ଭୁବନେଶ୍ବର: ଛତାବର ଗ୍ରାମପଞ୍ଚାୟତରେ ‘ସମ୍ବାଦ’ ଓ ୟୁନିସେଫ୍ ଓଡ଼ିଶା ନେତୃତ୍ବାଧୀନ ୟୁଥ୍ ଫର୍ ୱାଟର୍ ପ୍ଲସ୍ର ମିଳିତ ଉଦ୍ୟମରେ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଛତାବର ସରପଞ୍ଚ ବିଷ୍ଣୁପ୍ରସାଦ ଡେଙ୍ଗାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗଉଡ଼ କାଶୀପୁର ଓ ଛତାବର ଗ୍ରାମର ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ସ୍ଥାନୀୟ ଲୋକେ ଅଞ୍ଚଳର ପରିବେଶ ସମ୍ପର୍କିତ ବିଭିନ୍ନ ସମସ୍ୟା ବାବଦରେ ସ୍ବର ଉତ୍ତୋଳନ କରିଥିଲେ। ସରପଞ୍ଚ ଶ୍ରୀ ଡେଙ୍ଗା ଯୁବବର୍ଗଙ୍କୁ ଉଦ୍ୟମୀ କରିବା ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତ ରଖିବା ସହିତ ପ୍ରତ୍ୟେକ ଗୃହରେ କିଚେନ୍ ଗାର୍ଡେନ୍ କରିବା ପାଇଁ ଉପସ୍ଥିତ ସଦସ୍ୟମାନଙ୍କୁ ଆହ୍ବାନ ଦେଇଥିଲେ। ୟୁଥ୍ ଫର୍ ୱାଟର୍ ପ୍ଲସ୍ ଅଭିଯାନର ପରିଚାଳକ ଧର୍ମାନନ୍ଦ ସୁନ୍ଦରାୟ ଯୋଗଦେଇ ସମଗ୍ର ରାଜ୍ୟରେ ‘ସମ୍ବାଦ’ ସହିତ ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
ନିଜର ଆଖପାଖକୁ ପରିଷ୍କାର ରଖିବା ସହିତ ବୃକ୍ଷରୋପଣ ଓ ବର୍ଜ୍ୟ ପରିଚାଳନା ସମ୍ପର୍କରେ ମତ ରଖିଥିଲେ। ‘ବିଭିଜିଏସ୍’ର ପ୍ରଦୀପ କୁମାର ମହାନ୍ତି ଜଳବାୟୁ ପରିବର୍ତ୍ତନ ଦ୍ବାରା ପରିବେଶ ଓ ଅର୍ଥନୀତି କିଭଳି ପ୍ରଭାବିତ ହେଉଛି ସେ ସମ୍ପର୍କରେ କହିଥିଲେ। ‘ଉଦ୍ୟମ’ର ପ୍ରଦୀପ କୁମାର ମହାପାତ୍ର ପରିବେଶ ସନ୍ତୁଳନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍ତରପିଢ଼ିଙ୍କ ଉତ୍ତମ ଭବିଷ୍ୟତ ନିମନ୍ତେ ଗ୍ରାମାଞ୍ଚଳରେ ଏଭଳି ସଚେତନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସରପଞ୍ଚ ଶ୍ରୀ ଡେଙ୍ଗା ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/27AdH46QeDNlGugIgk5p.jpg)