ଭୁବନେଶ୍ୱର: ସକାଳୁ ସକାଳୁ ବଜାରରେ ଥିଲା ହାଉଜାଉ ଭିଡ଼। ସତେ ଯେମିତି ଲାଗିଥିଲା ଆମିଷର ମେଳା। ମାସେ ଆମିଷ ଛାଡ଼ିବା ପରେ ଶନିବାର ଛାଡ଼ଖାଇ ପଡ଼ୁଥିବାରୁ ମୁହଁ ଆମ୍ବିଳା କରିଥିବା ଆମିଷପ୍ରେମୀ ରାତି ପାହୁ ପାହୁ ବ୍ୟାଗ୍‌ ଧରି ବାହାରି ପଡ଼ିଥିଲେ ଆମିଷ ଦୋକାନକୁ। ଆସନ୍ତା ଗୁରୁବାରକୁ ମାର୍ଗଶିର ମାଣବସା ଗୁରୁବାର ‌ପଡ଼ୁଥିବାରୁ ବୁଧବାର ଆମିଷ ଖାଇଲେ ଧୁଆଧୋଇ ଡରରେ ସ୍ତ୍ରୀମାନଙ୍କ କଡ୍ଡା ନିଦ୍ଦେର୍ଶ ଥିଲା, ଆଜି ହିଁ ଆମିଷ ଭଲରେ ଖାଇବା। ତେଣୁ ସମସ୍ତେ ଅଧିକା ଟିକେ ଆମିଷ କିଣିବାକୁ ଦିନ ଦ୍ବିପ୍ରହର ଯାଏଁ ଖରାରେ ଅପେକ୍ଷା କରି ରହିଥିଲେ। ପୁଣି ଆଜି ଛାଡ଼ଖାଇ ଅବସରରେ ଅନେକ ସ୍ଥାନରେ ବଣଭୋଜି ଓ ଭୋଜି ଭାତର ଆସର ଜମିଥିଲା। ଭଲ ଦୁଇ ପଇସା ଲାଭ ଆଶା‌ରେ ଆମିଷ ବେପାରୀଙ୍କୁ ବି ଆଜି ତର ନଥିଲା। ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୨୫୦ ମଟନ୍‌ ଦୋକାନ ଥିବା ବେଳେ ୟୁନିଟ୍‌ ୪ରେ ୩୦ କୁଇଣ୍ଟାଲ୍‌ ଏବଂ ପୂରା ଭୁବନେଶ୍ବରରେ ୨୪୦ କୁଇଣ୍ଟାଲରୁ ଅଧିକ ମଟନ ବିକ୍ରି ହୋଇଥିଲା। ଦାମ୍‌ ୫୫୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କାରେ ପହଞ୍ଚିଥିଲା। ‌ତେବେ ଓଡ଼ିଶାରେ ମଟନ ଆମଦାନୀ କମ୍‌ ଥିବାରୁ କିଛି ଗ୍ରାହକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ବେପାରୀ ବି ଗ୍ରାହକଙ୍କୁ ଫେରାଇ ଦେବାକୁ ବାଧ୍ୟ ହୋଇଥିଲେ। ତା’ଠାରୁ ଟପିଯାଇଥିଲା ଚିକେନ ବିକ୍ରି। ୧୫୦୦ରୁ ଅଧିକ କାଉଣ୍ଟରରେ ଦେଢ଼ ହଜାର କୁଇଣ୍ଟାଲ୍‌ ପାଖାପାଖି ଚିକେନ୍‌ ବିକ୍ରି ହୋଇଥିଲା। କେବଳ ୟୁନିଟ୍‌-୪ ଚିକେନ ବଜାରରେ ୨୧ଟି କାଉଣ୍ଟରରୁ ୩୦ କୁଇଣ୍ଟାଲରୁ ଅଧିକ ଚିକେନ ବିକ୍ରି ହୋଇଥିଲା ବୋଲି କହିଛନ୍ତି ୪ ନମ୍ବର ଚିକେନ୍‌ ବ୍ୟବସାୟୀ ସ˚ଘର ସଦସ୍ୟ ଶେଖ୍‌ ସଇଦ। ଦାମ୍‌ କିନ୍ତୁ ଆଗ ଭଳି ୧୬୦ ଟଙ୍କା ଥିଲା।
ଚିକେନ୍‌ଠୁ ବେଶି ଚାହିଦାରେ ଥିଲା ମାଛ। ଭୁବନେଶ୍ୱର ଓ ଏହାର ଆଖପାଖରେ ୫ ହଜାରରୁ ଅଧିକ ମାଛ ଦୋକାନ ଥିବା ବେଳେ ୨ ହଜାର କୁଇଣ୍ଟାଲ୍‌ ପାଖାପାଖି ମାଛ ବିକ୍ରି ହୋଇଛି ବୋଲି ସୂଚନା ମିଳିଛି। କେବଳ ୪ ନମ୍ବର ହାଟରେ ଥିବା ୪୦ଟି ଗୋଦାମରୁ ୨୦୦ କୁଇଣ୍ଟାଲ୍‌ରୁ ଅଧିକ ମାଛ ବିକ୍ରି ହୋଇଥିବା ବେଳେ ୧୫ଟି ଫାଲ୍‌କନ୍‌ ଚିଲିକା ଫ୍ରେସ୍‌ ଓ ୩ ସରକାରୀ ଚିଲିକା ଫ୍ରେସ୍‌ରେ ୭୦ କୁଇଣ୍ଟାଲ୍‌ରୁ ଅଧିକ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ବିକ୍ରିବଟା ହୋଇଥିଲା।

Advertisment