବ୍‌, ସାମାଜିକ ସଂଗଠନ ଭଳି ଅନୁଷ୍ଠାନରେ ଏକପ୍ରକାର ବନ୍ଦ ରହିଥିଲା। କିନ୍ତୁ ଚଳିତ ବର୍ଷ ସବୁ ମହଲରେ ରାକ୍ଷୀ ବନ୍ଧନ ମହା ଆଡ଼ମ୍ବର‌ରେ ପାଳିତ ହୋଇଛି। ବିଭିନ୍ନ ଘରୋଇ ବିଦ୍ୟାଳୟରେ ଏହି ଉତ୍ସବକୁ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି। ସେହିଭଳି କିଛି ସାମାଜିକ ସଂଗଠନ ଗଛରେ ରାକ୍ଷୀ ବାନ୍ଧି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି। ସ୍କାଉଟ୍ ଗାଇଡ଼୍‌ ‌ଓ ରୋଭର୍‌ ରେଞ୍ଜର‌ରେ ଥିବା ଛାତ୍ରଛାତ୍ରୀମାନେ ଓ କିଛି ସଂଗଠନ ପକ୍ଷରୁ ପୁଲିସ ଓ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ସେହିଭଳି ବିଭିନ୍ନ ରାଜନେତାଙ୍କୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ କର୍ମୀମାନଙ୍କ ପକ୍ଷରୁ ରାକ୍ଷୀ ପିନ୍ଧାଇ ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଆସିଥିଲେ। ସେହିଭଳି ରାଜଧାନୀର ବହୁ ଗୋପାଳକମାନେ ଆଜି ଗହ୍ମାପୂଜା କରିଥିବା ଦେଖିବାକୁ ମିଳିଥିଲା। ସେମାନେ ଗାଈ, ବାଛୁରୀମାନଙ୍କୁ ପଇତା ପିନ୍ଧାଇ ପୂଜା କରିଥିଲେ। ବଡ଼ କଥା ହେଉଛି, ଏହି ଅବସରରେ ଆଜି ରାଜଧାନୀର ମିଠା ବଜାରରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା।

ପ୍ରେରଣା ବାନ୍ଧିଲା ଗଛରେ ରାକ୍ଷୀ
ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିକୁ ଆଖି ଆଗରେ ରଖି ବ୍ୟାପକ ବୃକ୍ଷରୋପଣ ବିଶେଷ କରି ବୃକ୍ଷ ସୁରକ୍ଷା ପାଇଁ ଏକ ନିଆରା ଢଙ୍ଗରେ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି। ୟୁନିଟ୍-୬ ଇନ୍ଦିରାଗାନ୍ଧୀ ପାର୍କ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଗଛରେ ରାକ୍ଷୀ ବନ୍ଧା ଯାଇଥିବା ବେଳେ ମାଗଣାରେ ବୃକ୍ଷ ବଣ୍ଟନ କରାଯାଇଛି। ଏହି ଅବସରରେ ବୃକ୍ଷ ସୁରକ୍ଷା ନିମନ୍ତେ ଆଇଜି ପାର୍କ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ‘ଗଛ ବି ଆମର ଭାଇ, ଭାଇ ପରି ଗଛ ବି ଆମକୁ ସୁରକ୍ଷା ଦିଏ, ଆଗ ଲଗାଇବା ଗଛ, ଆଉ ସବୁ କଥା ପଛ’ ଏପରି ସ୍ଲୋଗାନ୍ ଦେଇ ଶତାଧିକ ଯୁବତୀ, ମହିଳା ଓ ସ୍ବେଚ୍ଛାସେବୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ବୃକ୍ଷରୋପଣ ଓ ଏହାର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଏହାଦ୍ବାରା ଜଳବାୟୁରେ ସନ୍ତୁଳନ ରକ୍ଷା ହୋଇପାରିବ। କାର୍ଯ୍ୟକ୍ରମରେ ଓଡ଼ିଶା ପାଇକ ଆଖଡ଼ା ସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସମାଜସେବୀ ସ୍ମିତା ଭ୍ରମରବର ରାୟ, ବର୍ଷା ପୃଷ୍ଟି, ନମିତା ରାୟ, ଗଣେଶ ସାମନ୍ତ, ନିଲୁ ଖୁଣ୍ଟିଆ, ଜଲିଲ ଖାନ, ପ୍ରଦୀପ ରାଉତରାୟ, ଶୋଭାମୟୀ ସୁନ୍ଦରାୟ, ଲକ୍ଷ୍ମୀ ବିଳାସୀ ପଟ୍ଟନାୟକ, ଗବେଷକ ହରିହର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର