ସମାନ ଗୁରୁତ୍ବ, ପରିଶ୍ରମ ସତ୍ତ୍ବେ ଅଭିନେତାଙ୍କ ପାରିଶ୍ରମିକ ଅଧିକ

କନକ ନ୍ୟୁଜ୍‌ କନ୍‌କ୍ଲେଭ ‘ଅନନ୍ୟା’: ‘ହିରୋ ନା ହିରୋଇନ୍‌: ଚଳଚ୍ଚିତ୍ର ଦୁନିଆରେ କାହାର ଗୁରୁତ୍ବ ଅଧିକ?’

ଭୁବନେଶ୍ବର: ହଲିଉଡ୍‌ ହେଉ କି ବଲିଉଡ୍‌ କିମ୍ବା ଓଲିଉଡ୍‌; ସବୁବେଳେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ପାରିଶ୍ରମିକରେ ଏକ ବିରାଟ ପାର୍ଥକ୍ୟ ରହୁଛି। ଗୋଟିଏ ଚଳଚ୍ଚିତ୍ରରେ ଅଭିନେତା ଓ ଅଭିନେତ୍ରୀଙ୍କ ସମାନ ଗୁରୁତ୍ବ, ସମାନ ପରିଶ୍ରମ ଓ ସମାନ ଯୋଗଦାନ ରହିଥିଲେ ମଧ୍ୟ ଅଭିନେତ୍ରୀଙ୍କ ତୁଳନାରେ ଅଭିନେତା ଅଧିକ ପାରିଶ୍ରମିକ ପାଇଥା’ନ୍ତି। ଏହି ପକ୍ଷପାତିତା ପାଇଁ ଅନେକ ସମୟରେ ମନରେ ବିଦ୍ରୋହ ଆସେ। କିନ୍ତୁ ଧୀରେଧୀରେ ଏହି ମାନସିକତାରେ ପରିବର୍ତ୍ତନ ଆସୁଛି।

ବର୍ତ୍ତମାନ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ଅଧିକ ନିର୍ମିତ ହେଉଛି। ଅଭିନେତ୍ରୀମାନେ ମଧ୍ୟ ନାମୀଦାମୀ ଅଭିନେତାଙ୍କ ଭଳି ପାରିଶ୍ରମିକ ଦାବି କରୁଛନ୍ତି। ହୁଏତ ଆଉ କିଛି ବର୍ଷ ପରେ ଏହି ପ୍ରସଙ୍ଗ ବି ଆଉ ରହିବ ନାହିଁ। ଆଗକୁ ଅଭିନେତା ଭଳି ଅଭିନେତ୍ରୀ ମଧ୍ୟ ଚଳଚ୍ଚିତ୍ରରେ ନିଜ ଦବ୍‌ଦବା ଜାହିର୍‌ କରିବେ। ଅଭିନେତ୍ରୀଙ୍କ ନାମରେ ଚଳଚ୍ଚିତ୍ର ଚାଲିବ ବୋଲି ଆଶାପ୍ରକଟ କରିଛନ୍ତି ଓଲିଉଡ୍‌ର ତିନି ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ ଓ ଭୂମିକା ଦାଶ। କନକ ନ୍ୟୁଜ୍‌ର ‘ଅନନ୍ୟା’ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ‘ହିରୋ ନା ହିରୋଇନ୍‌: ଚଳଚ୍ଚିତ୍ର ଦୁନିଆରେ କାହାର ଗୁରୁତ୍ବ ଅଧିକ?’ ଶୀର୍ଷକ ଆଲୋଚନାରେ ଯୋଗଦେଇ ଏଭଳି ମତ ରଖିଛନ୍ତି ଏହି ୩ ଅଭିନେତ୍ରୀ।

ଅନେକ ସମୟରେ ଅଭିନେତ୍ରୀଙ୍କୁ ଗ୍ଲାମର୍‌ ଅବ୍‌ଜେକ୍ଟ ଭାବେ ବ୍ୟବହାର କରାଯାଏ। ମୁନି ବଦ୍‌ନାମ୍‌ ହୁଇ…, ସିଲା କି ଜୱାନୀ… ଦର୍ଶକ ପ୍ରଥମେ ପସନ୍ଦ କରନ୍ତି। ଲୋକଙ୍କ ମଧ୍ୟରେ ଅଭିନେତ୍ରୀଙ୍କୁ ନେଇ କ୍ରେଜ୍‌ ସୃଷ୍ଟି ହୁଏ, ଗୀତ ଓ ଗ୍ଲାମର୍‌ର ନୂଆ ଧାରା ଆରମ୍ଭ ହୁଏ, ଗୀତ କୋଟି କୋଟି ଟଙ୍କାର ବ୍ୟବସାୟ କରେ। କିନ୍ତୁ ସମାଲୋଚନା କଲା ବେଳକୁ ସମସ୍ତେ ଗ୍ଲାମର୍‌ ଗର୍ଲ କହି ଉପହାସ କରନ୍ତି। ଏହା ଏକ ଛଳନାପୂର୍ଣ୍ଣ ମାନସିକତା ବୋଲି ଅର୍ଚ୍ଚିତା ଓ ଏଲିନା କହିଥିଲେ।

ଭୂମିକା କହିଥିଲେ, ଯେବେଠାରୁ ଚଳଚ୍ଚିତ୍ର ଜଗତ ଆରମ୍ଭ ହୋଇଛି ସେବେଠୁ ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହି ଧାରା ଏପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଧୀରେଧୀରେ ପରିବର୍ତ୍ତନ ହେଉଛି। ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର ନିର୍ମାଣ ହେଉଛି। ଦର୍ଶକ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ରକୁ ସମ୍ମାନ ଦିଅନ୍ତି, ପ୍ରଶଂସା କରନ୍ତି। କିନ୍ତୁ ଦେଖିବାକୁ ଯାଆନ୍ତି ନାହିଁ। ଏହା ଏକ ବିଡ଼ମ୍ବନା। ଏହି ଅଧିବେଶନକୁ କନକ ନ୍ୟୁଜ୍‌ର ଉପସ୍ଥାପକ ସଂଗ୍ରାମ ଷଡ଼ଙ୍ଗୀ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର