ସହର ସାରା ନାକାବନ୍ଦୀ: ଦିନରୁ ବୋହିନେଲେ ମଦ

ବାର୍ ଓ ମଦ ଦୋକାନରେ ଚଢ଼ଉ

ଭୁବନେଶ୍ବର: ଜିରୋ ନାଇଟ୍‌ ଓ ନୂଆବର୍ଷ ପାଳନ ଉପରେ କଟକଣା ଲାଗିଥିବାରୁ ଆଜି ରାଜଧାନୀରେ ରାତି ସାରା ପୁଲିସ ନାକାବନ୍ଦୀ କରିଥିଲା। ସନ୍ଧ୍ୟା ସମୟରୁ ଛକରୁ ଛକ ବୁଲି ମାଇକ୍‌ରେ ପ୍ରଚାର କରି ଚେତାଇବା ସହ ମଲ୍‌ରେ ପଶି ଅମାନିଆଙ୍କୁ ଜରିମାନା କରିଥିଲା। ସହର ସାରା, ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରୁ ଆରମ୍ଭ କରି ଖଣ୍ଡଗିରି, ଜୟଦେବବିହାର, ପଟିଆ ପର୍ଯ୍ୟନ୍ତ ସବୁ ଜାଗାରେ ପୁଲିସ ପଇଁତରା ମାରିଥିଲା। ସମଗ୍ର ସହରରେ ୪୭ଟି ଛକରେ କମିସନରେଟ୍ ପୁଲିସର ୧୫ସେକ୍ସନ୍‌ ଫୋର୍ସ ମୁତୟନ ହୋଇଥିଲା।

ଜରୁରୀ ସେବାରେ ଯାଉଥିବା ଗାଡ଼ିଗୁଡ଼ିକୁ ଛାଡ଼ି ପ୍ରତିଟି ସନ୍ଦିଗ୍ଧ ଗାଡ଼ି ଏବଂ ନିଶାସକ୍ତଙ୍କୁ ଅଟକାଇ ଯାଞ୍ଚ କରିଥିଲା ପୁଲିସ। ସେହିଭଳି ଭୁବନେଶ୍ବର ଅବକାରୀ ପୁଲିସ ଆଜି ସନ୍ଧ୍ୟାରୁ ୩ଟି ଟିମ୍ ଗଠନ କରି ରାଜଧାନୀରେ ଥିବା ସମସ୍ତ ବାର୍ ଓ ମଦ ଦୋକାନ ଉପରେ ଚଢ଼ଉ କରିଥିଲା।

କଟକ ରୋଡ୍‌ରୁ ରାଜମହଲ ଛକ ପାଇଁ ଗୋଟିଏ ଟିମ୍ ଥିବା ବେଳେ ଖଣ୍ଡଗିରିରୁ ତମାଣ୍ଡୋ ଏବଂ ପଟିଆ ପାଇଁ ମୋଟ ୨ଟି ଟିମ୍ ଚଢ଼ଉ କରିଥିଲେ। ସେହିଭଳି ଆଜି ଦିନରୁ ବିଏମ୍‌ସି ସହିତ ମିଶି ସବୁ ଅଞ୍ଚଳର ସ୍ଥାନୀୟ ପୁଲିସ ବିଭିନ୍ନ ମଲ୍‌ରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିଥିଲା।

ଗତକାଲିଠୁ ପ୍ରଶାସନ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲଗାଇବା ସହ ଭିଡ଼ ଉପୁଜିବାକୁ ଥିବା ସମସ୍ତ ଜାଗାରେ ସମୟ ପୂର୍ବରୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ସେଥିପାଇଁ ଲୋକେ ଆଜି ମଦ ଦୋକାନ ଆଗରେ ଦିନରୁ ଧାଡ଼ି ବାନ୍ଧି ମଦ ବୋହି ନେଇଥିଲେ। ସ୍ଥିତି ଏମିତି ଥିଲା ଯେ ମଦ ଦୋକାନ ଆଗରେ ରାସ୍ତା ଉପରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର