ଇପିଏଫ୍‌/ଇଏସ୍‌ଇ ଡାଟାବେସ୍‌ ସହ ସମନ୍ବିତ ହେବ, ମଜୁରି ପ୍ରଦାନରେ ସ୍ବଚ୍ଛତା ପାଇଁ ଇ-ମଷ୍ଟର୍‌ ରୋଲ୍‌

ଭୁବନେଶ୍ବର: ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ଶ୍ରମିକମାନଙ୍କୁ ଦିଆଯାଉଥିବା ମଜୁରି ଓ ଇପିଏଫ୍‌/ଇଏସ୍‌ଆଇ ଜମା ଆଦିରେ ସ୍ବଚ୍ଛତା ଆଣିବା ନିମନ୍ତେ ‘ଇ-ମଷ୍ଟର୍‌ ରୋଲ୍‌’ ପ୍ରଚଳନ ହେବାକୁ ଯାଉଛି। ଏଥିପାଇଁ ସ୍ବତନ୍ତ୍ର ସଫ୍ଟୱେର୍‌ ପ୍ରସ୍ତୁତ କରାଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ନୂଆ ସଫ୍ଟୱେର୍‌ ମାଧ୍ୟମରେ ଠିକାଦାରମାନେ ଶ୍ରମିକମାନଙ୍କୁ ଦେଉଥିବା ମଜୁରି ଉପରେ କର୍ତ୍ତୃପକ୍ଷ ନଜର ରଖିପାରିବେ। ଶ୍ରମିକମାନଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ସିଧାସଳଖ ଆକାଉଣ୍ଟ୍‌ରେ ଦେବା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇପାରିବ। ପ୍ରସ୍ତାବର ପ୍ରାଶାସନିକ, ବୈଷୟିକ ଓ ଆର୍ଥିକ ଦିଗଗୁଡ଼ିକୁ ବିବେଚନା କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବିଭିନ୍ନ ବିଭାଗକୁ ଇ-ମଷ୍ଟର୍‌ ରୋଲ୍‌ ସଫ୍ଟୱେର୍‌କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସଫ୍ଟୱେର୍‌କୁ ଇ-ଶ୍ରମିକ, ଇପିଏଫ୍‌ ଓ ଇଏସ୍‌ଆଇ ଡାଟାବେସ୍‌ ସହ ସମନ୍ବିତ କରିବାକୁ ସେ କହିଥିଲେ।

ସଫ୍ଟୱେର୍‌ ସମ୍ପର୍କରେ ସୂଚନା ଦେଇ ପୂର୍ତ୍ତ ସଚିବ କ୍ରିଷନ୍ କୁମାର କହିଲେ, କଣ୍ଟ୍ରାକ୍ଟର୍‌ ଡାଟାବେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌(ସିଡିଏମ୍‌ଏସ୍‌) ସଫ୍ଟୱେର୍‌ ଏବେ କାର୍ଯ୍ୟକାରୀ ହେଉଛି। ବଡ଼ ଭିତ୍ତିଭୂମି ନିର୍ମାଣ କରୁଥିବା ବିଭାଗ ପୂର୍ତ୍ତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ଏହାର ବ୍ୟବହାର ହେଉଛି। ଇ-ମ‌ଷ୍ଟର୍‌ ରୋଲ୍‌ରେ ପ୍ରକଳ୍ପ ୱାରି ଶ୍ରମିକଙ୍କ ତଥ୍ୟ, ଅନ୍‌ଲାଇନ୍ ମଜୁରି ପ୍ରଦାନ, ଶ୍ରମିକଙ୍କ ଉପସ୍ଥିତି ଓ ଇଏସ୍‌୍ଆଇ/ଇପିଏଫ୍‌ ଜମା ଆଦି ବ୍ୟବସ୍ଥା ରହିବ। ଆଧାର ମାଧ୍ୟମରେ ତଥ୍ୟ ଟ୍ରାକିଂ କରିବାରେ ମଧ୍ୟ ଏହା ସହାୟକ ହେବ। ପ୍ରାରମ୍ଭିକ ପର୍ଯ୍ୟାୟ‌େର ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କିଛି ପ୍ରକଳ୍ପ ପାଇଁ ପରୀକ୍ଷାମୂଳକ ଭାବେ ଇ-ମଷ୍ଟର୍‌ ରୋଲ୍‌ ଲାଗୁ କରାଯିବ। ଏହାର ଫଳାଫଳ ଦେଖାଯାଇ ସଫ୍ଟୱେର୍‌କୁ ବିକାଶ କରାଯିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଏହି ନୂଆ ସଫ୍ଟୱେର୍‌ ବ୍ୟବହାର ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ତାଲିମ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଠିକାଦାରମାନେ ଯେପରି ଶ୍ରମ ବିଭାଗ ସହ ସମନ୍ବୟ ରକ୍ଷା କରି ଇ-ମଷ୍ଟର୍‌, ଇଏସ୍‌ଆଇ ଓ ଇପିଏଫ୍‌ ତଥ୍ୟ ଅପ୍‌ଲୋଡ୍‌ କରିବେ, ସେଥିପାଇଁ ପୂର୍ତ୍ତ ବିଭାଗ ସଚେତନ କରାଇବ। ଇଞ୍ଜିନିୟରିଂ ବିଭାଗୁଡ଼ିକ ଏହି ବ୍ୟବସ୍ଥାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜଣେ ଜଣେ ଅଧିକାରୀଙ୍କୁ ସମନ୍ବୟ ଅଧିକାରୀମାନେ ଦାୟିତ୍ବ ଦେବାକୁ କୁହାଯାଇଛି। ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର