ଭୁବନେଶ୍ବର/ଖଣ୍ଡଗିରି: ଜାଗମରା ଉପରସାହିରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଶିଶୁଙ୍କର ମୃତ୍ୟୁକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ସକାଳେ ମୃତ ଶିଶୁ ସାଇସ୍ମିତା ସାହୁ ଓରଫ ପିହୁ(୬)ଙ୍କ ଘରେ ବିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ, ୱାର୍ଡ ଅଫିସର, ଏଏନଏମ୍‌ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପହଞ୍ଚି ତଦନ୍ତ କରିଛନ୍ତି। ମୃତ୍ୟୁ ପଛରେ କ’ଣ କାରଣ ରହିଛି ସେ ନେଇ ପରିବାରବର୍ଗଙ୍କୁ ପଚରାଉଚରା କରାଯାଇଛି। କିନ୍ତୁ ମୃତ୍ୟୁର କାରଣକୁ ନେଇ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ଡିପିଏଚ ଡାକ୍ତର ନିରଞ୍ଜନ ମିଶ୍ର। ଆଲିସା ଟେଷ୍ଟ ରିପୋର୍ଟରେ ଡେଙ୍ଗୁ ନ ଆସିଲେ ପ୍ରଶାସନ ପକ୍ଷରୁ ଏହାକୁ ଡେଙ୍ଗୁ ବୋଲି ସ୍ବୀକାର କରାଯାଉ ନାହିଁ। ଅନେକେ କାର୍ଡ ରିପୋର୍ଟରେ ଡେଙ୍ଗୁ ଚିହ୍ନଟ ହେଲେ ଚିକିତ୍ସା କରୁଛନ୍ତି। ମାତ୍ର ଏହାକୁ ସ୍ବୀକାର କରାନଯିବା ଡେଙ୍ଗୁ ମୃତ୍ୟୁକୁ ଫାଙ୍କି ଦିଆଯିବା ସହିତ ସମାନ। ଏଣୁ ପ୍ରଶାସନ ଏବେ ଏହି ଡେଙ୍ଗୁ ମୃତ୍ୟୁକୁ ଫାଙ୍କି ଦେବାକୁ ବସିଥିବା ସ୍ପଷ୍ଟ ହୋଇଛି।

Advertisment

ମୃତ ଶିଶୁଙ୍କ ଘରେ ପ୍ରଶାସନିକ ଟିମ୍‌ର ତଦନ୍ତ
ଖାଲଖମାରେ ଭର୍ତ୍ତି ରାସ୍ତା ନେଇ ବଢୁଛି ଅସନ୍ତୋଷ

ଗତ ୧୪ ତାରିଖ ଦିନ ପିହୁଙ୍କର ଜନ୍ମଦିନ ପାଳନ ହୋଇଥିଲା। ସେ ସୁସ୍ଥ ଥିଲେ। ୧୯ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। କାଶ ହେବା ସହ ବାନ୍ତି ହୋଇଥିଲା। ଜ୍ବରରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏଣୁ ୨୦ ତାରିଖରେ ପାଖ କ୍ଲିନିକ୍‌ରେ ରକ୍ତ ପରୀକ୍ଷା ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୨୧ ତାରିଖ ସକାଳେ ବାତରେ ପୀଡ଼ିତ ହେବା ସହ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ରିରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନରେ ସେଠାରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହେବା ସହ ସେ କୋମା ସ୍ଥିତିକୁ ଚାଲି ଆସିଥିଲେ। ୨୨ ତାରିଖ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ୨୧ ତାରିଖ ସକାଳେ ଡେଙ୍ଗୁ ସଚେତନତା ଶୋଭାଯାତ୍ରା ହୋଇଥିଲା। ‌ସେହି ଅଞ୍ଚଳରେ ମଶା ଧୂଆଁ ସ୍ପ୍ରେ ହୋଇଥିଲା। ଆଣ୍ଟି-ଲାର୍ଭା କାର୍ଯ୍ୟକ୍ରମ ମଧ୍ୟ ଏହି ଅଞ୍ଚଳରେ ହୋଇଥିବା ଅଙ୍ଗନବାଡ଼ି କର୍ମୀ ଜ୍ୟୋତ୍ସ୍ନା ସାମଲ କହିଛନ୍ତି। କିନ୍ତୁ ପିହୁଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟା ସୁକାନ୍ତି ସାହୁ, ଜାଗମରାର ସୁମନ ପାତ୍ର ଓ ବିନୋଦ ଜେନା ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି। ସୁକାନ୍ତି ଓ ବିନୋଦ ସୁସ୍ଥ ହୋଇ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ସଚେତନତା, ଆଣ୍ଟିଲାର୍ଭା କାର୍ଯ୍ୟକ୍ରମ, ମଶା ଧୂଆଁ ସ୍ପ୍ରେ, ଡ୍ରାଏ ଡେ ଏ ସବୁ କେବଳ ଲୋକ ଦେଖାଣିଆ ହୋଇଛି। ସିଟି ହେଲ୍ଥ ସୋସାଇଟି କ’ଣ କରୁଛି? ଆଉ କେତେଙ୍କର ଜୀବନ ଯିବାକୁ ସୋସାଇଟି ଅପେକ୍ଷା କରିଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଏ ନେଇ ଆକ୍ରୋଶ ବଢ଼ିବାରେ ଲାଗିଛି। ୱାର୍ଡ ନମ୍ବର ୬୩ର ଏହି ଅଞ୍ଚଳର ବିଭିନ୍ନ ସ୍ଥାନର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଛି। ଖାଲରେ ପାଣି ଜମି ମଶାଙ୍କ ବଂଶ ବୃଦ୍ଧି ପାଇଁ କାରଣ ସାଜିଛି। ମଶା ମାରିବା ପାଇଁ ମଧ୍ୟ ବିଏମ୍‌ସି ପକ୍ଷରୁ ନିୟମିତ ଧୂଆଁ ସ୍ପ୍ରେ କରାଯାଉ ନାହିଁ ବୋଲି କହିଛନ୍ତି ମାମି ମଲ୍ଲିକ। ଅଜୟ ଜେନା କହିଛନ୍ତି, ଜାଗମରା ଗାଁ ସାରା ଘାସ ଓ ବୁଦାରେ ଭର୍ତ୍ତି ହୋଇଗଲାଣି। ନାଳଗୁଡ଼ିକ ମଧ୍ୟ ଅନେକ ଦିନ ହେଲା ସଫା ହୋଇନାହିଁ। ବର୍ଷା ଆସିବା ପୂର୍ବରୁ ଖାଲ ଖମାକୁ ସମତୁଲ କରାଯାଇ ପାଣି ନିଷ୍କାସନର ବ୍ୟବସ୍ଥା କରାଗଲେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏସବୁକୁ ନେଇ ବିଏମସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।