କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଅସନ୍ତୋଷ : ଓୟୁଏଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପଜିଟିଭ୍‌, ସମ୍‌ରେ ନେଗେଟିଭ୍‌

ଭୁବନେଶ୍ୱର : ଥଣ୍ଡା ହେବାରୁ ଯାଇ ‌ଓୟୁଏଟି ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇଲେ। ୩ ଦିନରେ ରିପୋର୍ଟ ଆସିଲା ପଜିଟିଭ୍‌। ଶୁଣିବା ପରେ ପରିବାର ଲୋକ ଛାନିଆ ହେଇଗଲେ। ତୁରନ୍ତ ଯାଇ ସମ୍‌ ହସ୍ପିଟାଲ୍‌ରେ ପୁଣି ପରୀକ୍ଷା କରାଇଲେ। କିନ୍ତୁ ରିପୋର୍ଟ ଆସିଲା ନେଗେଟିଭ୍‌। ଏଣେ କରୋନା ହୋଇଛି ବୋଲି କହି ସମ୍ପୃକ୍ତ ବ୍ୟକ୍ତିଙ୍କୁ ହାଇଟେକ୍‌ରେ ଭର୍ତି କରାଯାଇଛି। ବରମୁଣ୍ଡା ହରିଜନ ସାହିରେ ଏଭଳି ବିଡ଼ମ୍ବନା ଦେଖିବାକୁ ମିଳିଛି। ଫଳରେ ଏନେଇ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବା ମୁତାବକ, ଗତ ୨୮ ତାରିଖରେ ତାଙ୍କ ସ୍ବାମୀ ଓୟୁଏଟି ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇଲେ। ଗତ ୩୧ ତାରିଖ ସନ୍ଧ୍ୟା ୭ଟାରେ ଫୋନ୍‌ ଯୋଗେ ରିପୋର୍ଟ ପଜିଟିଭ୍‌ ଆସିଥିବା କୁହାଗଲା। ମାତ୍ର ସନ୍ଦେହ ଉପୁଜିବାରୁ ସେଇ ୩୧ ତାରିଖରେ ଯାଇ ସମ୍‌ ହସ୍ପିଟାଲ୍‌ରେ ପରୀକ୍ଷା କରାଇଲୁ। ହେଲେ ଗତକାଲି ମୋ ସ୍ବାମୀଙ୍କର କରୋନା ପଜିଟିଭ୍‌ ବାହାରିଥିବା ଦର୍ଶାଇ ତାଙ୍କୁ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌କୁ ନେଇଗଲେ। ୪୮ ଘଣ୍ଟା ପରେ ଯେବେ ସମ୍‌ ହସ୍ପିଟାଲ୍‌ର ରିପୋର୍ଟ ଆସି‌ଲା,‌ ସେଥିରେ ନେଗେଟିଭ୍‌ ଦର୍ଶାଯାଇଥିଲା। ଏନେଇ ଆମେ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ସହ ଯୋଗାଯୋଗ ପରେ ନିଷ୍ପତ୍ତି ନେଇ ଜଣାଇବେ ବୋଲି କହିଛନ୍ତି। ତାଙ୍କ ସ୍ତ୍ରୀ କହିଛନ୍ତି, ଯଦି ରିପୋର୍ଟ ନେଗେଟିଭ୍‌ ଅଛି ତେବେ ସେଠାରେ କରୋନା ପଜିଟିଭ୍‌ ଆକ୍ରାନ୍ତଙ୍କ ଗହଣରେ କାହିଁକି ରହିବେ? ସେ ଏକଥା ବି କହିଛନ୍ତି, ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଆମେ ଘରୁ ବାହାରି ପାରୁନାହୁଁ। ତେଣୁ ଦୟାକରି ମୋ ସ୍ବାମୀଙ୍କୁ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ରୁ ଫେରାଇ ଅଣାଯାଉ।

ସମ୍ବନ୍ଧିତ ଖବର