ଚନ୍ଦ୍ରଶେଖରପୁର: ବସନ୍ତର ଆଗମନ ସହିତ ଫଗୁ ପଞ୍ଚମୀର ପବିତ୍ର ମୁହୂର୍ତ୍ତରେ ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ଭାଇଭଉଣୀମାନେ ବାହାବଙ୍ଗା ପର୍ବ ପାଳନ କରିଛନ୍ତି। ଗ୍ରୀଷ୍ମରେ ପତ୍ରଝଡ଼ା ଦେଇଥିବା ବୃକ୍ଷରେ ନବପଲ୍ଲବ ଆସିବାର ସମୟରେ ଜାହେର୍ଆୟ, ଲିଟା ଗସାଁଇ ଓ ମଣେକ ଠାକୁରଙ୍କୁ ପୂଜା କରାଯାଇଛି। ଏହି ସମୟରେ ପାଗରେ ପରିବର୍ତ୍ତନ ଆସିଥାଏ। ହଇଜା, ମାଲେରିଆ, ଡାଇରିଆ, ମିଳିମିଳା ଭଳି ବିଭିନ୍ନ ରୋଗର ପ୍ରକୋପ ଏହି ସମୟରେ ଦେଖିବାକୁ ମିଳିଥାଏ। ବଣ ଜଙ୍ଗଲରେ ରହୁଥିବା ଜନଜାତି ଭାଇଭଉଣୀଙ୍କ ପାଖରେ ଚିକିତ୍ସା ପାଇଁ କୌଣସି ସୁବିଧା ନଥିବାରୁ ଏହି ଠାକୁରଙ୍କର ଶରଣାପନ୍ନ ହୋଇଥାଆନ୍ତି ପ୍ରକୃତିର ଏହି ସନ୍ତାନଗଣ। ବାହାବଙ୍ଗା ପର୍ବ ପାଳନ କରି ନିଜର ତଥା ସନ୍ତାନର ଶୁଭ ମନାସି ଥାଆନ୍ତି ଏମାନେ। ଏହି ଅବସରରେ ଆଜି ରାଜଧାନୀର ଚିର୍ଗାଲ୍ଟଲା ବସ୍ତିରେ ବାହାବଙ୍ଗା ପର୍ବର ଧୁମ୍ ଦେଖିବାକୁ ମିଳିଥିଲା। ନୂଆପତ୍ର ଧରିଲେ, ପ୍ରକୃତି ମା’ର ପୂଜା ନକଲା ପର୍ଯ୍ୟନ୍ତ ବୃକ୍ଷ ଦେବତାର କୌଣସି ଜିନିଷ ମଧ୍ୟ ନଖାଇବାର ପରମ୍ପରା ରହିଆସିଛି। ଏହି କ୍ରମରେ ନୂତନ ବସ୍ତ୍ର ପରିଧାନ କରି ଡୁମ୍ଦା, ଟାମାକ୍, ଚଡ଼୍ଚଡ଼ି, ପାଖି, ଢାକ୍ ଆଦି ପାରମ୍ପରିକ ବାଦ୍ୟର ତାଳେ ତାଳେ ସାନ୍ତାଳ, ମୁଣ୍ଡା ସମ୍ପ୍ରଦାୟର ଆବାଳ ବୃଦ୍ଧବନୀତା ପାଦରେ ପାଦରେ ମିଶାଇ ଖୁସି ମନାଇଥିଲେ। ଧନୀ ଗରିବର କିଛି ବାଛ ବିଚାର ନଥିଲା। ସମସ୍ତଙ୍କ ମନରେ ଗୋଟିଏ କଥା। ପ୍ରକୃତି ମା’ ଆମ ଭରସା।
ଏହି ପର୍ବ ତିନି ଦିନ ପାଳିତ ହୋଇଥାଏ। ସବୁ ପରିବାରରେ ଲାଗିରହେ ଆନନ୍ଦ ଉଲ୍ଲାସ। ରାତି ସାରା ଚାଲେ ନାଚ ଗୀତର ଆସର। ଆଜିର ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଆଓ୍ଵାର କମିଟିର ସଭାପତି ବସନ୍ତ ମୁର୍ମୁ, ସଂପାଦକ ଲକ୍ଷ୍ମଣ ମାଝୀ ଓ ମୋଚିରାମ ମାଝୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Bahabanga-Fasitival-at-Jahir-Padia-6-1.jpg)