ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୂଆପଲ୍ଲୀରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଏକ ପାଣିଟାଙ୍କି ନିର୍ମାଣ ପାଇଁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ୧୦ରୁ ଅଧିକ ଘର ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ପ୍ରାୟ ୯୦ ଡେସିମିଲ ଜାଗା ଜବରଦଖଲମୁକ୍ତ କରାଯାଇଛି। ୱାଟ୍କୋ ଏଠାରେ ଓଭରହେଡ୍ ପାଣିଟାଙ୍କି ନିର୍ମାଣ କରିବ। ୩୭ ନମ୍ବର କର୍ପୋରେଟର୍ ବନ୍ଦିତା ପାଲ୍ କହିଛନ୍ତି, ନୂଆପଲ୍ଲୀ ଅଞ୍ଚଳରେ ପିଇବା ପାଣିର ଘୋର ସମସ୍ୟା ରହିଛି। ନରାଜ ପାଣି ଉପରେ ସଂପୂର୍ଣ୍ଣ ଅଞ୍ଚଳ ନିର୍ଭରଶୀଳ। ନରାଜରେ ପାଣି ଆସିଲେ ନୂଆପଲ୍ଲୀ ଅଞ୍ଚଳବାସୀ ପାଣି ପାଆନ୍ତି। ଏଣୁ ସେ ନୂଆପଲ୍ଲୀ ଅଞ୍ଚଳରେ ଏକ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ପାଇଁ ୱାଟ୍କୋକୁ ୨୦୨୨ ମସିହାରେ ଚିଠି ଲେଖିଥିଲେ।
ପରେ ୱାଟ୍କୋ ପକ୍ଷରୁ ସେହିବର୍ଷ ସାଧାରଣ ପ୍ରଶାସନ ବିଭାଗକୁ ଜାଗା ଯୋଗାଇଦେବାକୁ ଚିଠି କରାଯାଇଥିଲା। ମୌଜା ପ୍ଲଟ ନମ୍ବର-୬୩୯ ଓ ୬୨୮ରେ ସାଧାରଣ ପ୍ରଶାସନ ବିଭାଗର ୧୦୦ ଡେସିମିଲ୍ ଘରବାରି କିସମର ଜାଗାରେ ପାଣି ଟାଙ୍କି ନିର୍ମାଣ କରିବାକୁ ଅନୁମତି ମଗାଯାଇଥିଲା। ୩ ବର୍ଷ ପରେ ସାଧାରଣ ପ୍ରଶାସନ ବିଭାଗ ଜାଗା ଚିହ୍ନଟ କରିବା ସହ ପାଣି ଟାଙ୍କି ନିର୍ମାଣର ଅନୁମତି ଦେଇଥିଲା। ଆଜି ଏହି ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଡିଏ ସୂଚନା ଅନୁଯାୟୀ, ନୂଆପଲ୍ଲୀ ମୌଜା ପ୍ଲଟ ନମ୍ବର-୬୨୮ରେ ଜବରଦଖଲରେ ଥିବା ସାଧାରଣ ପ୍ରଶାସନ ବିଭାଗର ପ୍ରାୟ ୯୦ ଡେସିମିଲ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ୮ଟି ଆଜବେଷ୍ଟସ୍ ଘର, ୩ଟି ଟିଣ ଘର ସହ ବେସରକାରୀ ଶୌଚାଳୟ, ପାଣିଟାଙ୍କି ସବୁ ଉଚ୍ଛେଦ କରାଯାଇଛି। ବେଆଇନ୍ ଭାବେ ନିର୍ମାଣ ହୋଇଥିବା ୮୦ ଫୁଟ ପାଚେରିକୁ ବି ଭାଙ୍ଗି ମାଟିରେ ମିଶାଯାଇଛି। ଏଥିପାଇଁ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ନିୟୋଜିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୧ ପ୍ଲାଟୁନ୍ ରିଜର୍ଭ ପୁଲିସ ଫୋର୍ସ ଓ ୧ ସେକ୍ସନ୍ ମହିଳା ପୁଲିସ ମୁତୟନ ହୋଇଥିଲେ। ବିଡିଏ ପକ୍ଷରୁ ଏନ୍ଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ସାଧାରଣ ପ୍ରଶାସନ ବିଭାଗ ସହକାରୀ ନିର୍ଦ୍ଦେଶକ(ସର୍ଭେ ଓ ଏନ୍ଫୋର୍ସମେଣ୍ଟ) ଅମୀୟ କୁମାର ଦାଶ, ବିଡିଏ ଲିଆସନ୍ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/04/dgdagdazcv-2025-09-04-02-19-47.jpg)