କ୍ରାଇମ୍‌ ବ୍ରାଞ୍ଚ୍‌ ହେପାଜତରେ ଗୋଲ୍‌ଡେନ୍‌ ବାବା : ଆଜି କୋର୍ଟରେ ହାଜର ହେବ

ଭୁବନେଶ୍ୱର : ଗୋଲ୍‌ଡେନ୍ ବାବା ଓରଫ ଜ୍ୟୋତିରଂଜନ ବେଉରା ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଶୁକ୍ରବାର ବାବାକୁ ଇଓଡବ୍ଲୁ ଦିନିକିଆ ରିମାଣ୍ଡରେ ନେଇଛି। ଦୁଇଟି ଦଫାରେ ୭ ଘଣ୍ଟା ଧରି ବାବାକୁ ନନ୍‌ଷ୍ଟପ୍‌ ଜେରା ହୋଇଛି। ୧.୫ କେଜି ସୁନା ସହ ପାଖାପାଖି ୧୦୦ କୋଟି ହେରଫେରକୁ ନେଇ ଜେରା ହେବା ସହ ବୟାନ ରେକର୍ଡ କରାଯାଇଛି। ବାବା କେତେକ ଗୁପ୍ତ କଥା ମାନିବା ପୂର୍ବରୁ ଇଓଡବ୍ଲୁ ବିଭିନ୍ନ ସୂତ୍ରରୁ ପାଇଥିବା କେତେକ ପ୍ରସଙ୍ଗ ବାବା ସାମ୍ନାରେ ରଖିଛି। ଫଳରେ ଜେରା ସମୟରେ ବାବା ଆଉ ଭୁଆଁ ବୁଲାଇ ପାରିନାହିଁ ବୋଲି ଖବର ମିଳିଛି। ବାବାର ଅପରାଧ ସାମ୍ରାଜ୍ୟକୁ ଆକଳନ କରି କ୍ରାଇମ୍‌ ବ୍ରାଞ୍ଚ ଦୁଇଦିନିଆ ରିମାଣ୍ଡ ମାଗିଥିବା ବେଳେ ଗୋଟିଏ ଦିନ ମିଳିଛି। ଆସନ୍ତାକାଲି ତାକୁ କୋର୍ଟରେ ହାଜର କରାଯିବ। ଚନ୍ଦ୍ରଶେଖରପୁର ଥାନା ପରେ ଏବେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ନେଇ ବାବାର କେଉଁ ରହସ୍ୟ ଖୋଲୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଜ୍ୟୋତି ରଂଜନ କିଛି ବର୍ଷ ତଳେ ଥିଲା ଜଣେ ସାଧାରଣ କ୍ୟାମେରା ମ୍ୟାନ୍‌। ହେଲେ ସେ ହଠାତ୍ ବେକରେ ମୋଟା ସୁନା ହାର, ହାତର ସବୁ ଆଙ୍ଗୁଠିରେ ବଡ଼ ବଡ଼ ମୁଦି ସହ ବଡ଼ ବଡ଼ ନେତାମାନଙ୍କ ସହ ନଜର ଆସିଥିଲେ। ସୁନା ପିନ୍ଧି ବଡ଼ ବଡ଼ ନେତାଙ୍କ ପାଖରେ ଦେଖାଯିବା ପରେ ସେ ଗୋଲଡେନ୍‌ ବାବା ନାମରେ ଚର୍ଚ୍ଚାକୁ ଆସିଥିଲା। ନୂଆବର୍ଷ ପାଇଁ ରାଜଧାନୀର ପ୍ରମୁଖ ସ୍ଥାନରେ ବଡ଼ ବଡ଼ ହୋର୍ଡିଂରେ ଶୁଭକାମନାକୁ ନେଇ ମଧ୍ୟ ସେ ଚର୍ଚ୍ଚିତ ହୋଇଥିଲା। ପରେ ଚେକ୍‌ ବାଉନ୍‌ସ ମାମଲା ଆସିଥିଲା। ଏହି ମାମଲା‌ ପରେ ଠକାମିର ବଡ଼ ଜାଲ ଥିବା ଜଣାପଡ଼ିଥିଲା। ଚନ୍ଦ୍ରଶେଖର ପୁର ଥାନା ପୁଲିସ ତାକୁ ବାନ୍ଧି ତଦନ୍ତ କରିବା ବେଳେ ବାବାର ଅନେକ ରାଜନୈତିକ ଲିଙ୍କ କଥା ପଦାକୁ ଆସିଥିଲା। ଶହେ କୋଟିର ମାମଲା ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲୁ ତଦନ୍ତ ଭାର ନେଇଥିଲା। ଏବେ ବାବାର ଏକ ଅଟୋମେଟିକ ଘର ରହିଥିବା ଜଣାପଡ଼ିଛି। ଏଥିରେ କୋଟି କୋଟି ଟଙ୍କାର ଇଣ୍ଟରିଅର ଡିଜାଇନ୍‌ ହୋଇଛି। ଏହା ଭିତରେ କଣ କାରବାର ଚାଲିଥିଲା ତାହା ଜାଣିବା ପାଇଁ ସେଠାରେ ଲାଗିଥିବା ସିସିଟିଭି ଉପରେ କ୍ରାଇମ ବ୍ରାଞ୍ଚ ନଜର ପକାଇଛି। କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି। ପୁଲିସ କଣ କଣ ପଦକ୍ଷେପ ନେଇଛି, ଆଉ କଣ କଣ ବାକି ରହିଛି ତାହାର ଏକ ତୁଳନାତ୍ମକ ନଥି ପ୍ରସ୍ତୁତ କରାଯାଇଛି। ଆଜି ପଚରା ଉଚରା ପରେ ଯେଉଁ ତଥ୍ୟ ସଂଗ୍ରହ କରାଯାଇଛି ତାହାକୁ ନେଇ ତଦନ୍ତ ଆଗକୁ ବଢ଼ିବ।

ସମ୍ବନ୍ଧିତ ଖବର