ନାଚ, ଗୀତରେ ଜମିଲା ବଡ଼ଦିନ

ଭୁବନେଶ୍ବର: କିଏ ସାନ୍ତା ବେଶରେ ଆସିଥିଲା ତ କିଏ ହାତରେ ଗୋଲାପ ଓ ମହମବତିଟିଏ ଧରି ଶ୍ରଦ୍ଧା ନୈବେଦ୍ୟ ବାଢ଼ି ଦେଉଥିଲା। କିଏ ଯିଶୁଙ୍କ ପ୍ରତୀକାତ୍ମକ ଶିଶୁ କଣ୍ଢେଇକୁ ଚୁମି ଦେଉଥିଲା ତ କିଏ ଏ ବିଶେଷ ମୁହୂର୍ତକୁ ସେଲ୍‌ଫି ରୂପରେ ନିଜ ମୋବାଇଲ୍‌ରେ କଏଦ କରି ନେଉଥିଲା। ଯେମିତି ନିଜ ଘରକୁ ସନ୍ତାନ ରୂପରେ ନୂଆ ଅତିଥି ଜଣେ ଆସିଥିଲା। ବଡ଼ଦିନ ଅବସରରେ ଆଜି ଲୋକାରଣ୍ୟ ହୋଇଥିଲା ଚର୍ଚ୍ଚ। ଝଲସୁଥିଲା ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ। ଯିଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ସ୍ବତନ୍ତ୍ର ଭାବେ ନିର୍ମିତ ଏନ୍ତୁଡ଼ିଶାଳ। ପିଲାଟିଏ ଜନ୍ମ ହେଲେ ଘରେ ଆନନ୍ଦର ଲହରି ଖେଳି ଯାଉଥିବା ସଦୃଶ ନିଜ ଘରକୁ ନୂଆ ଅତିଥି ରୂପରେ ଯିଶୁ ଓହ୍ଲାଇ ଆସିଥିବା ଖୁସିରେ ମସ୍‌ଗୁଲ୍‌ ଥିଲା ସହର। ତୁଣ୍ଡରୁ ଝରି ଯାଉଥିଲା, ଝରାଅ ଆଶିଷ ଆମ ମନମନ୍ଦିରେ, ଝରିଯାଉ ଜାଗରଣ ପ୍ରତି ମନ ଆତ୍ମାରେ…। ଯିଶୁଙ୍କ ଧରାବତରଣ ପରେ ଖ୍ରୀଷ୍ଟିଆନ୍‌ ଭାଇ ଭଉଣୀଙ୍କ ସମେତ ସମବେତ ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ଏକ ସ୍ବରରେ ଗାଇ ଚାଲିଥିଲେ ଏହିଭଳି ଆଶିଷର ପ˚କ୍ତି। ବଡ଼ଦିନର ଏହି ଅନନ୍ୟ ପର୍ବ ପାଇଁ ରାଜଧାନୀର ଚର୍ଚରେ କାଲି ରାତିରୁ ଲାଗିଥିଲା ଗହଳି। ଜାତି ଧର୍ମ ନିର୍ବିଶେଷରେ ସଭିଏଁ ଏହି ପର୍ବରେ ନିଜକୁ ସାମିଲ୍‌ କରିଥିଲେ। ଯିଶୁଙ୍କ ଆଦର୍ଶରେ ଅନୁପ୍ରାଣିତ ହଜାରହଜାର ସ˚ଖ୍ୟାରେ ଶ୍ରଦ୍ଧାଳୁ ଚର୍ଚରେ ଏକାଠି ହୋଇ ପ୍ରଭୁ ଯିଶୁଙ୍କ ସ୍ତବଗାନ କରିଥିଲେ। ବାଇବେଲ୍‌ ପାଠ ସହ ବଡ଼ଦିନର ବାର୍ତା ଗ୍ରହଣ କରିଥିଲେ। ସତ୍ୟନଗରସ୍ଥିତ ରୋମାନ୍‌ କ୍ୟାଥ୍‌ଲିକ୍‌ ଚର୍ଚରେ ଯିଶୁଙ୍କୁ ଶିଶୁ ପ୍ରତିମା ରୂପରେ ଦର୍ଶନ କରି ପାଦ ଚୁମ୍ବନ କରୁଥିଲେ ଶ୍ରଦ୍ଧାଳୁ। ପରିସରରେ ଶୋଭା ପାଉଥିବା ଖ୍ରୀଷ୍ଟମାସ ବୃକ୍ଷ ହେଉ ଅବା ଜନ୍ମ ବୃତ୍ତାନ୍ତର କାରିଗରି ଶିଳ୍ପ ସମ୍ମୁଖରେ ସେଲ୍‌ଫି ନେବା ପାଇଁ ଲାଗିଥିଲା ପ୍ରତିଯୋଗିତା। ସକାଳ ୭ଟା ୩୦ରୁ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭିକ ଭକ୍ତି ନୃତ୍ୟରେ ପୁରୋହିତଙ୍କୁ ମଣ୍ତପକୁ ସ୍ବାଗତ କରିଥିଲେ କଳାକାରବୃନ୍ଦ। ଯିଶୁଙ୍କ ଶରୀର ଓ ରୁଧିର ଗ୍ରହଣ କରିଥିଲେ ସାଧନାରେ ଥିବା କିଛି ଖ୍ରୀଷ୍ଟ ଉପାସକ। ଗତକାଲି ବିଳମ୍ବିତ ରାତିରେ କେକ୍‌ କଟା ଯାଇଥିଲେ ମଧୢ ପୁଣି ଆଜି କଟାଯାଇଥିଲା କେକ୍‌। ଯିଶୁଙ୍କୁ ଜନ୍ମ ଦେଇଥିବା ମଦର ମେରିଙ୍କ ଉଦ୍ଦେଶ୍ୟରେ ମହମବତିଟିଏ ଏବ˚ ଶିଶୁ ଯିଶୁଙ୍କ ଉଦ୍ଦେଶ୍ୟରେ ଗୋଲାପଟିଏ କିଣି ନେଉଥିଲେ ଶ୍ରଦ୍ଧାଳୁ। ଆଜି ବି ବିଳମ୍ବିତ ରାତି ଯାଏଁ ଭିଡ଼ ଲାଗିଥିଲା। ୩ ହଜାରରୁ ଊର୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା। ୟୁନିଟ୍‌ ୪ସ୍ଥିତ ୟୁନିୟନ୍‌ ଚର୍ଚରେ ମଧୢ ଇ˚ରାଜୀ ଓ ଓଡ଼ିଆରେ ପ୍ରାର୍ଥନା ହୋଇଥିଲା। ସକାଳେ ଇ˚ରାଜୀରେ ଏବ˚ ଅପରାହ୍‌ଣରେ ଓଡ଼ିଆରେ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର