ଅର୍ଦ୍ଧେନ୍ଦୁଙ୍କ ଘରେ ଇଓଡବ୍ଲୁର ଚଢ଼ଉ, ଆଗୁଆ ଜାମିନ୍‌ ପାଇଁ ହାଇ‌କୋର୍ଟରେ ଆବେଦନ

ପୁରୀଘାଟ ଥାନାରେ ଆଉ ଏକ ଠକେଇ ମାମଲା, ରଥଯାତ୍ରା ପରେ ଦେଖା କରିବି ବୋଲି କହିଥିଲି: ଅର୍ଦ୍ଧେନ୍ଦୁ

ଭୁବନେଶ୍ବର/କଟକ: ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଇଓଡବ୍ଲୁ ୯୨ଲକ୍ଷ ୪୭ହଜାର ୭୦ଟଙ୍କାର ଠକେଇ ମାମଲା ରୁଜୁ ହେବା ଘଟଣା ଆଜି ନୂଆ ମୋଡ଼ ନେଇଛି। ଆଜି ଭୋର୍ ପ୍ରାୟ ୪ଟା ବେଳେ ତଦନ୍ତକାରୀ ଡିଏସ୍‌ପିଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଶ୍ରୀ ଦାସଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଛି। ମାତ୍ର ଚଢ଼ଉ ବେଳେ ଅର୍ଦ୍ଧେନ୍ଦୁ ଘରେ ଅନୁପସ୍ଥିତ ଥିବାରୁ ଇଓଡବ୍ଲୁ ଖାଲି ହାତରେ ଫେରି ଆସିଛି। ଏନେଇ ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି, ଗତ ୨୩ ତାରିଖରେ ସଲ୍ୟୁସନ୍ ବ୍ରଡକାଷ୍ଟ୍‌ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଵଲା ଅଭିଯୋଗ କରିଥିଲେ।

ବାର୍ଷିକ ୮କୋଟି ବ୍ୟବସାୟ ହେଉଥିବା କହି ଅର୍ଦ୍ଧେନ୍ଦୁ ତାଙ୍କଠାରୁ କୋଟିଏ ୪୭ହଜାର ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଆଣିଥିଲେ। ଏ ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆହୁରି ୯୨ଲକ୍ଷ ଟଙ୍କା ସେ ଦେଇନାହାନ୍ତି। ତେଣୁ ଏହି ଆଧାରରେ ଠକେଇ ମାମଲା ରୁଜୁ ହୋଇଛି।

ଅପରପକ୍ଷେ ତଦନ୍ତରେ ସହଯୋଗ କରିବା ପାଇଁ ଶ୍ରୀ ଦାସଙ୍କୁ ଇଓଡବ୍ଲୁରେ ହାଜର ହେବା ପାଇଁ ତଦନ୍ତକାରୀ ଡିଏସ୍‌ପି ଗତ ୨୪ ଓ ୨୬ତାରିଖରେ ୨ଥର ନୋଟିସ୍ କରିଥିଲେ। ମାତ୍ର ସେ ହାଜର ନ ହେବାରୁ ତାଙ୍କ ଘରେ ଚଢ଼ଉ କରାଯାଇଥିଲା। ଅଭିଯୋଗକାରୀ ଗଗନଦୀପ ସିଂହ ଚାଵଲାଙ୍କ ଓକିଲ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି, ଭୁବନେଶ୍ବର ସଚ୍ଚିଦାନନ୍ଦ ସିଂହ ନାମକ ଜଣେ ବ୍ୟକ୍ତି ଅଗଷ୍ଟ ୨୦୨୦ରେ ଗଗନଦୀପ ସିଂହ ଚାଵଲାଙ୍କୁ ଅର୍ଦ୍ଧେନ୍ଦୁଙ୍କ ସହ ପରିଚିତ କରାଇଥିଲେ। ଏହା ପରେ ଗଗନଦୀପଙ୍କୁ ଶ୍ରୀ ଦାସ ବଡ଼ଖବର ଚ୍ୟାନେଲ୍ କରିବା କଥା କହିଥିଲେ। ଏହି କ୍ରମରେ ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ ଏକ ଚୁକ୍ତି କରାଯାଇଥିଲା। ୨୦୨୦ ଅକ୍ଟୋବରରେ ଶ୍ରୀ ଦାଶ ୧୦ଲକ୍ଷ ଟଙ୍କା ଅଗ୍ରୀମ ଦେଇ ବୈଦ୍ୟୁତିକ ଯନ୍ତ୍ରାଂଶ ଦେବାକୁ କହିଥିଲେ। ଏହା ପରେ ଗଗନଦୀପଙ୍କ ସଂସ୍ଥା ସଲ୍ୟୁସନ୍ ବ୍ରଡକାଷ୍ଟ କୋଟିଏ ୪୭ ହଜାର ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଦେଇଥିଲେ। ଅକ୍ଟୋବର ୨୦୨୦ରେ ଯଂନ୍ତ୍ରାଶ ଦେବା ପରେ ଗଗନଦୀପ ତାଙ୍କ ଟିମ୍ ସହ ୨ ମାସ ଭୁବନେଶ୍ବରରେ ରହି ବଡ଼ ଖବରର ପୂରା ଷ୍ଟୁଡିଓ ସେଟ୍‌ଅପ୍ କରାଇଥିଲେ। ଏ ସମସ୍ତ କାମ ସରିବା ପରେ ଶ୍ରୀ ଦାଶଙ୍କୁ ସମସ୍ତ ଖର୍ଚ୍ଚ ମାଗିବାରୁ କୋଭିଡ୍ ଚାଲିଛି କହି ସମୟ ଗଡ଼ାଇଥିଲେ। ଏହି ଆଧାରରେ ଇଓଡବ୍ଲୁରେ ଅଭିଯୋଗ ହୋଇଥିବା ଆଇନଜୀବୀ ଶ୍ରୀ ଚୌଧୁରୀ କହିଛନ୍ତି।

ଏନେଇ ଅର୍ଦ୍ଧେନ୍ଦୁ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ମୁଁ ଚ୍ୟାନେଲ କାମରେ ବାହାରେ ଅଛି। ଇଓଡବ୍ଲୁଠାରୁ ସମନ୍ ପାଇ ତୁରନ୍ତ ସେମାନଙ୍କୁ ଚିଠି ଲେଖି ଏ କଥା ଜଣାଇଥିଲି। ରଥଯାତ୍ରା ପରେ ଦେଖା କରିବି ବୋଲି କହିଥିଲି। ଏହାପରେ ଇଓଡବ୍ଲୁ ପୁଣି ସମନ ଜାରି କରି ହାଜର ହେବାକୁ କହିଥିଲା। ତେଣୁ ମୋର ଆଇନଜୀବୀ ଇଓଡବ୍ଲୁକୁ ମୋ ପକ୍ଷ ମେଲ୍ କରିଥିଲେ। ଚିଠି ମଧ୍ୟ ଅଫିସ୍‌ରେ ଦିଆଯାଇଥିଲା। ଇଓଡବ୍ଲୁ ଏସ୍‌ପିଙ୍କ ସହ କଥା ବି ହେଲେ। ତାହା ସତ୍ତ୍ବେ ଇଓଡବ୍ଲୁ ଭୋର୍ ୪ଟାରେ ମୋ ଘରେ ଚଢ଼ଉ କରିବା ଆଶ୍ଚର୍ଯ୍ୟଜନକ। ସେମାନେ ଆସିବେ ବୋଲି ମୁଁ ଜାଣି ନଥିଲି। ଆମେ ଇଓଡବ୍ଲୁକୁ ସ୍ପଷ୍ଟ ଭାବେ ଆମ ସ୍ପଷ୍ଟୀକରଣ ଲେଖିକି ଜଣାଇଛୁ। କେବେ ବି କାହାକୁ ଠକିବା ଆମ ଉଦ୍ଦେଶ୍ୟ ନୁହେଁ। ଗଗନଦୀପ ପୁରୁଣା ଓ ଖରାପ କ୍ବାଲିଟିର ସାମଗ୍ରୀ ଦେଇ ନୂଆ ସାମଗ୍ରୀର ବିଲ୍ ଦେଇଛନ୍ତି। ଏ ସଂପର୍କରେ ବଡ଼ ଖବର କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ‌ତେବେ ଅର୍ଦ୍ଧେନ୍ଦୁ ଏହି ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଅପରପକ୍ଷେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଆଉ ଏକ ଠକେଇ ମାମଲା ରୁଜୁ ହୋଇଛି। ଏକ ବ୍ୟାବସାୟିକ ପ୍ରତିଷ୍ଠାନରୁ ୬ ଲକ୍ଷ ୫୯ ହଜାର ୮୧୫ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଅର୍ଦ୍ଧେନ୍ଦୁ ଇଣ୍ଟେରିୟର୍ କାମ ପାଇଁ ଚୌଧୁରୀ ବଜାର ଜାଉଁଳିଆପଟି ଅଞ୍ଚଳର ନିଶିଥ ଅଗ୍ରୱାଲଙ୍କ ବିନାୟକ କମର୍ସିଆଲ୍ସରୁ ୧୧ଲକ୍ଷ ୯ ହଜାର ୮୧୫ ଟଙ୍କାର ସାମଗ୍ରୀ କିଣିଥିଲେ। କିନ୍ତୁ ସେ ମାତ୍ର ୪ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ବାରମ୍ବାର ଟଙ୍କା ମାଗିବାରୁ ଜୀବନରୁ ମାରିଦେବାକୁ ଓ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଉଛନ୍ତି ବୋଲି ଏତଲାରେ ଦର୍ଶାଯାଇଛି। ପୁଲିସ ଏକ ମାମଲା(୧୫୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଯତୀନ୍ଦ୍ରନାଥ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର