ବିକଟାଳ ବସ୍‌ ହର୍ଣ୍ଣରେ ରାଜଧାନୀବାସୀ ଅତିଷ୍ଠ

ଭୁବନେଶ୍ବର: ବସର ବିକଟାଳ ହର୍ଣ୍ଣରେ ରାଜଧାନୀବାସୀ ଅତିଷ୍ଠ। ହର୍ଣ୍ଣର ଶବ୍ଦ ଏତେ ବିକଟାଳ ଓ ପ୍ରଚଣ୍ଡ ଯେ ସାଧାରଣ ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି। ବିଶେଷକରି ବୃଦ୍ଧ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଉପରେ ଏହାର ଅଧିକ କୁ-ପ୍ରଭାବ ପଡ଼ୁଛି। ଏହି ହର୍ଣ୍ଣ ଯୋଗୁଁ ରାଜଧାନୀର କେତେକ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ମଧ୍ୟ ବଢ଼ୁଛି। ବରମୁଣ୍ଡା ବସଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ଓ ରସୁଲଗଡ଼ ଛକ ଏଥିରେ ଅନ୍ତର୍ଭୁକ୍ତ। ଦୂରଗାମୀ ବସ୍‌ଗୁଡ଼ିକରେ ଏଭଳି ହର୍ଣ୍ଣ ବେଶି ଲାଗିଛି। ଏଭଳି ହର୍ଣ୍ଣ ବେଆଇନ ହୋଇଥିଲେ ମଧ୍ୟ ପରିବହନ ବିଭାଗ ଓ କମିସନରେଟ୍ ପୁଲିସ ଚୁପ୍‌ ହୋଇ ବସିଛି। କାଁଭାଁ କେତେବେଳେ ପରିବହନ ବିଭାଗ ଧରପଗଡ଼ କରିବା ସହିତ ହର୍ଣ୍ଣ ଜବତ କରୁଥିଲେ ମଧ୍ୟ ପୁଣି କିଛି ଦିନ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ।

ଏଭଳି ବିକଟାଳ ହର୍ଣ୍ଣର ଶବ୍ଦ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଶୁଣିବାକୁ ମିଳୁଛି। ସେହିପରି ଜାତୀୟ ରାଜପଥର ସିଆରପି ଛକରୁ ଆରମ୍ଭ କରି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼, ପଳାସୁଣୀରେ ଏହି ବସ୍‌ଗୁଡ଼ିକ ଏଭଳି ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଇଥାନ୍ତି। ବସ୍ ଆଗରେ ଯାଉଥିବା ବାଇକ୍‌ ଓ ସାଇକେଲ ଚାଳକମାନେ ଏଭଳି ହର୍ଣ୍ଣରେ ଚମକି ପଡ଼ିଥାନ୍ତି। ବିଭିନ୍ନ ଛକରେ ଯାତ୍ରୀ ଉଠାଇବା ପାଇଁ ଚାଳକମାନେ ଏମିତି ହର୍ଣ୍ଣ ବଜାଇବେ ଯେ ଯେକେହି ବିରକ୍ତ ହୋଇଯିବ। କିନ୍ତୁ ଏଥିରେ ସେମାନଙ୍କର କିଛି ବି ପରବାୟ ନ ଥାଏ। ବସ୍‌ରେ ଲାଗିଥିବା ଏହି ହର୍ଣ୍ଣର ଶବ୍ଦ ଅତ୍ୟନ୍ତ ତୀବ୍ର ଓ ବିକଟାଳ। ୬୫ ଡେସିବଲ ମଧ୍ୟରେ ଶବ୍ଦ ରହିବା ନିୟମ ଥିଲେ ମଧ୍ୟ ବସ୍‌ ମାଲିକମାନେ ଏହାର ଖିଲାପ କରି ଉଚ୍ଚ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଉଛନ୍ତି। ଏୟାର ପ୍ରେସର୍‌ ହର୍ଣ୍ଣ ଅତ୍ୟଧିକ ଶବ୍ଦଯୁକ୍ତ। ଏହାକୁ ବିଶେଷ କରି ଦୂରଗାମୀ ବସ୍‌ ମାଲିକମାନେ ବସ୍‌ରେ ଲଗାଉଛନ୍ତି। ଏହାର ପ୍ରଭାବରେ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି। ଗତ କିଛି ଦିନ ତଳେ ଆରଟିଓ ପକ୍ଷରୁ ଆଚାର୍ଯ୍ୟ ବିହାର ଛକରେ ଏହି ଯାଞ୍ଚ କରାଯାଇଥିଲା। ପାଖାପାଖି ୨୦ଟି ବସ୍‌ରୁ ହର୍ଣ୍ଣରୁ ଜବତ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଆରଟିଓ ପକ୍ଷରୁ ଏଭଳି ଚଢ଼ଉ ପରେ ବସମାଲିକମାନେ କେତେକ ବସ୍‌ରୁ ହର୍ଣ୍ଣ ମଧ୍ୟ ଖୋଲି ଦେଇଥିଲେ। କିନ୍ତୁ ଗତ କିଛି ଦିନ ହେବ ପୁଣି ଏବେ ସେହି ହର୍ଣ୍ଣ ବାଜିବା ଆରମ୍ଭ ହୋଇଗଲାଣି। କେବଳ ଜାତୀୟ ରାଜପଥ କାହିଁକି, ସହର ଭିତରକୁ ଆସୁଥିବା ବସ୍‌ ମଧ୍ୟ ଖୁବ ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଉଛନ୍ତି। ବିଶେଷକରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ବସ୍‌ଷ୍ଟାଣ୍ଡ ଓ କଳ୍ପନା ଛକରେ ଲାଗୁଥିବା ବସ୍‌ଗୁଡ଼ିକ ଏଭଳି ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଉଛନ୍ତି। ଏସବୁ ବସ୍‌ଗୁଡ଼ିକ ଉପରେ ଆରଟିଓ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଆରଟିଓ ପିକେ ମହାନ୍ତି କହିଛନ୍ତି, ଖୁବ୍‌ଶୀଘ୍ର ଏଭଳି ବସ୍‌ଗୁଡ଼ିକ ଉପରେ ଚଢ଼ଉ କରାଯାଇ ହର୍ଣ୍ଣ ଜବତ କରାଯିବ।

ସମ୍ବନ୍ଧିତ ଖବର