ପରିବେଶର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡ଼ା

କଳିଙ୍ଗ କୁସୁମ ପକ୍ଷରୁ ‘ଓ୍ଵାସ୍‌’ରେ ମହିଳାଙ୍କ ଭୂମିକା ଶୀର୍ଷକ କର୍ମଶାଳା

ଭୁବନେଶ୍ୱର: ଜଳ, ସ୍ୱାସ୍ଥ୍ୟରକ୍ଷା, ସ୍ୱଚ୍ଛତା ବା ଓ୍ଵାସ୍‌ରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମହିଳା ଓ ଶିଶୁଙ୍କୁ ହେଉଥିବା ରୋଗର ନିରାକରଣ ପାଇଁ ସମସ୍ତେ ସଚେତନ ହେବା ଜରୁରୀ। ସେଥିପାଇଁ ପରିବେଶ ସଫା ରଖିବାକୁ ହେଲେ ସମସ୍ତଙ୍କ ମିଳିତ ଉଦ୍ୟମ ଦରକାର ବୋଲି କହିଛନ୍ତି ମେୟର ଅନନ୍ତ ନାରାୟଣ ଜେନା। ଆଜି ରାଷ୍ଟ୍ରୀୟ ମହିଳା କମିସନ ସହାୟତାରେ ହୋଟେଲ କେଶରୀରେ ଓ୍ଵାସ୍‌ରେ ମହିଳାଙ୍କ ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସ୍ୱାତୀ ତନୟା ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମେୟର ଶ୍ରୀ ଜେନା କହିଲେ, ସମସ୍ତେ ପାଇଖାନା ବ୍ୟବହାର କରିବା ନିହାତି ଆବଶ୍ୟକ। ସ୍ୱଚ୍ଛତା ପାଇଁ ସରକାର ବର୍ଷକୁ ପ୍ରାୟ ୪୦ରୁ ୪୫କୋଟି ଟଙ୍କା ବ୍ୟୟ କରୁଛନ୍ତି। ସମସ୍ତେ ଜଳକୁ ଅମୂଲ୍ୟ ସମ୍ପଦ ଭାବି ଏହା କିଭଳି ନଷ୍ଟ ନ ହେବ ତାହା ଉପରେ ଗୁରୁତ୍ୱ ଦେବା ଜରୁରୀ। ଏବେ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ‘ଖୁସି’ର ଆରମ୍ଭ କରିଛନ୍ତି। ଏହି ଯୋଜନାରେ କିଶୋରୀ ଓ ବାଳିକାମାନଙ୍କୁ ସାନିଟାରି ନାପ୍‌କିନ ଯୋଗାଯାଉଛି। କଲେଜ ପିଲା ଓ ମହିଳା ସମିତିର ଅଧ୍ୟକ୍ଷମାନେ ବସ୍ତି ଓ ଗାଁ ଗହଳିର ମହିଳାମାନଙ୍କୁ ଏଥିପ୍ରତି ସଚେତନ କରିବା ଦରକାର ବୋଲି ସେ କହିଥିଲେ। ମହିଳା କମିସନର ପୂର୍ବତନ ଅଧିକାରୀ ସ୍ନିଗ୍ଧା ପାଣିଗ୍ରାହୀ କହିଲେ, ସମାଜରେ ମହିଳାଙ୍କ ଭୂମିକା ଓ ଉତ୍ତମ ସ୍ୱାସ୍ଥ୍ୟ ଗଢ଼ିବା ପାଇଁ ଶିକ୍ଷିତ ହେବାକୁ ପଡ଼ିବ। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ରୀତା ରାୟ କହିଲେ, ବସ୍ତିରେ ବସବାସ କରୁଥିବା ମହିଳାମାନେ ନିଜ ସ୍ୱାସ୍ଥ୍ୟର ସ୍ୱଚ୍ଛତା ପାଇଁ ସାନିଟାରି ନାପ୍‌କିନ୍‌ ବ୍ୟବହାର କରିବା ଦରକାର। ଜଳକୁ ଅପବ୍ୟବହାର ନ କରି ଏହାକୁ ସଂରକ୍ଷିତ ରଖିଲେ ଆଗାମୀ ପିଢ଼ିପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ। ପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ସରୋଜିନୀ ବ୍ରହ୍ମା, ଶ୍ରୀନିବାସ ଦାସ, ଏଆଇଡବ୍ଲୁଏର ସଂପାଦିକା ତାପସୀ ପ୍ରହରାଜ, ମହିଳା ନିଗମର ମୁଖ୍ୟ ଶ୍ରୀମୟୀ ମିଶ୍ର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜ୍ୟୋର୍ତିମୟୀ ଆଚାର୍ଯ୍ୟ, ରାଜ୍ୟ ମହିଳା କମିସନ୍‌ର ସଦସ୍ୟ ତିଳୋତ୍ତମା ନାୟକ, ଜାତୀୟ ଆଇନ ବିଶ୍ୱବିଦ୍ୟାଳର ସହକାରୀ ପ୍ରଫେସର ସୁମନ୍‌ ଡି.ଭଟ୍ଟମିଶ୍ର, ୟୁନିସେଫ୍‌ର ରୁଦ୍ରପସନ୍ନ ଦାସ, ଏସ୍‌ସିଡବ୍ଲୁର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି କଳିଙ୍ଗ କୁସୁମ ଫାଉଣ୍ଡେସନ୍‌ର ପରିଚାଳନା ଟ୍ରଷ୍ଟି ଦିବ୍ୟଚାନ୍ଦ ଶୁକ୍ଲା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର